ସଂସଦରେ ବି କାଷ୍ଟିଂ କାଉଚ ? କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀଙ୍କ ସାଂଘାତିକ ଖୁଲାସା

102

ପୂରା ଦେଶରେ ଏବେ କାଷ୍ଟିଂ କାଉଚକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ଏବେ ଏକ ବଡ ଖୁଲାସା କରିଛନ୍ତି । ବଲିଉଡ କୋରିଓଗ୍ରାଫର ସରୋଜ ଖାନ କାଷ୍ଟିଂ କାଉଚକୁ ନେଇ ଦେଇଥିବା ବିବାଦୀୟ ବୟାନ ଉପରେ ରେଣୁକା ଚୌଧୁରୀ ପ୍ରତିକ୍ରିୟା ଦେବା ସହ କହିଛନ୍ତି କେବଳ ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ ସୀମିତ ହୋଇ ରହିନାହିଁ । ଏଭଳି ଘଟଣା ପ୍ରତ୍ୟେକ କ୍ଷେତ୍ରରେ ହେଉଛି । ଏହା ହେଉଛି ଅପ୍ରିୟ ସତ ।

ରେଣୁକା ଚୌଧୁରୀଙ୍କ କହିବା ଅନୁଯାୟୀ, କେବଳ ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ ହେଉନାହିଁ । ଦେଶର ସବୁ କ୍ଷେତ୍ରରେ କାଷ୍ଟିଂ କାଉଚ ହେଉଛି । ଯଦି ଆପଣ ଭାବୁଥାନ୍ତି ଦେଶର ସଂସଦ କିମ୍ବା ଅନ୍ୟ କୌଣସି କାର୍ଯ୍ୟସ୍ଥଳୀରେ ଏପରି ହୁଏ ନାହିଁ ତେବେ ଏହା ସମ୍ପୂର୍ଣ୍ଣ ଭୁଲ । ଦେଶର ପ୍ରତି କ୍ଷେତ୍ରରେ ମହିଳା ମାନେ ଶୋଷଣର ଶିକାର ହୋଇଥାନ୍ତି । ଏବେ ସମୟ ଉପନୀତ ହୋଇଛି କି ମହିଳା ମାନେ ସାମ୍ନାକୁ ଆସନ୍ତୁ ଓ କାଷ୍ଟିଂ କାଉଚ ନେଇ ମୁହଁ ଖୋଲନ୍ତୁ ।

ରେଣୁକା ଚୌଧୁରୀଙ୍କ ଏଭଳି ବୟାନ ସୁଚାଉଛି ଯେ, ରାଜନୀତିରେ ମଧ୍ୟ କାଷ୍ଟିଂ କାଉଚ ଭଳି ଘୃଣ୍ୟ ଖେଳା ଯାଉଛି । ଆଉ ରେଣୁକାଙ୍କ ଏଭଳି ବୟାନ ଏବେ ରାଜନୀତିକୁ ଉଷ୍ମ କରିଛି । ପ୍ରଶ୍ନ ଉଠୁଛି ସତରେ କଣ ରାଜନୀତିରେ କାଷ୍ଟିଂ କାଉଚ ଘଟଣା ଘଟୁଛି । ଯଦି ହଁ ତେବେ ଏହା ଦେଶର ଗଣତନ୍ତ୍ର ପ୍ରତି କେତେ ସାଂଘାତିିକ ତାହା ବେଶ ଅନୁମେୟ ।

ଏହାପୂର୍ବରୁ କୋରିଓଗ୍ରାଫର ସରୋଜ ଖାନ କାଷ୍ଟିଂ କାଉଚ ସପକ୍ଷରେ ମତ ଦେଇ କହିଥିଲେ, ଯଦି ଫିଲ୍ମ ଇଣ୍ଡଷ୍ଟ୍ରୀରେ କେହି କାଷ୍ଟିଂ କାଉଚର ଶିକାର ହୋଇଥାନ୍ତି ତେବେ ପ୍ରତିବଦଳରେ ଇଣ୍ଡଷ୍ଟ୍ରୀରେ କାମ ପାଇଥାନ୍ତି । ଯେଉଁଥିରେ ସେମାନଙ୍କର ପରିବାର ଚଳିଥାଏ । ତେବେ କେବଳ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାଷ୍ଟିଂ କାଉଚ ହେଉଛି ଏକଥା ଭାବିବା ଭୁଲ । ପ୍ରତ୍ୟେକ କ୍ଷେତ୍ରରେ ଏଭଳି ଘଟଣା ହେଉଛି । ତେଣୁ କେବଳ ଫିଲ୍ମ ଇଣ୍ଡଷ୍ଟ୍ରୀ ଉପରକୁ ଆଙ୍ଗୁଳି ଉଠାଇବା ଉଚିତ ନୁହେଁ । ସରୋଜଙ୍କ ଏହି ବୟାନ ପରେ ବିବାଦ ବଢିଥିଲା । ଆଉ ଏହାପରେ ଉକ୍ତ ବିବାଦୀୟ ବୟାନ ପାଇଁ ସରୋଜ ଖାନ କ୍ଷମା ମାଗିଛନ୍ତି ।