ସ୍କୁଲ ହତାରେ ଭଡ଼ା ଘର: ବେଆଇନ ଘରକୁ ଭଡ଼ାରେ ଦେଲେ ପାଚିକା, ଘରେ ଲାଗିଛି ‘ରାଜୀବ ଆବାସ ଯୋଜନା’ର ଟ୍ୟାଗ୍

101

କନକ ବ୍ୟୁରୋ: ସରକାରୀ ଜାଗାରେ ମିଳୁଛି ଘର ଭଡା । ତାହା ପୁଣି ବିଦ୍ୟାଳୟ ପରିସରରେ । ବେଡରୁମ, ଡ୍ରଇଂ ରୁମ, ଲ୍ୟାଟ୍ରିନ ସାଙ୍ଗକୁ ବଡ଼ ରୋଷେଇ ଘର । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏହି ଘର ଉପରେ ଟିକେ ନଜର ପକାନ୍ତୁ । ଗୋଟିଏ ପଟେ ସ୍କୁଲର କ୍ଲାସ ରୁମ ତ’ ଅନ୍ୟପଟେ ଭଡାଟିଆଙ୍କ ଘର । ରାଜଧାନୀର ଛାତି ଉପରେ ୟୁନିଟ ୪ର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ତିଆରି ହୋଇଛି ଏହି ଘର । ସ୍କୁଲର ପୂର୍ବତନ ପାଚିକା ଗତ ୨୦ ବର୍ଷ ହେବ ବିଦ୍ୟାଳୟ ହତାରେ ଜୋର ଜବରଦସ୍ତ ସ୍କୁଲ ହତାରେ ରହିଆସୁଥିବା ଅଭିଯୋଗ ହୋଇଛି ।

ସ୍କୁଲ ପରିସରରେ ଥିବା ଆମ୍ବ ଗଛରୁ ଜଣେ ଛାତ୍ର ଆମ୍ବ ତୋଳିବା ବେଳେ ଭଡାଟିଆଙ୍କ ସହ ଯୁକ୍ତି ତର୍କ ହୋଇଥିଲା । ଭଡାଟିଆ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ପାଚିକାଙ୍କ ପରିବାରଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି । ପାଚିକାଙ୍କ ପୁଅ ଓ ଭଡାଟିଆ ସ୍କୁଲ ପରିସରରେ ଦାଦାଗିରି କରୁଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଯୋଗ କରିଛନ୍ତି ।

ସମ୍ପୃକ୍ତ ପାଚିକା ଓ ତାଙ୍କ ପରିବାର ରହୁଥିବା ଏହି ବେଆଇନ ଘରେ ପୁଣି ଲାଗିଛି ‘ରାଜୀବ ଆବାସ ଯୋଜନା’ର ଟ୍ୟାଗ୍ । ତେବେ ପ୍ରଶ୍ନ ଉଠୁଛି-
ସ୍କୁଲ ପରିସରରେ ଘର ତୋଳିବାକୁ କିଏ ଦେଲା ଅନୁମତି ?
ବେଆଇନ ଘରେ କିଏ ଲଗାଇଲା ‘ରାଜୀବ ଆବାସ ଯୋଜନା’ର ଟ୍ୟାଗ୍ ?