କନକ ବ୍ୟୁରୋ : ପ୍ରଥମ ଲହର ଡରାଇବା ପରେ ଦ୍ୱିତୀୟ ଲହର ଲୋକଙ୍କ ନିଦ ହଜାଇ ଦେଇଥିଲା । ଏବେ ତୃତୀୟ ଲହର ନେଇ ଯେଉଁ ଆକଳନ କରାଯାଉଛି, ତାହା ଯଦି ସତ ହୁଏ, ତେବେ ଏକ ସାଂଘାତିକ ସ୍ଥିତି ଦେଇ ଯିବାକୁ ହେବ । କେନ୍ଦ୍ର ସରକାରଙ୍କ ସତର୍କବାଣୀ ପରେ ଏବେ ପ୍ରସ୍ତୁତିକୁ ଜୋରଦାର କରିଦେଇଛନ୍ତି ରାଜ୍ୟ ସରକାର । ଗୋଟିଏ ପଟେ କେରଳରେ ଦୈନିକ ସଂକ୍ରମଣ ପୁଣି ଥରେ ୩୦ ହଜାର ଟପିଯାଇଛି । ଅନ୍ୟପଟେ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ତୃତୀୟ ଲହର ଆସିବା ନେଇ ରିପୋର୍ଟ ପରେ ସଜାଗ ହୋଇଉଠିଛନ୍ତି ସରକାର । ତୃତୀୟ ଲହରର ଆଳକନ କରି ଜିଲ୍ଲା ସ୍ତରକୁ ଯାଇଥିବା ଚିଠି ଏକ ଚିନ୍ତାଜନକ ଦିଗକୁ ସାମ୍ନାକୁ ଆଣିଛି ।

Advertisment

ଦ୍ୱିତୀୟ ଲହର ଭଳି ପ୍ରାୟ ଅଢ଼େଇ ମାସ ଧରି ଚାଲିବ ତୃତୀୟ ଲହର । କିନ୍ତୁ ସଂକ୍ରମଣ ଦେଢ଼ଗୁଣା ଅଧିକ ହେବ ବୋଲି ଆକଳନ କରାଯାଉଛି । ସରକାରଙ୍କ ତଥ୍ୟ ଅନୁସାରେ ଦ୍ୱିତୀୟ ସଂକ୍ରମଣରେ ୫ ଲକ୍ଷ ୨୧ ହଜାର ୭୫୦ ଲୋକ କରୋନାରେ ଆକ୍ରାନ୍ତ ହୋଇଥିଲେ, ତୃତୀୟ ଲହରରେ ଆକ୍ରାନ୍ତ ହୋଇପାରନ୍ତି ୭ ଲକ୍ଷ ୬୬ ହଜାରରୁ ଅଧିକ । ହାରାହାରି ସଂକ୍ରମଣ ଦ୍ୱିତୀୟ ଲହର ଠାରୁ ବେଶ ଅଧିକ ହେବ । ସବୁଠୁ ଚିନ୍ତାଜନକ ଆକଳନ ହେଉଛି ଗତ ମେ ମାସ ୨୨ ତାରିଖରେ ରାଜ୍ୟରେ କରୋନା ଶୀର୍ଷରେ ପହଁଚିଥିଲା, ସେହିଦିନ ୧୨,୮୫୨ ନୂଆ ମାମଲା ଆସିଥିଲା । ବିଭିନ୍ନ ମଡେଲର ଆକଳନକୁ ତର୍ଜମା କରି ରାଜ୍ୟରେ ତୃତୀୟ ଲହରରେ ଏହି ସଂଖ୍ୟା ୧୯ ହଜାର ୨୭୮ ହେବ ବୋଲି ଅନୁମାନ କରାଯାଉଛି ।

