କନକ ବ୍ୟୁରୋ: ବିସିସିଆଇ ସଚିବ ଜୟ ଶାହ ଖୁବଶୀଘ୍ର ଆଇସିସି ଅଧ୍ୟକ୍ଷ ପଦ ସମ୍ଭାଳି ପାରନ୍ତି । ବର୍ତ୍ତମାନ ଏହି ଦାୟିତ୍ୱରେ ଥିବା ଗ୍ରେଗ ବାରକ୍ଲେଙ୍କ କାର୍ଯ୍ୟକାଳ ଆସନ୍ତା ନଭେମ୍ବର ମାସରେ ଶେଷ ହେବାକୁ ଯାଉଛି । ତେବେ ଏଯାଏ ଏହାକୁ ନେଇ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ ।

Advertisment

ସୂତ୍ର ମୁତାବକ କ୍ରିକେଟ ଷ୍ଟ୍ରେଲିଆର ସଭାପତି ମାଇକ ବେୟଡ ଓ ଗ୍ରେଗ ବାରକ୍ଲେ ଲଗାତାର ତୃତୀୟ ଥର ପାଇଁ ଏହି ଦାୟିତ୍ୱ ନେବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି । ଏକ ଭିଡିଓ କନଫରେସିଂରେ ଏନେଇ ଆଲୋଚନା ବେଳେ ଆଇସିସି ଅଧ୍ୟକ୍ଷ ପଦ ପାଇଁ ଜୟ ଶାହଙ୍କ ନାମ ଚର୍ଚ୍ଚାକୁ ଆସିବା ପରେ ଉଭୟ ଏହି ନିଷ୍ପତ୍ତି ନେଇଥିବା ସୂତ୍ରରୁ ସୂଚନା ମିଳିଛି । କାରଣ ଜୟ ଶାହଙ୍କୁ ଇଂଲଣ୍ଡ କ୍ରିକେଟ ବୋର୍ଡ ଓ କ୍ରିକେଟ ଅଷ୍ଟ୍ରେଲିଆର ପରୋକ୍ଷ ସମର୍ଥନ ରହିଛି । ତେଣୁ ଜୟଶାହ ହିଁ ପରବର୍ତ୍ତୀ ବିସିସିଆଇ ଅଧ୍ୟକ୍ଷ ହେବାନେଇ ଏକ ପ୍ରକାର ନିଶ୍ଚିତ ହୋଇଥିବା ରିପୋର୍ଟ ଆସୁଛି ।

ଏହାପୂର୍ବରୁ ଶରଦ ପାୱାର ଓ ଜଗମୋହନ ଡାଲମିଆ ଆଇସିସି ଅଧ୍ୟକ୍ଷ ପଦ ସମ୍ଭାଳି ସାରିଛନ୍ତିି । ଶରଦ ପାୱାର ୧୯୯୭ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ଥିଲେ । ଏହାପରେ ଶରଦ ପାୱାର ୨୦୧୦ରୁ ୨୦୧୨ ମସିହା ଯାଏଁ ଆଇସିସି ଅଧ୍ୟକ୍ଷ ପଦଭାର ସମ୍ଭାଳିଥିଲେ । ଜୟ ଶାହଙ୍କୁ ଏହି ଦାୟିତ୍ୱ ମିଳିଲେ ତୃତୀୟ ଭାରତୀୟ ଭାବରେ ସେ ଆଇସିସି ଅଧ୍ୟକ୍ଷ ହେବେ ।

ଆଇସିସି ଅଧ୍ୟକ୍ଷ ପଦ ପାଇଁ ଅଗଷ୍ଟ ୨୭ ତାରିଖ ସୁଦ୍ଧା ନାମାଙ୍କନ ଭରିବାକୁ ହେବ । ତେବେ ଏକରୁ ଅଧିକ ପ୍ରାର୍ଥୀ ଥିଲେ ନିର୍ବାଚନ ହୋଇଥାଏ । ପ୍ରାର୍ଥୀ ଜଣେ ଥିଲେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ଥାଆନ୍ତି । ଡିସେମ୍ବର ୧ ତାରିଖରୁ ଆଇସିସି ନୂଆ ଅଧ୍ୟକ୍ଷ ଦାୟିତ୍ୱ ନେବେ । ନୂଆ ଅଧ୍ୟକ୍ଷ ନିର୍ବାଚନ ପାଇଁ ମୋଟ ୧୬ ଟି ଭୋଟ ପଡିବ, ଯେଉଁ ପ୍ରାର୍ଥୀଙ୍କୁ ୫୧ ପ୍ରତିଶତ ଭୋଟ ବା ୯ଟି ଭୋଟ ମିଳିବ ତାଙ୍କୁ ବିଜୟୀ ଘୋଷଣା କରାଯିବ । ତେବେ ଏବେ ସୁଦ୍ଧା ଜୟ ଶାହଙ୍କ ଛଡା ଆଇସିସି ଅଧ୍ୟକ୍ଷ ପଦ ପାଇଁ ଆଉ କାହାରି ନାମ ଚର୍ଚ୍ଚାକୁ ଆସିନାହିଁ ।