କନକ ବ୍ୟୁରୋ : ବିଶ୍ୱକପ ୨୦୨୩ରେ ଲଗାତାର ତୃତୀୟ ପରାଜୟ ପରେ ପାକିସ୍ତାନକୁ ନିଜ ଦେଶରେ ସମାଲୋଚନାର ଶିକାର ହେବାକୁ ପଡିଛି । ଏହି ଲଜ୍ଜାଜନକ ପରାଜୟ ପାଇଁ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ଦାୟୀ କରିଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର । ବାବରଙ୍କ ବଦଳରେ ଶାହିନ ଆଫ୍ରିଦିଙ୍କୁ ଅଧିନାୟକ କରିବାକୁ ଦାବି କରିଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର ଆକିବ ଜାଭେଦ ।

Advertisment

ଆକିବ କହିଛନ୍ତି ବାବରଙ୍କ ସ୍ଥାନରେ ଦିନିକିଆ ଫର୍ମାଟରେ ଶାହିନ ଆଫ୍ରିଦଙ୍କୁ ପାକିସ୍ତାନର ଅଧିନାୟକ କରାଯାଉ । କାରଣ ଶାହିନ ହିଁ ପାକିସ୍ତାନ କ୍ରିକେଟର ଭବିଷ୍ୟତ । ଏହାଛଡା ବାବର ଦିନିକିଆ ଓ ଟି-୨୦ରେ ଅଧିନାୟକ ଭାବେ ନିଜକୁ ପ୍ରମାଣିତ କରିବାରେ ବିଫଳ ହୋଇଛନ୍ତି । କେବଳ ଆକିବ ନୁହଁନ୍ତି ବରଂ ଆଫଗାନିସ୍ତାନ ବିପକ୍ଷ ପରାଜୟ ପରେ ୱାସିମ ଆକ୍ରମ, ମୋଇନ ଖାନ୍, ସୋଏବ ମଲ୍ଲିକ, ମିସବା ଉଲ ହକ୍ ଭଳି ପୂର୍ବତନ କ୍ରିକେଟର ମଧ୍ୟ ପାକିସ୍ତାନ ଟିମ ଉପରେ ବର୍ଷିବା ସହ ବାବର ଆଜମଙ୍କୁ ଅଧିନାୟକ ପଦରୁ ହଟାଇବାକୁ କହିଛନ୍ତି ।

ଏସବୁ ଭିତରେ ପୂର୍ବତନ ପାକିସ୍ତାନ କ୍ରିକେଟର ୱାସିମ ଆକ୍ରମ ପିସିବିର ଅଧ୍ୟକ୍ଷ ଜକା ଅଶରଫଙ୍କୁ ଟାର୍ଗେଟ କରିଛନ୍ତି । ବିଶ୍ୱକପରେ ପାକିସ୍ତାନ ଟିମର ଲଜ୍ଜାଜନକ ପ୍ରଦର୍ଶନକୁ ନେଇ ଆକ୍ରମ କହିଛନ୍ତି,. ପିସିବି କେବେ ଦେଶ ବିଷୟରେ ବି ଚିନ୍ତା କରିବା ଆବଶ୍ୟକ । ଅଶରଫ ପିସିବିର ଅଧ୍ୟକ୍ଷ ହେଉ ହେଉ ସବୁ କିଛି ବଦଳାଇବା ଆରମ୍ଭ କରିଦେଲେ । ପୁରୁଣା ଲୋକଙ୍କୁ ପିସିବିରୁ ହଟାଇ ନିଜ ଲୋକଙ୍କୁ ରଖିଲେ । ପିସିବି ଅଧ୍ୟକ୍ଷଙ୍କୁ ବିଦେଶୀ କୋଚ୍ ପସନ୍ଦ ଥିଲେ କିନ୍ତୁ କେହି ନ ମିଳିବାରୁ ଅନଲାଇନରେ ବିଦେଶୀ କୋଚ୍ ପାକିସ୍ତାନ ଟିମ୍ ପାଇଁ ରଖିଲେ । ବହୁତ ହୋଇଗଲା, ଏବେ ନିଜ ବାବଦରେ ଚିନ୍ତା ନକରି ଦେଶ ପାଇଁ ପ୍ରଥମେ ଚିନ୍ତା କରନ୍ତୁ ।

ଅନ୍ୟପଟେ ବାବରଙ୍କ ସମର୍ଥନରେ ବାହାରିଛନ୍ତି ପୂର୍ବତନ କ୍ରିକେଟର ମହମ୍ମଦ ୟୁସୁଫ । ମହମ୍ମଦ ୟୁସୁଫ କହିଛନ୍ତି, ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ପାକିସ୍ତାନର ଖରାପ ପ୍ରଦର୍ଶନ ପାଇଁ କେବଳ ବାବର ଆଜମ ଦାୟୀ ନୁହଁନ୍ତି । ଏହି ପରାଜୟରେ କେବଳ ବାବରଙ୍କ ଭୁଲ ନାହିଁ ବରଂ ପୂରା ଟିମ୍ ମ୍ୟାନେଜମେଣ୍ଟର ଭୁଲ ରହିଛି । ଆଫଗାନିସ୍ତାନ ବିପକ୍ଷ ପରାଜୟ ପରେ ବାବର ବହୁତ କାନ୍ଦିଥିଲେ । ଏଭଳି ଏକ କଠିନ ସମୟରେ ପୂରା ଦେଶ ବାବରଙ୍କ ସାଥୀରେ ରହିଛି ।

ଆଫଗାନିସ୍ତାନ ବିପକ୍ଷ ପରାଜୟ ପରେ ବାବର କହିଥିଲେ, ଆଗାମୀ ମ୍ୟାଚରେ ନୂଆ ରଣନୀତି ସହ ଓହ୍ଲାଇବୁ । ଏହି ପରାଜୟରୁ ବହୁତ କିଛି ଶିଖିବାକୁ ମିଳିଲା । ଆମ ଟିମ୍ ଫିଲ୍ଡିଂରେ ଦୁର୍ବଳ ପ୍ରଦର୍ଶନ କରୁଛି । ରନ୍ ଅଟକାଇବାକୁ ଅତିରିକ୍ତ ପ୍ରୟାସ କରୁନାହିଁ । ତେବେ ପରବର୍ତ୍ତୀ ସମସ୍ତ ମ୍ୟାଚରେ ପାକିସ୍ତାନ ବିଜୟୀ ନହେଲେ ତେବେ ଦଳ ସେମିଫାଇନାଲ ରାସ୍ତା ଏକପ୍ରକାର ବନ୍ଦ ହୋଇଯିବ । ଏହାଛଡା ପାକିସ୍ତାନ ପରବର୍ତ୍ତୀ ସମସ୍ତ ମ୍ୟାଚ୍ ଜିତିବା ସହ ଅନ୍ୟ ଟିମର ଫଳାଫଳକୁ ଅପେକ୍ଷା କରିବାକୁ ପଡିବ । ଏଭଳି ଏକ କଠିନ ସ୍ଥିତିରୁ ପାକିସ୍ତାନ ସେମିଫାଇନାଲ ଟିକେଟ ହାତେଇବା ସମ୍ଭାବନା ଯଥେଷ୍ଟ କମ ।