ଜନ୍ମଜୟନ୍ତୀରେ ବିଜୁ ବାବୁଙ୍କୁ ଝୁରୁଛି ଜନ୍ମମାଟି । ଗଞ୍ଜାମ ଜିଲ୍ଲା ନୂଆଗାଁରେ ଏବେ ବି ସତେଜ ରହିଛି ସ୍ମୃତି ।

179

କନକ ବ୍ୟୁରୋ: ଓଡିଶାର ଜନମାନସର ନେତା ବିଜୁ ପଟ୍ଟନାୟକଙ୍କୁ ଆଜି ବି ଝୁରୁଛି ତାଙ୍କ ପୈତୃକ ଗାଁ । ଚିହ୍ନ ଲିଭିଯାଇଛି ହେଲେ, ଗଞ୍ଜାମ ଜିଲ୍ଲା ବେଲଗୁଂଠା ବ୍ଲକ ନୂଆଗାଁରେ ବିଜୁଙ୍କ ସ୍ମୃତି ଏବେ ବି ସତେଜ୍ ହୋଇ ରହିଛି । ବିଜୁବାବୁଙ୍କ ସ୍ମୃତି ରକ୍ଷା ପାଇଁ କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନେଇନାହିଁ । ଯାହାକୁ ନେଇ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

୧୦୫ ବର୍ଷ ତଳେ ଏହି ନୂଆଗାଁରେ ଜନ୍ମ ନେଇଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ଗଞ୍ଜାମ ଜିଲ୍ଲାର ଏହି ଗାଁ ସହ ରହିଛି ବିଜୁବାବୁଙ୍କ ପାରିବାରିକ , ସାମାଜିକ ଓ ରାଜନୈତିକ ସମ୍ପର୍କ । ତାଙ୍କର ପିଲାବେଳ ଏହି ଗାଁରେ କଟିଥିଲା । ଏପରିକି, ରାଜନୀତିର ଶିଖରରେ ପହଁଚିବା ପରେ ମଧ୍ୟ ଅନେକ ସମୟରେ ସେ ଏହି ଗାଁକୁ ଆସୁଥିଲେ । ଲୋକଙ୍କ ସୁଖଦୁଃଖ ବୁଝିବା ସହ ସାଇକେଲ ଧରି ଗାଁରେ ବୁଲୁଥିଲେ, ଦୋଳି ଖେଳୁଥିଲେ । ଅନେକ ସମୟରେ ଗାଁକୁ ଆସୁଥିବାରୁ ଏକ ଘର ମଧ୍ୟ ନିର୍ମାଣ କରିଥିଲେ । ସେହି ଘରେ ବିଜୁଙ୍କ ପରୁଣା ଦିନର ସ୍ମୃତିକୁ ସାଇତି ରଖିଛନ୍ତି ସମ୍ପର୍କୀୟ । କାନ୍ଥରେ ଝୁଲୁଛି ବିଦେଶରୁ ଆସିଥିବା ଏକ ଘଂଟା, ଲାଗିଛି ପୁରୁଣା ଦିନର ବିଜୁଙ୍କ ଫଟୋ ।

ସାରା ରାଜ୍ୟରେ ବିଜୁଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ପାଳନ ହେଉଥିବା ବେଳେ ତାଙ୍କ ଭିଟା ମାଟିରେ ପରିବାର ଲୋକେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ଛୋଟ ଛୋଟ ପିଲାମାନଙ୍କୁ ବହି ଓ ପାଠ ପଢ଼ା ସାମଗ୍ରୀ ଦେଇ ବିଜୁବାବୁଙ୍କ ସୃତିକୁ ମନେ ପକାଇଛନ୍ତି ସମ୍ପର୍କୀୟ । ହେଲେ, ବିଜୁଙ୍କ ଜନ୍ମ ସ୍ଥାନରେ ପ୍ରଶାସନ ପକ୍ଷରୁ ବିଜୁ ଜୟନ୍ତୀ ପାଳନ କରାଯାଉନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ।

ନବୀନ ଯେତେବେଳେ ସାଂସଦ ଥିଲେ ସେ ମଧ୍ୟ ଏହି ଘରକୁ ଆସିଛନ୍ତି । ସେହି ସମୟର ଫଟୋ ସ୍ମୃତି ହୋଇ ସେଦିନର କଥାକୁ ମନେ ପକାଉଛି । କିନ୍ତୁ ବିଜୁ ବାବୁଙ୍କ ଅନେକ ସ୍ମୃତି ସହ ଜଡିତ ଥିବା ଏହି ଘରକୁ ଦେଖିଲେ ଲାଗୁଛି ସତେ ଯେମିତି ଏହା ଅଲୋଡା ହୋଇଯାଇଛି । ଏପରିକି ଏହି ଗାଁକୁ ଭଲ ରାସ୍ତା ଖଣ୍ଡେ ମଧ୍ୟ ନାହିଁ । ବିଜୁବାବୁଙ୍କ ସ୍ମୃତିକୁ ଜୀବିତ କରି ରଖିବା ପାଇଁ ହେଲେ, ତାଙ୍କ ପୈତୃକ ଗାଁରେ ବିଜୁ ବିକାଶ ନାମରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରିବା ପାଇଁ ବୁଦ୍ଧିଜୀବି ଦାବି କରିଛନ୍ତି ।