ରିପୋର୍ଟ ଆସିଲା ନେଗେଟିଭ । ଉହାନରୁ ଉଦ୍ଧାର ହୋଇଥିବା ୬୪୫ ଭାରତୀୟଙ୍କ କରୋନା ରିପୋର୍ଟ ଆସିଲା ନିଗେଟିଭ, କେହି ହୋଇନାହାନ୍ତି ସଂକ୍ରମିତ?

159

କନକ ବ୍ୟୁରୋ : ଫେବ୍ରୁଆରି ୬ସୁଦ୍ଧା ୧୨୬୫ଟି ବିମାନରେ ଆସିଥିବା ୧,୩୮,୭୫୦ ଜଣ ଯାତ୍ରୀଙ୍କର ନୋଭେଲ କରୋନା ଭୂତାଣୁ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ଅନ୍ୟ କେହି ନୋଭେଲ କରୋନା ଭୂତାଣୁ ସଂକ୍ରମିତ ହେବାର ସୂଚନା ନାହିଁ । ଚୀନର ଉହାନରୁ ଉଦ୍ଧାର ହୋଇଥିବା ସମସ୍ତ ୬୪୫ ଜଣ ଭାରତୀୟଙ୍କ ରକ୍ତନମୁନା ନେଗେଟିଭ ବାହାରିଛି । ସେମାନେ କରୋନା ଭୂତାଣୁ ସଂକ୍ରମଣରୁ ମୁକ୍ତ ଥିବା ସ୍ପଷ୍ଟ ହୋଇଛି । ଏହା ସହ ୫୧୦ଟି ନମୁନା ଆଇସିଏମଆରର ପରୀକ୍ଷାଗାରରେ ପରୀକ୍ଷା କରାଯାଇଥିବା ବେଳେ କେବଳ ତିନୋଟି ପଜେଟିଭକୁ ବାଦ ଦେଲେ ଅନ୍ୟସବୁ ରକ୍ତ ନମୁନା ପରୀକ୍ଷା ନେଗେଟିଭ ଆସିଛି । ବର୍ତ୍ତମାନ ସୁଦ୍ଧା ତିନି ଜଣ ସଂକ୍ରମିତ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ (ଆଇଡିଏସପି) ଜରିଆରେ ୬୫୫୮ ଲୋକଙ୍କର ଗୋଷ୍ଠୀ ନିରୀକ୍ଷଣ ଓ ଯାଞ୍ଚ କରାଯାଇଛି । ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଫେବୃଆରି ୬, ୨୦୨୦ରେ ଯୁଗ୍ମ ଅନୁଧ୍ୟାନ ଗୋଷ୍ଠୀ (ଜେଏମଜି)ର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଚୀନରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆବଶ୍ୟକ ଯାଞ୍ଚ ଅବଧି ବୃଦ୍ଧି ଆଦି ସମେତ ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଓ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ସମନ୍ୱୟ ରକ୍ଷା କରି ଭାରତ ନୋଭେଲ କରୋନା ଭୂତାଣୁ ନିରାକରଣ ଦିଗରେ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିଛି ।