ବିଜେଡିରୁ ବହିଷ୍କୃତ ହେଲେ ଦୁଇ ବିଧାୟକ । ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ସୁଧାଂଶୁ ଶେଖର ପରିଡା ବିଜେଡିରୁ ବହିଷ୍କୃତ

4,228

କନକ ବ୍ୟୁରୋ: ବିଜେଡିରୁ ବହିଷ୍କୃତ ହେଲେ ଦୁଇ ବିଧାୟକ । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହିତ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ନିଜେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଗତ କିଛି ଦିନ ତଳେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଉପ-ସଭାପତି ପଦରୁ ହଟାଯାଇଥିଲା । ନିଜ ସମ୍ପାଦକୀୟ ଆଲେଖ୍ୟ ମାଧ୍ୟମରେ ‘ମନ୍ତ୍ରୀ ବଡ ନା ସଚିବ ବଡ’  ନେଇ ପ୍ରଶ୍ନ ଉଠାଇବା ପରେ ତାଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ଏପରି କରିଥିଲା ବିଜୁ ଜନତା ଦଳ । ଆଉ ଉପ-ସଭାପତି ପଦରୁ ହଟାଇବା ପରେ ଏବେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ଖାଲି ସେତିକି ନୁହେଁ, ରେମୁଣା ବିଧାୟକ ସୁଧାଂଶୁ ଶେଖର ଷଡଙ୍ଗୀଙ୍କୁ ମଧ୍ୟ ଦଳରୁ ବହିଷ୍କୃତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ସମ୍ବାଦ ଖବରକାଗଜର ସମ୍ପାଦକ ଭାବେ ଦୁଇଟି ସମ୍ପାଦକୀୟ ଲେଖିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଆମ ଘରର ହାଲଚାଲରେ ପ୍ରଥମେ ‘ଜନ୍ମଦିନର ଅନୁଚିନ୍ତା’ ଏବଂ ଏହାପରେ ‘ଆତ୍ମବିଭୋର ପ୍ରଶାସକ ଏବଂ ଅସହାୟ ରାଜନେତା’ ଶୀର୍ଷକରେ କିଛି ମୌଳିକ ପ୍ରଶ୍ନ ପଚାରିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ହେଲେ ଏହି ସମ୍ପାଦକୀୟକୁ ନେଇ ତାଙ୍କ ଉପରେ ଆକ୍ରୋଶମୂଳକ ଭାବେ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପ୍ରଥମେ ମୁଖପାତ୍ର ଏବଂ ପରେ ମନ୍ତ୍ରୀମାନଙ୍କ ଦ୍ୱାରା ତାଙ୍କୁ ଟାର୍ଗେଟ କରାଯିବା ସହିତ, ଏହାପରେ ସମ୍ପାଦ ଉପରେ ଆକ୍ରୋଶମୂଳକ ଭାବେ ହେଇଥିଲା ଇଓଡବ୍ଲ୍ୟୁ ଚଢାଉ ।