କନକ ବ୍ୟୁରୋ: ଖର୍ଚ୍ଚ ହେଉଛି ଅଧିକ ବିଜୁଳି । ସରକାରୀ କୋଠାରୁ ହଟିବ ପୁରୁଣା ଫ୍ୟାନ୍ ଓ ଏସି । ଶକ୍ତି ସଞ୍ଚୟ ପାଇଁ ରାଜ୍ୟ ସରକାରଙ୍କ ଏକ ଚିଠି, ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଚିଠିରେ କୁହାଯାଇଛି ସରକାରୀ କୋଠାରୁ ହଟିବ ପୁରୁଣା ଫ୍ୟାନ୍ ଏବଂ ଏସି । ୫ ବର୍ଷରୁ ପୁରୁଣା ଫ୍ୟାନ୍ ଓ ଏୟାର କଣ୍ଡିସନର ହଟାଇବାକୁ କୁହାଯାଇଛି । ବିଏଲଡିସି- ବ୍ରସଲେସ୍ ଡାଇରେକ୍ଟ କରେଂଟ ଫ୍ୟାନ ଲଗାଇବାକୁ ନିର୍ଦ୍ଦେଷ । ସେହିପରି କେବଳ ଫାଇଭ ଷ୍ଟାର ଏସି ଲଗାଇବାକୁ ଚିଠିରେ ଉଲ୍ଲେଖ । ନୂଆ, ପୁରୁଣା ସମସ୍ତ ସରକାରୀ କୋଠା ପାଇଁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ । ଏଥିସହ ସରକାରୀ କୋଠାଗୁଡିକରେ କେତେ ବିଜୁଳି ବ୍ୟବହାର ହେଉଛି ତାର ଅଡିଟ୍ କରିବାକୁ କୁହାଯାଇଛି । ଏ ସଂପର୍କିତ ଏକ ଚିଠି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଦିଆଯାଇଛି । ଆଉପାଦେ ଆଗକୁ ଯାଇ, ସାଧାରଣ ଲୋକ ମଧ୍ୟ ରୁଫଟପ୍ ସୋଲାର ସିଷ୍ଟମ ଓ ଉତ୍ତମ ଟେକ୍ନୋଲୋଜିର ଗ୍ୟାଜେଟ୍ ବ୍ୟବହାର କରିବା ପାଇଁ ଅପିଲ କରିଛନ୍ତି ଶକ୍ତିମନ୍ତ୍ରୀ ।

Advertisment

ଏପଟେ ସରକାରଙ୍କ ଏହି ନିଷ୍ପତି ପଛରେ ବଡଧରଣ ଦୁର୍ନୀତି ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିରୋଧୀ । ଶକ୍ତି ସଂଚୟ ନାଁରେ ନିର୍ଦ୍ଦିଷ୍ଟ ସଂସ୍ଥାକୁ ସରକାର ଲାଭ ପହଂଚାଇବାକୁ ମସୁଧା କରୁଥିବା ଅଭିଯୋଗ କରିଛନ୍ତି । ଶକ୍ତିମନ୍ତ୍ରୀ କହିଛନ୍ତି ଅଧିକ ବିଜୁଳି ବିଲ ଆସିବା ଫଳରେ ଲୋକଙ୍କ ଭିତରେ ଆକ୍ରୋଶ ରହିଛି । ତେଣୁ ଅତ୍ୟାଧୁନିକ ଟେକ୍ନୋଲୋଜିର ବିଦ୍ୟୁତ୍ ଉପକରଣ ବ୍ୟବହାର କରି ବିଜୁଳି ବିଲକୁ କମାଇ ହେବ । ଶକ୍ତି ବିଭାଗ ପକ୍ଷରୁ ଏଥିପାଇଁ ପ୍ରୋତ୍ସାହିତ କରାଯାଉଛି ଓ ବିଭିନ୍ନ ନୀତି ମଧ୍ୟ ଅଣାଯାଉଛି । ବିତରଣ କମ୍ପାନୀ ସହ ମଧ୍ୟ ବିଭାଗ ନିରନ୍ତର ଆଲୋଚନା କରୁଛି ।