୧୯୯୯ର ମହାବାତ୍ୟାକୁ ପୂରିଲା ୨୨ ବର୍ଷ : ଏବେବି ମନରୁ ଲିଭିନି କାଳ ରାତିର କରାଳ ରୂପ

ଅଂଟା ସଳଖୁଛନ୍ତି ପ୍ରଭାବିତ; ହେଲେ ଏବେବି ପୁରା ଶୁଖିନି କ୍ଷତ

180

କନକ ବ୍ୟୁରୋ : ୨୨ ବର୍ଷ ତଳୁ ଝଡ ଯାଇଛି, ଝଡ ମୁହଁରୁ ବଞ୍ଚି ଯାଇଥିବା ଲୋକେ ପୁଣି ଥରେ ଅଂଟା ସଳଖି ଠିଆ ହେବାକୁ ଚେଷ୍ଟା କରିଛନ୍ତି । ହେଲେ ଅକ୍ଟୋବର ୨୯ ତାରିଖ ଆସିଲେ ଛାତି ଥରି ଉଠୁଛି । ମହାବାତ୍ୟା ବେଳର ସେହି କାଳ ରାତିର କରାଳରୂପ ମନେ ପଡି ଯାଉଛି । ସେଇ ଦୁଃଖଦ ସ୍ମୃତି ସବୁ ଆଖି ଆଗରେ ଭାସି ଯାଉଛି । ପ୍ରିୟଜନଙ୍କୁ ହରାଇଥିବା ବାତ୍ୟା ବିପନ୍ନଙ୍କ ଆଖିରୁ ଲୁହ ଝରି ଯାଉଛି ।

୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ମହାବାତ୍ୟାର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା । ରିପୋର୍ଟ ଅନୁଯାୟୀ କେବଳ ପାରାଦୀପ, ଏରସମା ଓ ବାଲିକୁଦାରେ ପାଖାପାଖି ୧୦ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ହଜାର ହଜାର ଗୃୃହପାଳିତ ପଶୁ ଭାସି ଯାଇଥିଲେ। ରାଜ୍ୟ ସରକାର ବି ରିପୋର୍ଟରେ ୯,୮୮୫ଜଣଙ୍କର ପ୍ରାଣହାନୀ ଘଟିଥିବା ଦର୍ଶାଇଥିଲେ । ଏଥିସହିତ, ୧୩ ଲକ୍ଷ ହେକ୍ଟରର ଧାନ-ବିରି ଫସଲ, ୧.୭୬ ଲକ୍ଷ ହେକ୍ଟରର ପରିବା ଚାଷ ଏବଂ ୨.୭୫ ଲକ୍ଷ ହେକ୍ଟରର ଅନ୍ୟାନ୍ୟ ଚାଷ କ୍ଷତିଗ୍ରସ୍ତ ହୋଇଥିଲା । ଏହାସହ ୨୨,୧୪୩ଟି ମାଛଧରା ଜାଲ ନଷ୍ଟ ହୋଇଥିବା ବେଳେ ୯,୦୮୫ଟି ଡଙ୍ଗାର ଟେର୍‍ ମିଳିନଥିଲା । ସେହିପରି ୩ ଲକ୍ଷ ୧୫ ହଜାର ୮୮୬ ଗୃହପାଳିତ ପଶୁ, ୧୮ଲକ୍ଷ ୮୩ ହଜାର ୪୬୮ଟି କୁକୁଡ଼ା ଓ ଅନ୍ୟାନ୍ୟ ପକ୍ଷୀ ଏବଂ ୩ ଲକ୍ଷ ୧୬ ହଜାର ଛୋଟ ଛୋଟ ପଶୁ ପ୍ରାଣ ହରାଇଥିଲେ । ଏହା ବ୍ୟତୀରକେ ଆହୁରି ଅନେକ ପଶୁ, ପକ୍ଷୀଙ୍କର ପତ୍ତା ମିଳିନଥିଲା। ସେତେବେଳେ ସାରା ଦେଶ ଏହି ମହାବାତ୍ୟାର ରୂପ ଦେଖି ଡରି ଯାଇଥିଲା ।