ମୋଟାମୋଟି କହିବାକୁ ଗଲେ ତୃତୀୟ ଲହର ଅଧିକ ଭୟାବହ ହେବ ବୋଲି ଅନୁମାନ କରୁଛନ୍ତି ସରକାର । ଏନେଇ ଏକ୍ସପର୍ଟ କମିଟି ପିଏମଓକୁ ରିପୋର୍ଟ ଦେବା ପରେ କିପରି ଏହାର ମୁକାବିଲା କରାଯିବ, ଏନେଇ ଇସିପିଆର ବା ଇମର୍ଜେନ୍ସୀ କୋଭିଡ୍ ରେସପନ୍ସ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ରାଜ୍ୟଗୁଡିକୁ ଅବଗତ କରିବା ପରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଜିଲ୍ଲାପାଳଙ୍କୁ ସମ୍ଭାବ୍ୟ ପରିସ୍ଥିତି ନେଇ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । କରୋନା ପରୀକ୍ଷା ବଢାଇବା, ଆବଶ୍ୟକ ଔଷଧ ମହଜୁଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତୃତୀୟ ଲହରରେ ପିଲା ଅଧିକ ସଂକ୍ରମିତ ହେବା ଆଶଙ୍କା ଥିବାରୁ ପିଲାଙ୍କ ଚିକିତ୍ସା ପାଇଁ ଅଧିକ ଅକ୍ସିଜେନ୍ ଯୁକ୍ତ ଶଯ୍ୟା ଓ ଆଇସିୟୁ ଶଯ୍ୟା ରଖିବାକୁ କୁହାଯାଇଛି । ପିଏଚସି, ସିଏଚସି ଓ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କରୋନା ଚିକିତ୍ସା ପାଇଁ ବେଡ୍ ସଂରକ୍ଷଣ ରଖାଯିବ । ସେହିପରି ମାନବ ସମ୍ବଳ ବଢାଇବାକୁ ମଧ୍ୟ କୁହାଯାଇଛି ।

ତୃତୀୟ ଲହର ପାଇଁ ପ୍ରସ୍ତୁତି ଅଧିକ କରୋନା ପରୀକ୍ଷା କିଟ୍ ଓ ୮ ପ୍ରକାର ଔଷଧ ମହଜୁଦ ରଖାଯିବ । ପିଲାଙ୍କ ପାଇଁ ଅକ୍ସିଜେନ୍ ଯୁକ୍ତ ୨୦ରୁ ୩୦ ବେଡ୍ ଓ ୧୨ ଆଇସିୟୁ ବେଡ୍ । କରୋନା ଚିକିତ୍ସା ପାଇଁ ପ୍ରତ୍ୟେକ ପିଏଚସିରେ ୬ ଶଯ୍ୟା ଓ ସିଏଚସିରେ ୨୦ ଶଯ୍ୟା । ଜିଲ୍ଲା ଡାକ୍ତରଖାନାରେ ୫୦ ଶଯ୍ୟା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଆମ୍ବୁଲାନ୍ସ, ଅକ୍ସିଜେନ୍ ମହଜୁଦ ରଖାଯିବ । ଅତିରିକ୍ତ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ଡାକ୍ତରୀ ଛାତ୍ରଙ୍କୁ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତୃତୀୟ ଲହର ନେଇ ଯେଉଁସବୁ ପ୍ରସ୍ତୂୁତି ଚାଲିଛି, ତାହା କେବଳ ବିଭିନ୍ନ ମଡେଲର ଆକଳନକୁ ନେଇ । କିନ୍ତୁ କିଛି ବିଶେଷଜ୍ଞଙ୍କ ଏହା ମଧ୍ୟ ମତ ରହିଛି, ଯେ ତୃତୀୟ ଲହର ଆସିନପାରେ, ଯଦି ଆସିବ, ତାହା ମାରାତ୍ମକ ହୋଇନପାରେ । ଏପରିକି ଓଡ଼ିଶାରେ ଏହାର ପ୍ରଭାବ ମଧ୍ୟ କମ ପଡିପାରେ ବୋଲି ଅନୁମାନ କରାଯାଉଛି । ତେବେ ସମ୍ଭାବ୍ୟ ସ୍ଥିତି କାଳେ ଆସିବ, ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି କରିଛନ୍ତି ।

ତୃତୀୟ ଲହରରେ ରାଜ୍ୟରେ ୨୨,୯୮୮ ଆଇସିୟୁ, ବେଡ୍, ୧,୧୪, ୯୪୧ ଅକ୍ସିଜେନ୍ ଯୁକ୍ତ ବେଡ୍, ୩୮,୩୧୪ ଜେନେରାଲ୍ ବେଡ୍ ଆବଶ୍ୟକ ହେବ ବୋଲି ଆକଳନ କରାଯାଇଛି । ସେହିପରି ମୋଟ ସଂକ୍ରମଣର ୧୨ ପ୍ରତିଶତ ପିଲା କରୋନାରେ ଆକ୍ରାନ୍ତ ହୋଇପାରନ୍ତି । ଅର୍ଥାତ୍ ୯୧,୯୫୩ ପିଲା ସଂକ୍ରମିତ ହୋଇପାରନ୍ତି । ୪,୫୯୮ ପିଲା ମଧ୍ୟମ କିମ୍ବା ଗୁରୁତର ହେବା ଆଶଙ୍କା ରହିଛି ।