କନକ ବ୍ୟୁରୋ : ଚୂଡାନ୍ତ ହେଲା ରାମଲଲ୍ଲାଙ୍କ ଦିବ୍ୟ ବିଗ୍ରହ । କର୍ଣ୍ଣାଟକ ମହିସୁରର ପ୍ରସିଦ୍ଧ ସ୍ଥପତି ଯୋଗୀରାଜ ଅରୁଣଙ୍କ ଦ୍ୱାରା ନିର୍ମତ ମୂର୍ତିକୁ ଚୂଡାନ୍ତ କରାଯାଇଛି । ରାମଲଲ୍ଲାଙ୍କ ତିନିଟି ମୂର୍ତି ମଧ୍ୟରୁ ଗୋଟିଏ ମୂର୍ତିକୁ ବଛାଯାଇଛି । ଆସନ୍ତା ୨୨ ତାରିଖରେ ଯୋଗୀରାଜ ଅରୁଣଙ୍କ ଦ୍ୱାରା ନିର୍ମିତ ମୂର୍ତିକୁ ସ୍ଥାପିତ କରାଯିବ । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।
କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, ଯେଉଁଠି ରାମ ଅଛନ୍ତି, ସେଠାରେ ହନୁମାନ ଅଛନ୍ତି । ଆଉ କର୍ଣ୍ଣାଟକ ହେଉଛି ହନୁମାନଙ୍କ ଭୂମି । ସେଠାରୁ ରାମଲଲ୍ଲାଙ୍କ ପାଇଁ ଏକ ମହତ୍ୱପୂର୍ଣ୍ଣ ସେବା । ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହ ପାଇଁ ରାମଲଲ୍ଲାଙ୍କ ୩ଟି ପ୍ରତିମୂର୍ତି ନିର୍ମାଣ କରାଯାଇଥିଲା । ତିନିଟି ପ୍ରତିମୂର୍ତିରେ ରାମଲଲ୍ଲାଙ୍କ ୫ ବର୍ଷର ସ୍ୱରୂପ ଦର୍ଶାଯାଇଛି । ଏହା ମଧ୍ୟରୁ ଗୋଟିଏ ମକରାନା ପଥର ଓ ଅନ୍ୟ ଦୁଇଟିକୁ କର୍ଣ୍ଣାଟକର ପଥରରେ ତିଆରି କରାଯାଇଛି ।
ସୂଚନା ଅନୁସାରେ ଯୋଗୀରାଜ ଅରୁଣ ନୀଳରଙ୍ଗର ରାମଲାଲ୍ଲାଙ୍କ ପ୍ରତିମୂର୍ତି ନିର୍ମାଣ କରିଛନ୍ତି । ଏଥିରେ ରାମଲଲ୍ଲା ଧନୁ-ତୀର ଧରି ଛିଡା ହୋଇଛନ୍ତି । ରାମଲଲ୍ଲାଙ୍କ ମୂର୍ତି ତିଆରି କରିଥିବା ୩୭ ବର୍ଷିୟ ଅରୁଣ ଯୋଗୀଙ୍କୁ ପୂର୍ବରୁ ପ୍ରଶଂସା କରିସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୨୨ରେ ଇଣ୍ଡିଆ ଗେଟରେ ସ୍ଥାପିତ ହୋଇଥିବା ନେତାଜୀ ସୁବାସ ବୋଷଙ୍କ ପ୍ରତିମୂର୍ତିକୁ ନିର୍ମାଣ କରିଥିଲେ ଅରୁଣ ଯୋଗୀ ।