କନକ ବ୍ୟୁରୋ: ନିର୍ବାଚନ ଆଚରଣବିଧି ପାଳନପୂର୍ବକ କୋଭିଡ୍ ଟିକାକରଣ ସାର୍ଟିଫିକେଟ୍ରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ହଟାଇବା ଲାଗି ନିର୍ବାଚନ କମିସନ୍ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ନିର୍ଦେଶ ଦେଇଛନ୍ତି । ଏହି ଆଦେଶନାମା ଦେଶର ସବୁ ରାଜ୍ୟ ନିମନ୍ତେ ଲାଗୁ ହେବ ।
ତୃଣମୂଳ କଂଗ୍ରେସ ଅଭିଯୋଗ କରିବାରୁ ବିଧାନସଭା ନିର୍ବାଚନ ହେବାକୁ ଥିବା ସମସ୍ତ ରାଜ୍ୟରେ ଦିଆଯାଉଥିବା କରୋନାଭାଇରସ୍ ଟିକାକରଣ ସାର୍ଟିଫିକେଟ୍ରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ହଟାଇବା ଲାଗି ଭାରତର ନିର୍ବାଚନ କମିସନ୍ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ କହିଛି ।
ପଶ୍ଚିମବଙ୍ଗ ଓ ଅନ୍ୟ ଚାରିଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ତୃଣମୂଳ କଂଗ୍ରେସ ଏଭଳି ଆପତ୍ତି ଉଠାଇଥିଲା। ତେଣୁ, ନିର୍ବାଚନ କମିସନ୍ ଘୋଷଣା କରିଛି ଯେ, ଟିକାକରଣ ଅଭିଯାନରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଚାର ନିମନ୍ତେ ତାଙ୍କ ଫଟୋ ବ୍ୟବହାର କରି ପାରିବେ ନାହିଁ ।
ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଏବଂ ପୁଡୁଚେରୀରେ ଦିଆଯାଉଥିବା କୋଭିଡ୍ ଟିକାକରଣ ସାର୍ଟିଫିକେଟ୍ରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ହଟାଇ ପାରନ୍ତି । କୋଭିଡ୍ ଟିକାକରଣ ସାର୍ଟିଫିକେଟ୍ରେ ଥିବା ‘ଫଟୋ’କୁ ତୃଣମୂଳ କଂଗ୍ରେସ ‘ପ୍ରଧାନମନ୍ତ୍ରୀଙ୍କଦ୍ୱାରା ସରକାରୀ କଳର ଅପବ୍ୟବହାର’ ବୋଲି କହିଛି ।