ମହାବାତ୍ୟାରେ ପାରାଦୀପର ଷଣ୍ଢକୁଦ ବସ୍ତି ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । କେତୋଟି ପରିବାର ସମୁଦ୍ର ପାଣିରେ ଭାସି ଯାଇଥିଲେ, ସେମାନଙ୍କର କିଛି ଖବର ନାହିଁ । ଏପରିକି ଗୋଟିଏ ଗୋଟିଏ ପରିବାରକୁ ମହାବାତ୍ୟା ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରାଦେଇଛି । ଷଣ୍ଢକୁଦ ବସ୍ତିରେ ଆଜି ବି ପାନୀୟ ଜଳ, ବିଜୁଳି ଓ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ରହିଛି । ପାନୀୟଜଳ ଟୋପାଏ ପାଇଁ ଲୋକେ ଡହଳବିକଳ ହେଉଛନ୍ତି । ବାତ୍ୟା ପରେ ସମସ୍ତଙ୍କ ନଜରରେ ଏହି ବସ୍ତି ଥିବାରୁ ଏହାର ଉନ୍ନତି ପାଇଁ ସେତେବେଳେ ପ୍ରଶାସନ ବହୁ ପ୍ରତିଶ୍ରୁତି ଦେଇଥିଲା । ମାତ୍ର ଏ ସମସ୍ତ ପ୍ରତିଶ୍ରୁତି ଏବେ ବି ଅଧାରେ ଅଟକି ରହିଛି ।

ସେହିଭଳି, ଏରସମା ବ୍ଲକ୍‌ ଅନ୍ତର୍ଗତ ସମୁଦ୍ରକୂଳିଆ ଶଙ୍ଖା ଗାଁରେ ସର୍ବାଧିକ ୧୦୭ ଜଣ ପ୍ରାଣ ହରାଇଥିଲେ। ଅନ୍ୟମାନେ ବହୁ କଷ୍ଟରେ ନିଜ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ । ଆଜି ବି ସେହି ଦୃଶ୍ୟ ବର୍ଣ୍ଣନା କରିବା ବେଳେ ଗା୍ରମବାସୀ ଭୟରେ ଥରି ଉଠନ୍ତି। ଏହି ଗାଁର ଉନ୍ନତି ପାଇଁ ସେତେବେଳେ ବହୁ ଯୋଜନା କରାଗଲା । ମାତ୍ର ଏହି ଯୋଜନା କେବଳ କାଗଜ କଲମରେ ରହିଯାଇଛି । ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ । ଏବେ ବି ଆକାଶରେ ବାଦଲ ଖଣ୍ଡିଏ ଦେଖିଲେ ପିଲା ଛୁଆଙ୍କୁ ସାଥୀରେ ଧରି ଲୋକେ ଆମ୍ବିକି ଗାଁରେ ଆଶ୍ରୟ ନିଅନ୍ତି ।

ଗାଁରେ ଏବେ ନାହିଁ ନଥିବା ସମସ୍ୟା। ଭଲ ରାସ୍ତାଟିଏ ନଥିବାରୁ ଯିବା ଆସିବା କରିବାରେ ବହୁ ସମସ୍ୟା ସୃଷ୍ଟି ହେଉଛି । ଛୋଟ ଛୋଟ ପିଲା ସେହି କାଦୁଅ ରାସ୍ତାରେ ପାଖ ଗାଁକୁ ଚାଲି ଚାଲି ପଢ଼ିବାକୁ ଯାଆନ୍ତି । ୧୮ ବର୍ଷ ହେଲାଣି ରାସ୍ତାଟିଏ ନିର୍ମାଣ କରାଯାଉ ନାହିଁ । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଏହି ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ଭାବେ ଘୋଷଣା କରାଯାଇଥିଲା । ମାତ୍ର, ଏହା କେବଳ ଘୋଷଣାରେ ରହିଯାଇଛି । କୁହାଯାଉଛି ଯେ, ସମୁଦ୍ର କୂଳରେ ଥିବା ଝାଉଁ ଓ ହେନ୍ତାଳ ବଣ ଯୋଗୁଁ ସମୁଦ୍ର ପାଣି ପାରାଦୀପ ସହର ମଧ୍ୟକୁ ପ୍ରବେଶ କରି ପାରିନଥିଲା। ମାତ୍ର ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ସମୁଦ୍ର କୂଳରେ ଆଉ ଝାଉଁ ଜଙ୍ଗଲ କି ହେନ୍ତାଳ ବଣ ନାହିଁ। ସହର ଓ ବନ୍ଦର ସମ୍ପ୍ରସାରଣ ପାଇଁ କିଛି ଗଛ କଟା ଯାଉଥିବା ବେଳେ ଆଉ କିଛି ଗଛକୁ ମାଫିଆମାନେ କାଟି ନେଉଛନ୍ତି। ଏନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ।