ଶିକ୍ଷା ପାଇଁ ସଂଘର୍ଷ ! ଉଚ୍ଚଶିକ୍ଷା ପାଇଁ ବିପଦପୂର୍ଣ୍ଣ ଜଳଯାତ୍ରା କରୁଛନ୍ତି ଛାତ୍ରଛାତ୍ରୀ । ନଈ ପାରି ପାଇଁ ସୋଲ ଭେଳା ଭରସା ।

383

କନକ ବ୍ୟୁରୋ : ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି ପାହିସାହି ଗାଁ । କଂଟିଆଚିରା ନଦୀ ପାର ହୋଇ ଯାତାୟତ କରନ୍ତି ଲୋକ । ଗାଁ ଲୋକ ଯାତାୟତ ପାଇଁ ଏହେଉଛି ନିତିଦିନିଆ ବାଟ । ଛାତ୍ରଛାତ୍ରୀ ଗ୍ରାମବାସୀ ମାନେ ଜୀବନକୁ ବାଜି ଲଗାଇ ସୋଲ ଡଙ୍ଗା ଉପରେ ଅତି ବିଦପ ସଂକୁଳ ଅବସ୍ଥାରେ ଜୋତାରେ ଆହୁଲାମାରି ନଦୀ ଅତିକ୍ରମ କରନ୍ତି । ସ୍ୱାଧିନତାର ୭୨ ବର୍ଷ ପରେ କେନ୍ଦ୍ର ରାଜ୍ୟ ସରକାରଙ୍କର ଶାସନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ?

ଜୀବନରେ ଶିକ୍ଷାର ଆଲୋକ ଦେଖିବା ପାଇଁ ସଂଘର୍ଷ । ଉଚ୍ଚଶିକ୍ଷା ପାଇଁ ବିପଦପୂର୍ଣ୍ଣ ଜଳଯାତ୍ରା । ନଈରେ ନାଆ ନାହିଁ କି ନାଉରିଆ ନାହାନ୍ତି । ଅଛି କେବଳ ୩ ଖଣ୍ଡ ସୋଲ ଓ ୩ ଖଣ୍ଡ କାଠ ପଟାରେ ତିଆରି ଭେଳା । ଯାହା ଉପରେ ଠିଆ ହୋଇ ନିଜେ ଆହୁଲା କରି ପାଣି ପାରି ହେଉଛନ୍ତି ଛାତ୍ରଛାତ୍ରୀ । ପ୍ରତିଦିନ ଏମିତି ପାଣି ପାରି ହୋଇ ଜୀବନ ଜୀବିକା ପାଇଁ ଯା’ଆସ କରିଥାନ୍ତି ବାଲେଶ୍ୱର ରେମୁଣା ବ୍ଲକ ତାଳପଦା ପଂଚାୟତ ୧ ନମ୍ବର ୱାର୍ଡ ପାହିସାହିର ଲୋକେ ।

ପଂଚାୟତ ଅଫିସରୁ ବାହାରି ୪ କିଲୋମିଟର ଚାଷ ଜମି ଅତିକ୍ରମ କରିବା ପରେ ପଡେ କଂଟିଆଚିରା ନଦୀ । ଆଉ ନଦୀ ଆରପଟେ ରହିଛି ୧ ନମ୍ବର ୱାର୍ଡ ପାହିସାହି । ଗାଁରେ ପ୍ରାୟ ୩୫୦ ଲୋକ ବସବାସ କରୁଥିବା ବେଳେ ସମସ୍ତେ ଆଦିବାସୀ ଓ ଦଳିତ ପରିବାର । ଗାଁରେ ପାଠପଢା ପାଇଁ କୌଣସି ସୁବିଧା ନଥିବାରୁ ଛାତ୍ରଛାତ୍ରୀ ବିପଦକୁ ସାଥି କରି ନଈ ପାରି ହୋଇ ସ୍କୁଲ ଯାଇଥାନ୍ତି ।

ନିର୍ବାଚନ ଆସିଲେ ଗାଁକୁ ନେତାଙ୍କ ସୁଅ ଛୁଟେ ଆଉ କଂଟିଆଚିରା ନଈ ଉପରେ ପୋଲ, ରାସ୍ତା ନିର୍ମାଣର ଗଦା ଗଦା ପ୍ରତିଶ୍ରୁତି ବି ମିଳେ । କିନ୍ତୁ ଭୋଟ ସରିଲେ କଥା ସରିଲା । ଆଉ ନେତାଙ୍କ ପାଦପଡେ ନାହିଁ ଏହି ବିଚ୍ଛିନ୍ନାଚଂଳ ଗାଁରେ । କଂଟିଆଚିରା ନଈ ଘେରି ରହିଥିବା ସାହିର ପୂର୍ବ ଦିଗରେ ରହିଛି ବଙ୍ଗୋପସାଗର । ଗ୍ରାମବାସୀ ମାନଙ୍କର ବନ୍ଧୁ କହିଲେ ସମୁଦ୍ର ଓ ନଈ । ଶିକ୍ଷା, ସ୍ୱାସ୍ଥ୍ୟ, ପିଡିଏସ ମାମଗ୍ରୀ, ଦୋକାନ ବଜାର ସବୁ କିଛି ରହିଛି ନଇ ଆରପଟେ । ତେଣୁ ଏମିତି ବିପଦସଙ୍କୁଳ ଜଳ ଯାତ୍ରା କରନ୍ତି ପାହିସାହିର ଲୋକେ ।