କନକ ବ୍ୟୁରୋ : ଠିକା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ଅଧିକ ୫୦ପ୍ରତିଶତ ଦରମା ପାଇବେ ଗ୍ରୁପ ସି ଓ ଗ୍ରୁପ ଡି ଠିକା କର୍ମଚାରୀ । । ପଚାୟତ ନିର୍ବାଚନ ଆଗକୁ ଥିବା ବେଳେ ଠିକା କ୍ଷେତ୍ରରେ ରାଜ୍ୟ ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି । ଏଥିରେ କୁହାଯାଇଛି ଏଣିକି ଆଉ ଠିକା କର୍ମଚାରୀ ବୋଲି କୁହାଯିବନାହିଁ । ଏଥିପାଇଁ ଇଂରାଜୀରେ ଏକ ନାଁ ଦିଆଯାଇଛି, ‘ଇନିସିଆଲ ଆପଏଂଟି’ ଅର୍ଥାତ ପ୍ରାରମ୍ଭିକ ଭାବେ ନିଯୁକ୍ତ କର୍ମଚାରୀ । ଏଥିସହ ଏମାନଙ୍କ କ୍ଷେତ୍ରରେ ଯେଉଁ ବଡ କଥାଟି କରାଯାଉଛି, ସେ ହେଉଛି, ସେମାନଙ୍କ ଦରମାକୁ ୫୦ପ୍ରତିଶତ ବଢାଇ ଦିଆଯାଇଛି, ଅର୍ଥାତ ଯିଏ ଚାକିରି ଆରମ୍ଭରେ ୮ହଜାର ପାଉଛି ଏଣିକି ନୂତନ ନିଯୁକ୍ତି ପାଉଥିବା ଏ,ଭଳି କର୍ମଚାରୀ ୧୨ହଜାର ଟଙ୍କା ଦରମା ପାଇବେ । ଏହାସହ ଏମାନଙ୍କୁ ମେଡିକାଲ ଭଳି ବିଭିନ୍ନ ସୁବିଧା ମିଳିବ । ଏନେଇ କେବଳ ଗ୍ରୁପ ସି ଓ ଗ୍ରୁପ ଡି ଠିକା କର୍ମଚାରୀଙ୍କ ପାଇଁ ଥିବା ୨୦୧୩ ଆଇନରେ ସଂଶୋଧନ କରାଯାଇଛି । କ୍ୟାବିନେଟ ନିଷ୍ପତ୍ତି ନେଇ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଏଥିସହ ପୂର୍ବ ନିୟମ ଅନୁସାରେ ୬ବର୍ଷ ପରେ ନିୟମିତ ହେବେ ଏହି ପ୍ରାରମ୍ଭିକ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ୍ ୧୭ଟି ପ୍ରସ୍ତାବ ଗୃହୀତ ହୋଇଛି । ଅର୍ଥ, ଖାଦ୍ୟ ଯୋଗାଣ, ସାଧାରଣ ପ୍ରଶାସନ, ଗୃହ, ଶ୍ରମ, ପଞ୍ଚାୟତିରାଜ ଓ ସଂସଦୀୟ ବିଭାଗର ଏହି ପ୍ରସ୍ତାବଗୁଡ଼ିକ ରହିଛି। ବୈଠକ ପରେ ଆଇନ ମନ୍ତ୍ରୀ ପ୍ରତାପ ଜେନା କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ‘ଚୁକ୍ତିଭିତ୍ତିକ’ ସରକାରୀ କର୍ମଚାରୀମାନେ ଏଣିକି ‘ପ୍ରାରମ୍ଭିକ ନିଯୁକ୍ତ ବ୍ୟକ୍ତି’(ଇନିସିଆଲ୍ ଆପଏଣ୍ଟି) ଭାବେ ବିବେଚିତ ହେବେ। ଚୁକ୍ତିଭିତ୍ତିକ ନିଯୁକ୍ତିରେ ସେମାନେ ଏବେ ଯେଉଁ ଦରମା ପାଉଛନ୍ତି, ତାହାର ପ୍ରାୟ ୫୦% ଅଧିକ ଦରମା ଏବେ ପାଇବେ । ମୁଦ୍ରାସ୍ଫୀତି ହାରକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କ ଦରମା ସଂଶୋଧନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ପ୍ରାୟ ୨୫୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିବ। ସେମାନେ ଚିକିତ୍ସା ବାବଦକୁ ମଧ୍ୟ ସରକାରଙ୍କ ଠାରୁ ଅର୍ଥ ପାଇବେ । ପୂର୍ବ ନିୟମ ଅନୁସାରେ ୬ ବର୍ଷ ଚାକିରି ପରେ ସେମାନଙ୍କୁ ନିୟମିତ କରାଯିବ ।
