ଦୀପାବଳି ପରେ ଖୋଲିବ ପ୍ରଥମରୁ ୭ମ ଶ୍ରେଣୀ ! ପାଠ ସହ ପିଲାଙ୍କୁ ଯୋଡ଼ିବାକୁ ‘ଲର୍ଣ୍ଣିଂ କ୍ୟାମ୍ପ୍‌’

236

ଶିଶୁ ଦିବସ ତଥା ନଭେମ୍ବର ୧୪ରୁ ରାଜ୍ୟର ୩ହଜାର ୯୭୫ ସ୍ଥାନରେ ‘ଲର୍ଣ୍ଣିଂ କ୍ୟାମ୍ପ୍‌’ ହେବ । ଯେଉଁଠାରେ କୁନି କୁନି ପିଲାଙ୍କୁ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରାଯିବ । ଯେଉଁମାନେ ସ୍କୁଲରୁ ମୁହଁ ମୋଡ଼ୁଛନ୍ତି, ସେମାନଙ୍କ ଆଣିବାକୁ ଏଭଳି ପ୍ରୟାସ କରାଯାଉଛି । ‘ମୋ ସ୍କୁଲ’, ‘ପ୍ରଥମ’ ଓ ‘ଭାରତ ଜ୍ଞାନବିଜ୍ଞାନ ସମିତି’ର ମିଳିତ ସହଯୋଗରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୨୫ ସ୍ଥାନରେ ଏଭଳି କ୍ୟାମ୍ପ କରାଯାଇ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଦିଗରେ ପଦକ୍ଷେପ ନିଆଯାଇଛି । ଏଥିରେ ସଫଳତା ମିଳିଥିବାରୁ ଦ୍ବିତୀୟ ପର୍ଯ୍ୟାୟରେ ବାକି ୩୯୭୫ ସ୍ଥାନରେ କ୍ୟାମ୍ପ୍‌ ହେବ । କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ରଛାତ୍ରୀ ସ୍ବେଚ୍ଛାକୃତ ଭାବେ ସାମିଲ ହୋଇ ପିଲାଙ୍କ ମଧ୍ୟରେ ଗଣିତ ଓ ଭାଷାସାହିତ୍ୟ ଉପରେ ଶିକ୍ଷା‌ଦାନ କରୁଛନ୍ତି ।

କୋଭିଡ୍‌-୧୯ ଯୋଗୁଁ ପ୍ରଥମିକ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ୩୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏ ପର୍ଯ୍ୟନ୍ତ ଶିକ୍ଷାକ୍ଷେତ୍ରକୁ ଫେରି ପାରିନାହାନ୍ତି । କେବେ ସ୍କୁଲ ‌ଖୋଲିବ, କିଭଳି ପଢ଼ିବେ, ତାହାକୁ ନେଇ ଅଭିଭାବକ ଚିନ୍ତାରେ ଅଛନ୍ତି । ଛାତ୍ରଛାତ୍ରୀ ବି ଧୀରେଧୀରେ ପାଠପଢ଼ାରୁ ମୁହଁ ମୋଡ଼ୁଛନ୍ତି । ତାହାକୁ ନଜରରେ ରଖି ଗତ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ‘ଲର୍ଣ୍ଣିଂ କ୍ୟାମ୍ପ୍‌’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ରାଜ୍ୟର ୫ ହଜାର ସ୍ଥାନରେ ଏଭଳି କ୍ୟାମ୍ପ କରାଯାଇ ପିଲାଙ୍କୁ ପୁଣିଥରେ ପାଠ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୨୫ ସ୍ଥାନରେ ଚାଲିଥିବା ବେଳେ ଆସନ୍ତା ମାସକ ମଧ୍ୟରେ ବାକି ଅଞ୍ଚଳରେ କ୍ୟାମ୍ପ୍‌ କରାଯିବ । ଏଥିରେ ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଯଥା ମାଲକାନଗିରି, କୋରାପୁଟ, କଳାହାଣ୍ଡି, ଗଜପତି, ବୌଦ୍ଧ, ଗଞ୍ଜାମ, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା ଆଦି ଜିଲ୍ଲାର ପିଲାମାନଙ୍କୁ ନିଜ ଗାଁରେ ଶିକ୍ଷା ଦେବାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ଏମାନଙ୍କୁ ତାଲିମ୍‌ ଦେବା ପାଇଁ ସ୍ବତନ୍ତ୍ର ପାଠ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇଛି। ଏହାଦ୍ବାରା ପିଲାମାନେ ସୁବିଧାରେ ପୁଣିଥରେ ଶିକ୍ଷାକୁ ଆପଣାଇପାରିବେ ।

ସେପଟେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଡିଜିଟାଲ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି । ଯେଉଁଥିପାଇଁ ଗତ ସପ୍ତାହରେ ‘ମୋ ସ୍କୁଲ ଓ କ୍ବେଷ୍ଟ ଆଲିଆନ୍ସ’ ମଧ୍ୟରେ ରାଜିନାମା ସ୍ବାକ୍ଷରିତ ହୋଇଛି । ଏହା ଅଧୀନରେ ନଭେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟର ୧୦୭୨ଟି ସ୍କୁଲର ଦୁଇଜଣ ଲେଖାଏଁ ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ସେମାନେ ତାଲିମ ନେବା ପରେ ଅନ୍ୟମାନଙ୍କୁ ପ୍ରଶିକ୍ଷିତ କରାଇବେ । ମୋ ସ୍କୁଲ ପ୍ରକଳ୍ପର ଅଡିଟ୍‌ କାର୍ଯ୍ୟକୁ ଜୋରଦାର କରିବାକୁ ସ୍ବତନ୍ତ୍ର ଅଡିଟ୍‌ ଟିମ୍‌ ପଠାଇବାକୁ ସ୍ଥିର ହୋଇଛି । ମୋ ସ୍କୁଲ ପ୍ରକଳ୍ପ କାର୍ଯ୍ୟର ସ୍ବଚ୍ଛତା ବଜାୟ ରଖିବାକୁ ଫିଲ୍ଡ ମନିଟରିଂ ଓ ସୋସିଆଲ୍‌ ଅଡିଟ୍‌କୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ମୋ ସ୍କୁଲ ଅଭିଯାନର ୨୯ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ନିର୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଦୀପାବଳି ପରେ ପ୍ରଥମରୁ ୭ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ନେଇ ବିଚାରବିମର୍ଶ ଚାଲିଛି । ସ୍କୁଲ ଯିବା ପାଇଁ ପିଲାଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେଲାଣି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ ନେଇ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲାଯିବ । ପିଲାମାନଙ୍କ ପାଇଁ ଶିକ୍ଷା ସହ ସ୍ୱାସ୍ଥ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏହାକୁ ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରାଥମିକତା ଦେଉଛନ୍ତି । ୮ମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସୁରୁଖୁରୁରେ ଚାଲିଛି। ଅନ୍ୟ ଶ୍ରେଣୀଗୁଡ଼ିକ ମଧ୍ୟ ଖୁବ୍‌ଶୀଘ୍ର ଖୋଲାଯିବ ।