ରେଙ୍ଗାଲି ତହସିଲ ଅଫିସ୍ ପୋଡ଼ି ଘଟଣାରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ । ମିଛ ଦସ୍ତାବିଜ ଦେଇ ୨ ଏକର ଜମି ଠକି ନେଇଛନ୍ତି ଦଲାଲ୍, ପରିବାର ଲୋକ କହିଲେ ଅଭିଯୋଗ ପରେ ବି ଶୁଣିଲାନି ପ୍ରଶାସନ

390

କନକ ବ୍ୟୁରୋ : ରେଙ୍ଗାଲି ତହସିଲ ଅଫିସ୍ ପୋଡି ଘଟଣାରେ ସାମ୍ନାକୁ ଆସିଲା ସାଂଘାତିକ ସତ । ପାରିବାରିକ ସମ୍ପତିକୁ ଜାଲ୍ ଦସ୍ତାବିଜ୍ ତିଆରି କରି ବିକ୍ରି କରିଦେବା ନେଇ ଅଭିଯୋଗ ଆଣିଥିଲେ ରାଜୀବ । ୨ ଏକର ଜମି ଠକି ନେଇଛନ୍ତି ଦଲାଲ୍, ବାରମ୍ବାର ଅଭିଯୋଗ ପରେ ବି ଶୁଣିଲାନି ପ୍ରଶାସନ ଏନେଇ ଅଭିଯୋଗ କରିଛନ୍ତି ପରିବାର ।

ଏମିତି କୌଣସି ଅଫିସ୍ ନାହିଁ, ନ୍ୟାୟ ପାଇବା ପାଇଁ ଯାହାର କବାଟ ବାଡେଇ ନାହାଁନ୍ତି ରାଜୀବ କିଶାନ୍ତ । ହେଲେ ସବୁଠି ନିରାଶ ହେବା ପରେ ତହସିଲ ଅଫିସ୍ରେ ନିଆଁ ଲଗାଇ ଦେଇଥିଲେ । ଆଉ ଏହି ସମ୍ପତି ଜାଲିଆତି ଘଟଣାର ସତ୍ୟସତ୍ୟ ଜାଣିବା ପାଇଁ ଯେତେବେଳେ ରାଜୀବଙ୍କ ଗାଁକୁ ଯାଇଥିଲା କନକ ନ୍ୟୁଜ୍ ଟିମ୍, ସାମ୍ନାକୁ ଆସିଥିଲା ସାଂଘାତିକ୍ ତଥ୍ୟ ।

ରାଜୀବ କିଶାନଙ୍କ ମା’ ତପସ୍ୱିନୀ କିଶାନଙ୍କ କୌଣସି ଭାଇ ନଥିବାରୁ ତାଙ୍କ ମାମୁଁ ଘର ସମ୍ପତିର ଉତରାଧିକାରୀ ଥିଲେ । ନାତି ହିସାବରେ ରାଜୀବ ଓ ତାଙ୍କ ଭାଇ ଜମି ପାଇବା କଥା । ହେଲେ, ମିଛ କାଗଜପତ୍ର ଦେଇ, ଶ୍ରୀବତ୍ସ ମିର୍ଧା ନାମକ ଜଣେ ବ୍ୟକ୍ତି ନିଜକୁ ଜମିର ଉତରାଧିକାରୀ ବା ଶୁକ୍ରୁ କିଶାନଙ୍କ ନାତି କହି ଜମିକୁ ବିକ୍ରି କରିଦେଇଛି । ତପସ୍ୱନୀଙ୍କ ବାପା ଶୁକ୍ରୁ କିଶାନଙ୍କ ନାଁରେ ଡେବ୍ରା ମୌଜାରେ ଥିବା ୪ ଏକା ଜମିରୁ ୨ ଏକରରୁ ଅଧିକ ଜମି ଏହି ଦଲାଲମାନେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି ।

୨୦୧୨ ମସିହାରେ ରାଜୀବ ଋଣ ପାଇଁ ସୋସାଇଟି ଅଫିସ୍କୁ ଗଲା ପରେ ତାଙ୍କର ଜମି ବିକ୍ରି ହୋଇଯାଇଥିବା ଜାଣିବାକୁ ପାଇଥିଲେ । ସେବେଠାରୁ ଥାନାରୁ ତହସିଲ ଅଫିସ୍, ଜିଲ୍ଲାପାଳ ଅଫିସରୁ ଏସପି ଅଫିସ ଧାଇଁ ଧାଇଁ ନୟାନ୍ତ ହେବା ପରେ ବି ତାଙ୍କୁ ନ୍ୟାୟ ମିଳିନଥିଲା । ଆଉ ଶେଷରେ ଆଇନ୍କୁ ହାତକୁ ନେଇଥିଲେ ରାଜୀବ ।

ରେଙ୍ଗାଲି ଗୁମକାରମା ଗାଁର ରାଜୀବଙ୍କ ଏହି କାହାଣୀ ଏବେ ଅନେକ ପ୍ରଶ୍ନ ଛିଡ଼ା କରିଛି । ରାଜୀବ କିଶାନଙ୍କୁ ଅପରାଧି ବନାଇଲା କିଏ? ଏହି ଅବହେଳା ପାଇଁ କାହିଁକି ଉତରଦାୟୀ ରହିବ ନାହିଁ ପ୍ରଶାସନ?