ଜାତୀୟ ପେନ୍ସନ୍ ସିଷ୍ଟମ୍(ଏନ୍ପିଏସ୍)ରେ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ସରକାରଙ୍କ ଅଂଶଧନ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର ଦେଇଛି । ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ ଏନ୍ପିଏସ୍ରେ ରାଜ୍ୟ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ସରକାର ମାସିକ ଅଂଶଧନ ବାବଦକୁ ୧୦ରୁ ୧୪ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଏହା ସହିତ ଚାକିରି କାଳ ମଧ୍ୟରେ ମୃତ୍ୟୁ ହେଲେ କର୍ମଚାରୀଙ୍କ ପରିବାରକୁ ପେନସନ ସୁଯୋଗ ମିଳିବ। ଏହା ୨୦୧୯ ଏପ୍ରିଲ ୧ରୁ ଲାଗୁ ହେବ। ଏହାଦ୍ବାରା ରାଜ୍ୟର ୨.୦୮ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ। ଏହି ଏନପିଏସ୍ ସୁବିଧା ମଧ୍ୟ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଯୋଗ୍ୟ କର୍ମଚାରୀ, ଓଡିଶା ଗ୍ରୁପ୍ ବି,ସି ଓ ଡି (ଚୁକ୍ତିଭିତ୍ତିକ) କର୍ମଚାରୀଙ୍କ ପାଇଁ ଲାଗୁ ହେବ ।
ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସହ ଆଜି ବିଭିନ୍ନ ସେବା କ୍ୟାଡର୍ ସମ୍ପର୍କିତ ଏକାଧିକ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। ‘ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଚିକିତ୍ସା ସେବା(ନିଯୁକ୍ତି ଓ ସେବା ସର୍ତ୍ତାବଳୀ), ନିୟମାବଳୀ- ୨୦୧୪ ଏବଂ ‘ଓଡ଼ିଶା ସଚିବାଳୟ କ୍ଷୀପ୍ର ଲେଖକ ଓ ବ୍ୟକ୍ତିଗତ ସହାୟକ(ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତ) ନିୟମାବଳୀ- ୧୯୯୭’ ସଂଶୋଧନ କରାଯାଇଛି। ‘ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଓଡ଼ିଶା ଜିଲ୍ଲା ଆରକ୍ଷୀ ଅମଲ ସେବା(ନିଯୁକ୍ତି ପ୍ରଣାଳୀ ଓ ଚାକିରି ସର୍ତ୍ତାବଳୀ) ନିୟମାବଳୀ- ୨୦୨୧’ ପ୍ରସ୍ତୁତିକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଜିଲ୍ଲା ଆରକ୍ଷୀ ଅମଲା ସେବାର ନିଯୁକ୍ତି ଓ ପଦୋନ୍ନତି ‘ଓଡ଼ିଶା ଜିଲ୍ଲା ଆରକ୍ଷୀ ଅମଲା ସେବା ନିୟମାବଳୀ, ୧୯୯୫’ ଦ୍ବାରା ପରିଚାଳିତ। ଏହି ନିୟମାବଳୀରେ ନିଯୁକ୍ତିର ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ଭାବେ ରଖାଯାଇଛି । ସେହି ସମୟରେ ଆରକ୍ଷୀ ବିଭାଗର କମ୍ପ୍ୟୁଟରୀକରଣ ଓ ସ୍ବୟଂଚାଳିତ ଉପକରଣର ବ୍ୟବହାର କମ୍ ଥିଲା। କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ସର୍ବନିମ୍ନ ଯୋଗ୍ୟତାକୁ ଯୁକ୍ତ ଦୁଇ କରାଯିବା ସହ ମୌଳିକ କମ୍ପ୍ୟୁଟର ଦକ୍ଷତାକୁ ପରିବର୍ତ୍ତନ କରାଯିବ । ଏହି ପରିପ୍ରେକ୍ଷୀରେ ନିଯୁକ୍ତି ପରିଚାଳନା ପାଇଁ ‘ଓଡ଼ିଶା ଆରକ୍ଷୀ ଅମଲା କର୍ମଚାରୀ ଚୟନ ବୋର୍ଡ’ର ଆବଶ୍ୟକତା ରହିଛି। ତେଣୁ ଓଡ଼ିଶା ଜିଲ୍ଲା ଆରକ୍ଷୀ ଅମଲା ସେବା ନିୟମାବଳୀ, ୧୯୯୫କୁ ବାତିଲ କରାଯାଇ ନୂଆ ନିୟମାବଳୀ ପ୍ରସ୍ତୁତ କରାଯିବ ।
ଏହା ସହ ରାଜ୍ୟର ବିଭିନ୍ନ ପୁଲିସ ସଂସ୍ଥାରେ କାମ କରୁଥିବା ଅମଲା କର୍ମଚାରୀଙ୍କୁ ‘ଓଡ଼ିଶା ସିଭିଲ୍ ସେବା ନିୟମାବଳୀ, ୧୯୬୨’ ଅଧୀନରେ ଅଣାଯିବ। ସେହିପରି ଓଡ଼ିଶା ଅବକାରୀ ସେବା ନିୟମକୁ ବାତିଲ କରି ‘ଓଡ଼ିଶା ଅବକାରୀ ଶ୍ରେଣୀ-ଏ(ଚୟନ ପ୍ରକ୍ରିୟା ଓ ସେବା ସର୍ତ୍ତାବଳୀ) ନିୟମ- ୨୦୨୧ ଓ ‘ଓଡ଼ିଶା ଅବକାରୀ ସେବା ଶ୍ରେଣୀ- ବି (ଚୟନ ପ୍ରକ୍ରିୟା ଓ ସେବା ସର୍ତ୍ତାବଳୀ) ନିୟମ- ୨୦୨୧’ର ପ୍ରଚଳନ ସଂକ୍ରାନ୍ତୀୟ ପ୍ରସ୍ତାବ କ୍ୟାବିନେଟ୍ ଅନୁମୋସଦନ ପାଇଛି । ଏହାଦ୍ବାରା ବିଭିନ୍ନ ପର୍ଯ୍ୟାୟରେ ପଦୋନ୍ନତିକୁ ନିଶ୍ଚିତ କରିବା ସହ ଅବକାରୀ କ୍ଷେତ୍ର ପ୍ରଶାସନକୁ ପ୍ରଭାବଶାଳୀ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶା ସିଭିଲ୍ ସପ୍ଲାଏ ମାର୍କେଟ୍ ଇଣ୍ଟେଲିଜେନ୍ସ ସର୍ଭିସ୍, ୨୦୨୧କୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହି ନିୟମାବଳୀ ଅଧୀନରେ ମାର୍କେଟ୍ ଇଣ୍ଟେଲିଜେନ୍ସ ସର୍ଭିସ୍ କ୍ୟାଡର୍ ପରିଚାଳିତ ହେବ । ‘ଓଡ଼ିଶା ବୈଧ ମାପବିଜ୍ଞାନ ସେବା(ନିଯୁକ୍ତି ପଦ୍ଧତ୍ତି ଓ ଚାକିରି ସର୍ତ୍ତାବଳୀ) ଅଧିନିୟମ- ୨୦୨୧’ ମଧ୍ୟ କ୍ୟାବିନେଟ୍ ସ୍ବୀକୃତି ପାଇଛି। ଓଡ଼ିଶା ଲୋକାୟୁକ୍ତଙ୍କ ୨୦୨୦ର ବାର୍ଷିକ ରିପୋର୍ଟକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି । ଏହା ବିଧାନସଭାରେ ଉପସ୍ଥାପନ କରାଯିବ।
Follow Us