୫୮ ବର୍ଷରେ ବିଶିଷ୍ଟ ବ୍ୟଙ୍ଗ ଚିତ୍ର ଶିଳ୍ପୀ କିଶୋର ରଥଙ୍କ ଦେହାନ୍ତ : ଶ୍ରଦ୍ଧାଞ୍ଜଳି ଅର୍ପଣ କଲା ସମ୍ବାଦ ପରିବାର

138

କନକ ବ୍ୟୁରୋ : ସମ୍ବାଦ କାର୍ଯ୍ୟାଳୟରେ ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏଠାରେ ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମେତ ସମ୍ବାଦ, କନକ ନିଉଜ୍, ମଞ୍ଜରୀ ଟିଭି ଓ ରେଡ଼ିଓ ଚକଲେଟର କର୍ମଚାରୀ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ସୋମବାର ଭୋର ସମୟରେ କିଶୋର ରଥଙ୍କ ନିଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ଦେଖାଦେଇଥିଲା । ଏହାପରେ ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଶ୍ରୀ ରଥଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୯ବର୍ଷ ହୋଇଥିଲା ।

୧୯୬୩ ମସିହାରେ ଜନ୍ମିତ କିଶୋର ରଥ ରାଜ୍ୟର ଜଣାଶୁଣା କାର୍ଟୁନିଷ୍ଟ ଭାବ‌େ ପରିଚିତ ଥିଲେ । ରାଜ୍ୟର ପୁରାତନ କଳା ଶିକ୍ଷାନୁଷ୍ଠାନ ଖଲିକୋଟ ଆର୍ଟ କଲେଜରୁ ଫାଇନ୍ ଆର୍ଟସରେ ସ୍ନାତକ କରିବା ପରେ ଜଣେ ପେସାଦାର ଶିଳ୍ପୀଭା‌ବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ଜଣେ ଚିତ୍ରଶିଳ୍ପୀ ହେବା ସହ ବ୍ୟଙ୍ଗ କବିତା ଲେଖିବାରେ ତାଙ୍କର ଅପୂର୍ବ ଦକ୍ଷତା ଥିଲା । ଚିତ୍ର ଓ ଶବ୍ଦ ସଂଯୋଜନାରେ ସମନ୍ବିତ ଦକ୍ଷତା ତାଙ୍କୁ କାର୍ଟୁନ୍ ଆଙ୍କିବା ସହ କ୍ଷୁଦ୍ରକବିତା ଜରିଆରେ ସମାଜକୁ ସକାରାତ୍ମକ ବାର୍ତ୍ତା ଦେବାରେ ସହାୟକ ହୋଇଥିଲା । ତାଙ୍କ ରଚିତ ବହୁ ବ୍ୟଙ୍ଗକବିତା ମଧ୍ୟ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।

ସେ ଦୀର୍ଘ ୩ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ‘ସମ୍ବାଦ’ରେ କାର୍ଯ୍ୟରତ ଥି‌ଲେ। ତାଙ୍କର ପକେଟ କାର୍ଟୁନ୍ ‘କଟାକ୍ଷ’ ପାଠକ ମହଲରେ ବେଶ୍ ଲୋକପ୍ରିୟ ଥିଲା । ନିଜ କାର୍ଟୁନ ମାଧ୍ୟମରେ ସାଧାରଣ ଜନତାର ସ୍ବର ହୋଇପାରିଥିଲେ କିଶୋର । ସମୟ ସ୍ରୋତରେ ସାମ୍ନାକୁ ଆସିଥିବା ରାଜନୈତିକ, ସାମାଜିକ, ଅର୍ଥନୈତିକ ଆଦି ବିଭିନ୍ନ ପ୍ରସଙ୍ଗକୁ ସେ ’କଟାକ୍ଷ’ ସ୍ତମ୍ଭରେ ଉପସ୍ଥାପିତ କରିଆସୁଥିଲେ ଓ କଡ଼ା ସମାଲୋଚନା ମଧ୍ୟ କରୁଥିଲେ। କେତେବେଳେ ମହାଲିଙ୍ଗ ମମିତା ମେହର ମୃତ୍ୟୁ ଘଟଣା ତ ପୁଣି କେତେବେଳେ ତୈଳ ଦର ବୃଦ୍ଧି ଏଭଳି ବିଭିନ୍ନ ଘଟଣାବଳି ‘କଟାକ୍ଷ’ରେ ନିୟମିତ ପ୍ରତିଫଳିତ ହେଉଥିଲା। ନିଆରା କାର୍ଟୁନ ସଂରଚନା ଥିଲା ତାଙ୍କର ସ୍ବକୀୟତା ଓ ସୃଜନଶୀଳତାର ପରିଚୟ ।

ତାଙ୍କ ପରଲୋକରେ ‘ସମ୍ବାଦ’ ପରିବାରରେ ଶୋକର ଛାୟା ଖେଳିଯାଇଛି । ‘ସମ୍ବାଦ ଗ୍ରୁପ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀ ରଥଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଲୋକପ୍ରିୟ ବ୍ୟଙ୍ଗ ଚିତ୍ରକର କିଶୋର ରଥଙ୍କ ଦେହାନ୍ତ ବିଷୟରେ ଜାଣି ସେ ଦୁଃଖିତ । ସମାଜର ବିଭିନ୍ନ ପ୍ରସଙ୍ଗକୁ ବ୍ୟଙ୍ଗ ଚିତ୍ର ମାଧ୍ୟମରେ ଉପସ୍ଥାପନ କରିବାର ନିଜ ସ୍ୱତନ୍ତ୍ର ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି ।