ଯଶସ୍ୱୀ ଜନନାୟକଙ୍କୁ ମନେ ପକାଉଛି ଓଡିଶା: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆଜି ୯୪ତମ ଜୟନ୍ତୀ; ରାଜ୍ୟର ସଂସ୍କୃତିଠାରୁ ଆରମ୍ଭ କରି କ୍ରୀଡ଼ା କ୍ଷେତ୍ରର ବିକାଶ ପର୍ଯ୍ୟନ୍ତ ସବୁଠି ଲମ୍ବିଛି ତାଙ୍କର ଅଭୁଲା ସ୍ୱାକ୍ଷର

ସ୍ମୃତିରେ ବିଭିନ୍ନ ସ୍ଥାନରେ ବହୁ କାର୍ଯ୍ୟକ୍ରମର ଆୟୋଜନ । ସାହିତ୍ୟ, ସାମ୍ବାଦିକତା ଓ ରାଜନୀତିରେ ଛାଡିଯାଇଛନ୍ତି ଅଭୂଲା ଛାପ

305

କନକ ବ୍ୟୁରୋ: ସଂଘର୍ଷ ଓ ସଂଘାତ ମଧ୍ୟରୁ ସୃଷ୍ଟି ହୋଇଥାନ୍ତି ଜନନେତା । ଦୂରଦୃଷ୍ଟି ଓ ଅଧ୍ୟବସାୟ ବଳରେ ସେମାନେ ଲେଖିଥାନ୍ତି ଦେଶ ଓ ଜାତିର ଇତିହାସ । ସେହିଭଳି ଜଣେ ଜନନେତା ଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ । ଗୋଟିଏ ସାଧାରଣ ପରିବାରରେ ଜନ୍ମ ନେଇ ନିଜର ଅସାଧାରଣ ବ୍ୟକ୍ତିତ୍ୱ ବଳରେ ସୃଷ୍ଟି କରିଥିଲେ ନିଜର ସ୍ୱତନ୍ତ୍ର ପରିଚୟ । ସାହିତ୍ୟ, ସାମ୍ବାଦିକତା ଓ ରାଜନୀତିରେ ସେ ଏପରି ଛାପ ଛାଡ଼ି ଯାଇଛନ୍ତି, ଯାହା ତାଙ୍କୁ ଅମର କରିଦେଇଛି । ଗରିବ ଓ ଅସହାୟ ବ୍ୟକ୍ତିଙ୍କ ଦୁଃଖ ଦୂର କରିବା ପାଇଁ ତାଙ୍କର ନିଷ୍ଠାପର ପ୍ରୟାସ ଓ ଦୂରଦୃଷ୍ଟି ସଂପନ୍ନ ପଦକ୍ଷେପ ଆଜି ବି ଉଦାହରଣ ହୋଇ ରହିଛି । ୯୪ ତମ ଜନ୍ମ ଜୟନ୍ତୀ ଅବସରରେ ଏହି ଯୋଗଜନ୍ମା ଜନନେତାଙ୍କୁ ଗଭୀର ଶ୍ରଦ୍ଧାଂଜଳି ଜଣାଉଛୁ ।

“ଉଚ୍ଚ କୁଳରେ ଜାତହେବା ଦୈବର ଅଧୀନ କିନ୍ତୁ ପୁରୁଷକାର ମୋର ଅଧୀନ’’ । ବେଣୀ ସଂହାରମ୍ ନାଟକରେ ମହାବୀର କର୍ଣ୍ଣଙ୍କ ଏହି ସଂଳାପ କେବଳ ଜାନକୀ ବଲ୍ଲଭଙ୍କ ମୂଳମନ୍ତ୍ର ନଥିଲା ବରଂ ନିଜ କର୍ମ ମାଧ୍ୟମରେ ସେ ଏହାକୁ ପ୍ରମାଣିତ କରିଥିଲେ । ଗୋଟିଏ ପଟେ ସାହିତ୍ୟ ଓ ସାମ୍ବାଦିକତା, ଅନ୍ୟପଟେ ରାଜନୀତି । ପ୍ରତିଟି କ୍ଷେତ୍ରରେ ସଫଳତାର ଶିଖର ଛୁଇଁ ପାରିଥିଲେ ସେ । ସତୁରୀ ଦଶକର ଆରମ୍ଭରେ ରାଜନୈତିକ ମଇଦାନରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ ଜାନକୀ ବଲ୍ଲଭ । ୧୯୭୧ରେ ସାଂସଦ ଭାବେ ନିର୍ବାଚିତ ହେବା ସହ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ଥିଲା ତାଙ୍କ ସଫଳତାର ପ୍ରଥମ ପାହାଚ । ୧୯୮୦ ସାଧାରଣ ନିର୍ବାଚନରେ ଓଡିଶାରେ କଂଗ୍ରେସକୁ ଯେଉଁ ସଫଳତା ଆଣିଦେଲେ ତାହା ଥିଲା ତାଙ୍କର ଚମକ୍ରାରିତା । ଜାନକୀ ବଲ୍ଲଭଙ୍କ ସାଂଗଠନିକ ଦକ୍ଷତା ଉପରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅଖଣ୍ଡ ବିଶ୍ୱାସ ରହିଥିଲା । ଶ୍ରମ, ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ବିଭାଗର ମନ୍ତ୍ରୀ ହୋଇଥିଲେ ସେ ।

ଲୋକସଭା ନିର୍ବାଚନରେ ବିପୁଳ ସଫଳତା ପରେ ହୋଇଥିଲା ଓଡିଶା ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ଜାନକୀଙ୍କ ନେତୃତ୍ୱରେ କଂଗ୍ରେସର ବିପୁଳ ବିଜୟ ହେଲା । ଜାନକୀ ପଟ୍ଟନାୟକ ବିଧାୟକ ଦଳ ନେତା ହୋଇ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିଲେ । ୧୯୮୫ରେ ମଧ୍ୟ ତାଙ୍କରି ନେତୃତ୍ୱରେ ଦଳ ବିଜୟ ଲାଭ କଲା ଓ ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ଅଳଂକୃତ ହୋଇଥିଲେ । ସେହିପରି ଜାନକୀଙ୍କ ନେତୃତ୍ୱରେ ୧୯୯୫ ବିଧାନସଭା ନିର୍ବାଚନ ଜିତି ସରକାର ଗଢିଲା କଂଗ୍ରେସ ଓ ତୃତୀୟଥର ପାଇଁ ସେ ହୋଇଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ । ୨୦୦୪ରେ ପୁଣିଥରେ ବିଧାନସଭାକୁ ନିର୍ବାଚିତ ହୋଇ ବିରୋଧୀ ଦଳ ନେତା ଏବଂ ୨୦୦୯ରୁ ୨୦୧୪ ଯାଏଁ ଆସାମର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ ।

ଓଡ଼ିଶାକୁ ଏକ ଶିଳ୍ପ ବିକାଶିତ ରାଜ୍ୟରେ ପରିଣତ କରିବାରେ ଥିଲା ଜାନକୀ ବଲ୍ଲଭଙ୍କ ବଳିଷ୍ଠ ଯୋଗଦାନ । ହଜାରେ ଦିନରେ ହଜାର ଶିଳ୍ପ ପ୍ରତିଷ୍ଠା ପାଇଁ ଦେଇଥିବା ଆହ୍ୱାନ ଯୋଗୁଁ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପର ବିପ୍ଳବ ହୋଇଥିଲା ଓଡ଼ିଶାରେ । କେବଳ ଶିଳ୍ପ ନୁହେଁ କୃଷି କ୍ଷେତ୍ରରେ ମଧ୍ୟ ସେ ଆଣିଥିଲେ ବୈପ୍ଳବିକ ପରିବର୍ତନ । ଓମଫେଡ୍ ପ୍ରତିଷ୍ଠା ହୋଇଥିଲା ୧୯୮୦ ମସିହାରେ ଯେତେବେଳେ ଜାନକୀ ପଟ୍ଟନାୟକ ପ୍ରଥମଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେହିପରି ଅଣ୍ଡା ଉତ୍ପାଦନ ବଢାଇବା ପାଇଁ ଓପୋଲଫେଡ୍ ମଧ୍ୟ ତାଙ୍କରି ସମୟରେ ଆରମ୍ଭ ହୋଇଥିଲା । ହୋଟେଲକୁ ଶିଳ୍ପର ମାନ୍ୟତା ଦେବା ସହ ସିନେମା ଶିଳ୍ପର ବିକାଶ ପାଇଁ ସ୍ଥାପନ ହୋଇଥିଲା ଓଡିଶା ଚଳଚ୍ଚିତ୍ର ଉନ୍ନୟନ ସଂସ୍ଥା ଓ କଳିଙ୍କ ଷ୍ଟୁଡିଓ ।

ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟ କରିବାକୁ ତାଙ୍କର ଯେତିକି ଉଦ୍ୟମ ଥିଲା ଗରିବଙ୍କ କଲ୍ୟାଣ ପାଇଁ ସେତିକି ଥିଲା ଦରଦ । ଆଦିବାସୀ ଓ ମରୁଡି ପ୍ରବଣ ଅଂଚଳରେ ୨ ଟଙ୍କିଆ ଚାଉଳ ଯୋଜନା ଥିଲା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବଡ କାର୍ଯ୍ୟକ୍ରମ । ଜଣେ ଦୂରଦୃଷ୍ଟି ସଂପନ୍ନ ଓ ବିଚକ୍ଷଣ ରାଜନେତା, ଜଣେ ସମାଜ ସଂସ୍କାରକ ଭାବେ ଜାନକୀ ବଲ୍ଲଭ ଯେତିକି ଜଣାଶୁଣା ଥିଲେ, ଜଣେ ସୁସାହିତ୍ୟିକ ଓ ସଂସ୍କୃତ ବିଶାରଦ ଭାବେ ଥିଲା ତାଙ୍କର ସେତିକି ଖ୍ୟାତି । ରାଜ୍ୟର କଳା, ସଂସ୍କୃତିଠାରୁ ଆରମ୍ଭ କରି କ୍ରୀଡ଼ା କ୍ଷେତ୍ରର ବିକାଶ ପର୍ଯ୍ୟନ୍ତ ସବୁଠି ଲମ୍ବିଛି ତାଙ୍କର ଅଭୁଲା ସ୍ୱାକ୍ଷର ।