କନକ ବ୍ୟୁରୋ : ଜଗନ୍ନାଥଙ୍କ ଚୁଲିକୁ କିଏ ଭାଙ୍ଗିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏପଟେ ଜୋରସୋରରେ ଚାଲିଛି ଚୁଲି ତିଆରି କାମ । ସୁଆର ଓ ମହାସୁଆର ନିଯୋଗ ସଦସ୍ୟ ରଂଜିତ ସୁପକାର କହିଛନ୍ତି, ୫୦ରୁ ଅଧିକ ଚୁଲିର ମରାମତି କାମ ପ୍ରାୟ ସରିଗଲାଣି । କାଲିଠାରୁ ଚୁଲିରେ ନିୟମିତ କାମ ଆରମ୍ଭ ହୋଇପାରେ ।
ଶ୍ରୀମନ୍ଦିରର ରୋଷଘରେ ଥିବା ଏହି ଚୁଲି ଏକ ଅଲୌକିକ ଚୁଲି କହିଲେ ଭୁଲ ହେବ ନାହିଁ । ଗୋଟିଏ ଚୁଲିରେ ୧୪ରୁ ୧୫ଟି ହାଣ୍ଡି ବସେ । ଅନ୍ନରୁ ପେଜ ବାହାର କରାଯାଏ ନାହିଁ । ସେହି ହାଣ୍ଡିରେ ଥିବା ଏକ କଣାରୁ ପେଜ ବାହାରି ଚୁଲିରେ ପଡ଼େ । କିନ୍ତୁ ତାହା ନିଆଁକୁ ଲିଭାଇପାରେ ନାହିଁ । ଏମିତି ରୋଷଘରେ ୫୦ କ୍ୱିଂଟାଲରୁ ଅଧିକ ପରିମାଣର ଅନ୍ନ ରୋଷେଇ ହୁଏ । ସୁପକାର ସେବାୟତ ମାନେ ଏହି ରୋଷଘରର ଦାୟିତ୍ୱରେ ଥାଆନ୍ତି । ଗତ ୨ ତାରିଖ ରାତିରେ ହଠାତ୍ କେହି ରୋଷଘରେ ପଶି ୫୦ରୁ ଅଧିକ ଚୁଲି ଭାଙ୍ଗିଦେଇଥିଲେ ।
ଅନ୍ୟପଟେ ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାରେ ପୁରୀ ଏସପିଙ୍କ ବଡ ବୟାନ । ସିସିଟିଭିରେ ଚିହ୍ନଟ ସନ୍ଦିଗ୍ଧଙ୍କୁ ବାଇଶି ପାହାଚ ଦେଇ ବାହାରେ ଛାଡିଥିଲେ ୪ ଜଣ ଜେଟିପି । ସିସିଟିଭିରେ ଏପରି ଦୃଶ୍ୟ ରହିଥିବା କହିଛନ୍ତି ପୁରୀ ଏସପି । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରାଯାଇଛି । ଜେଟିପିଙ୍କୁ ପଚରାଉଚରା କରାଯାଉଛି । ସଂଦିଗ୍ଧଙ୍କ ସହ ସେମାନେ କ’ଣ କଥା ହୋଇଥିଲେ । କେଉଁ ବିଷୟରେ ପଚାରିଥିଲେ ଓ କିପରି ସେଠାରୁ ସେ ବହାରିଗଲେ ସେନେଇ ଜେଟିପିଙ୍କୁ ପଚରାଉଚରା କରାଯାଉଛି ।
ଗତକାଲି ଜେଟିପିଙ୍କୁ ପଚରାଉଚରା କରାଯାଇଥିବା ବେଳେ ଆଜି ମଧ୍ୟ ଜେରା କରାଯିବ ବୋଲି ଏସପି କହିଛନ୍ତି । ସିସିଟିଭିରେ ଚିହ୍ନଟ ସନ୍ଦିଗ୍ଧ କିଏ ଜଣାପଡ଼ିନଥିବାରୁ ସେବାୟତ ଓ ଅନ୍ୟ ଅଧିକାରୀଙ୍କୁ ସିସିଟିଭି ଦେଖାଇ ଚିହ୍ନଟ କରିବାକୁ ଚେଷ୍ଟା କରାଯାଉଛି । ଏହା ସହ ଡ୍ୟୁଟିରେ ଥିବା ୪ଜଣ ଜେଟିପିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାର ତୁରନ୍ତ ଜବାବ ରଖିବାକୁ କୁହାଯାଇଛି । ଏମାନଙ୍କର ରାତି ଡ୍ୟୁଟି ଥିଲେ ବି କେମିତି ଦୁବୃର୍ତ ପଶି କାଣ୍ଡ ଘଟାଇଲେ, ଜବାବ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ରାତି ୧୦ଟାରୁ ସକାଳ ପର୍ଯ୍ୟନ୍ତ ଏହି ଚାରି ଜେଟିପିଙ୍କ ଡ୍ୟୁଟି ଥିଲା ବେଳେ ରୋଷ ଘରେ ପଶି ଚୁଲି ଭାଙ୍ଗିଥିଲେ ଦୁବୃର୍ତ । ଏହି ସମୟରେ ଜଣେ ଦୁବୃର୍ତ ଝାଳ ଗମଗମ ହୋଇ ରୋଷଘରକୁ ପ୍ରବେଶ କରୁଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ଜଣାପଡୁଛି । ଏସପି, ଅତିରିକ୍ତ ଏସପି, ସିଂହଦ୍ୱାର ଥାନା ଅଧିକାରୀ, ଆସିଷ୍ଟାଣ୍ଡ କମାଣ୍ଡାଂଟ ଓ ସୁବେଦାର ମିଳିତ ଭାବେ ଛାନଭିନ୍ କରୁଛନ୍ତି । ଗତକାଲିଠାରୁ ଶ୍ରୀମନ୍ଦିରରେ ରାତିରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।