କନକ ବ୍ୟୁରୋ : ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ ଭୋଇ । କଂସ ଭୂମିକାରେ ଅଭିନୟ ପାଇଁ ଆଶାୟୀ ଥିବା ୪୧ ଜଣ କଳାକାରଙ୍କ ଅଡିସନ ନିଆ ଯାଇଇଥିଲା । ଏହା ପରେ ଜିଲ୍ଲା ପ୍ରଶାସନ ହୃଷିକେଶ ଭୋଇଙ୍କ ନାଁକୁ ଘୋଷଣା କରିଛନ୍ତି । ୭୫ ତମ ଧନୁ ଯାତ୍ରାରେ କଂସ ଭାବେ ଅଭିନୟ କରିବେ ହୃଶିକେଶ । ସେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଦଶମ ଥର ପାଇଁ କଂସ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ।
ଅମ୍ବାଭୋନା ବ୍ଲକ୍ ଚିଚୋଲି ଗାଁର ମୂଳ ନିବାସୀ ହୃଷୀକେଶ ସ୍ବାସ୍ଥ୍ୟ ବିଭାଗରେ ଡ୍ରାଇଭର ଭାବେ କାର୍ଯ୍ୟରତ। ନିଶା କିନ୍ତୁ ଅଭିନୟ । ୨୦୦୯ ମସିହାରୁ ୨୦୧୭ ଯାଏ ସେ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ବଳିଷ୍ଠ ଅଭିନୟ କରିଥିଲେ । ଏଥର କଂସ ଭୂମିକା ପାଇଁ ୫୬ଜଣ କଳାକାର ଆବେଦନ କରିଥିଲେ । ତେବେ ଗୁରୁବାର ଚୟନ ପ୍ରକ୍ରିୟାରେ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଆସୁରିକ ଅଟ୍ଟହାସ୍ୟ, ଗମ୍ଭୀର ସଂଳାପରେ କମ୍ପି ଉଠିଥିଲା । ଜଣକ ପରେ ଜଣେ ଆଶାୟୀ ମଂଚରେ ସଂକ୍ଷିପ୍ତ ଅଭିନୟ କରି କଂସ ଭୂମିକା ପାଇଁ ନିଜ ଦାବିଦାର ଜାହିର କରିଥିଲେ। ଶେଷରେ ହୃଷୀକେଶ ବାଜି ମାରିଥିଲେ ।