କନକ ବ୍ୟୁରୋ : ଜଙ୍ଗଲ ଭିତରେ ମହିଳାଙ୍କ ଶବ ପୋତାଯାଇଥିବା ନେଇ ଖବର ପରେ ପୋଲିସର କସରତ । ଘଟଣାସ୍ଥଳରେ ତାରବାଡ଼ ଘେରାଇ ଦିନ ଯାକ ମାଟି ଖୋଳିଲା ପୋଲିସ । ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ୍, ସାଇଂଟିଫିକ ଟମ୍ ଏବଂ ଶବ ବ୍ୟବଛେଦ ପାଇଁ ଡ଼ାକ୍ତର ମଧ୍ୟ ପହଂଚିଥିଲେ । କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜଙ୍ଗଲ ଭିତରେ ଶବ ପୋତାଯାଇଥିବା ନେଇ ଖୋଳା ଖୋଳି କରିବା ପରେ ମଧ୍ୟ ମାଟି ଭିତରୁ ଏକ ଲୁଗା ବାହାରିଥିବା ଦେଖିବାକୁ ମିଳିଛି ।

Advertisment

ସୁଚନା ଅନୁସାରେ, ଉମରକୋଟ ବୈପାରିଗୁଡ଼ା ଗାଁ ନିକଟସ୍ଥ ଭାମିନି ପଂଚାୟତର ସଂରକ୍ଷିତ ଜଙ୍ଗଲ ଭିତରେ ଏକ ମହିଳାଙ୍କ ଶବ ପୋତା ଯାଇଥିବା ନେଇ ସଂରପଂଚଙ୍କ ଠାରୁ ଖବର ମିଳିବା ପରେ ଉମରକୋଟ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲା । ସମ୍ପୃକ୍ତ ସ୍ଥାନକୁ ତାର ଜାଲି ଦେଇ ସୁରକ୍ଷାରେ ରଖିବା ସହ ରାତି ତମାମ ଗ୍ରାମବାସୀଙ୍କ ସହ ପୋଲିସ କର୍ମଚାରୀ ଜଗି ରହିଲେ । ପରଦିନ ସକାଳୁ ପୋଲିସ ନିକଟସ୍ଥ ଗାଁର ଅନେକ ବ୍ୟକ୍ତିଙ୍କୁ କେହି ନିଖୋଜ ରହିଥିବା ନେଇ ପଚରା ଉଚରା କରିଥିଲା । କିନ୍ତୁ କେହି କିଛି ଜାଣି ନଥିବା କହିଥିଲେ ।

ଜଙ୍ଗଲରେ ଶବ ପୋତା ଯାଇଥିବା ଖବର ଶୁଣି ତାକୁ ଦେଖିବାକୁ ଆଖ ପାଖ ଅଂଚଳରୁ ଶହ ଶହ ଲୋକଙ୍କ ସୁଅ ଛୁଟିଥିଲା । ପାଖାପାଖି ୨୦ ଘଂଟାର ପରିଶ୍ରମ ପରେ ପୋଲିସ ପ୍ରଶାସନକୁ ଶେଷରେ କିଛି ମିଳିନଥିଲା । ଏହି ଘଟଣା ଜଣସାଧାରଣ ତଥା ପ୍ରଶାସନିକ ସ୍ତରରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଅତିରିକ୍ତ ତହସିଲଦାର ।