କନକ ବ୍ୟୁରୋ: କନକ ନ୍ୟୁଜର ବଡ଼ ପ୍ରଭାବ। ଖବର ବାଜିବା ପୁରୀ ପ୍ରଶାସନ ପକ୍ଷରୁ ବେଆଇନ୍ ନିର୍ମାଣ ସ୍ଥଳରେ ନୋଟିସ ଲାଗିଲା । ପୁରୀ ବଳିଆପଣ୍ଡା ସ୍ଥିତ ଷ୍ଟର୍ଲିନ୍ ଗୋଲେଇ ଛକ ନିକଟ ବେଳାଭୂମିରେ ଚାଲିଥିବା ବେଆଇନ୍ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ତରଫରୁ ଗୃହ ନିର୍ମାଣ କାର୍ଯ୍ୟବନ୍ଦ କରିବା ଲାଗି କାନ୍ଥରେ ନୋଟିସ୍ ଲଗାଯାଇଛି । ଆଗକୁ ନିର୍ମାଣ ନକରିବାକୁ ନୋଟିସରେ ଉଲ୍ଲେଖ ରହିଛି । ଏନେଇ ମଧ୍ୟ ଗୃହ ନିର୍ମାଣକାରୀ ହରଚଣ୍ଡୀସାହିର ପୂର୍ଣ୍ଣିମା ପଟ୍ଟନାୟକଙ୍କୁ ନେଟିସ୍ କରିଛି ପିକେଡିଏ । ଏହି ଘଟଣାରେ ଜିଲ୍ଲାପାଳ କହିଛନ୍ତି, ବେଳାଭୂମିରେ ଗୃହ ନିର୍ମାଣ କାର୍ଯ୍ୟ ବେଆଇନ୍ । ପୂର୍ବରୁ ସେଟେଲମେଣ୍ଟ ସମୟରେ ବେଳାଭୂମିର କିଛି ଅଂଶ ସ୍ଥିତିବାନ ଜମି ଭବେ ଲୋକଙ୍କୁ ମିଳିଥିଲା । ସେହି ଆଳରେ ସେମାନେ ବେଳାଭୂମିରେ ଗୃହ ନିର୍ମାଣ କରୁଛନ୍ତି । ବେଳାଭୂମି ପର୍ଯ୍ୟନ୍ତ ଅନେକ ବେଆଇନ୍ ନିର୍ମାଣ କରାଯାଉଛି । କେଉଁଠି ପିକେଡିଏ ନିୟମ ତ, ଅନ୍ୟ କେଉଁଠି ସିଆରଜେଡ୍ ନିୟମକୁ ଖୋଲାଖୋଲି ଉଲଂଘନ କରାଯାଉଛି । ଏସବୁ ବେଆଇନ୍ ନିର୍ମାଣ ସମ୍ପର୍କରେ ଜିଲ୍ଲାପାଳ ଅବଗତ ହେବା ପରେ ଯାଞ୍ଚ କରାଯିବ ବୋଲି କହିଛନ୍ତି । ବେଆଇନ୍ ପ୍ଲଟିଂ ନେଇ ଗତକାଲି କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା ।