କନକ ବ୍ୟୁରୋ: କାରଗିଲ ଯୁଦ୍ଧର ୨୫ ବର୍ଷ ପରେ ଭୁଲ ସ୍ୱୀକାର କଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ । ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇ ସେ ଭୁଲ ସ୍ୱୀକାର କରିଛନ୍ତି । ୧୯୯୯ରେ ଭାରତ ସହ ପାକିସ୍ତାନର ଏକ ଚୁକ୍ତି ହୋଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଏହି ଚୁକ୍ତି ହୋଇଥିଲା । ଯାହାକୁ ଇସଲାମାବାଦ ଉଲ୍ଲଂଘନ କରିଛି ବୋଲି ନୱାଜ ସରିଫ ମଙ୍ଗଳବାର ସ୍ୱୀକାର କରିଛନ୍ତି । କାରଗିିଲରେ ଜେନେରାଲ ପରଭେଜ ମୁଶାରଫଙ୍କ ଆକ୍ରମଣ ସମ୍ପର୍କରେ ସେ ଏହା କହିଛନ୍ତି । ଶାସକ ଦଳ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ ବା ପିଏମଏଲ୍-ଏନର ସଭାପତି ନିର୍ବାଚିତ ହେବା ପରେ ଦଳର ସାଧାରଣ ପରିଷଦକୁ ସମ୍ବୋଧିତ କରି ସରିଫ୍ କହିଛନ୍ତି, ୧୯୯୮ ମେ ୨୮ରେ ପାକିସ୍ତାନ ୫ଟି ପରମାଣୁ ପରୀକ୍ଷଣ କରିଥିଲା । ଏହାପରେ ବାଜପେୟୀ ସାହେବ ଏଠାକୁ ଆସି ଆମ ସହ ଚୁକ୍ତି କରିଥିଲେ, କିନ୍ତୁ ଆମେ ସେହି ଚୁକ୍ତିକୁ ଉଲ୍ଲଂଘନ କରିଥିଲୁ । ଏହା ଆମର ଭୁଲ ଥିଲା । ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଂଟନ୍ ପରମାଣୁ ପରୀକ୍ଷଣ ବନ୍ଦ କରିବା ପାଇଁ ପାକିସ୍ତାନକୁ ୫ ବିଲିୟନ ଡଲାର ପ୍ରସ୍ତାବ ଦେଇଥିଲେ କିନ୍ତୁ ସେ ମନା କରିଦେଇଥଲେ ବୋଲି କହିଛନ୍ତି ।

ନୱାଜ ସରିଫ ଆହୁରି ମଧ୍ୟ କହିଛନ୍ତି, ଯଦି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭଳି କେହି ମୋ ଆସନରେ ଥାଆନ୍ତେ, ତେବେ ସେ କ୍ଲିଣ୍ଟନଙ୍କ ପ୍ରସ୍ତାବକୁ ଗ୍ରହଣ କରିଥାନ୍ତେ ବୋଲି ଦାବି କରିଛନ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୧ ଫେବୃଆରୀ ୧୯ରେ ଲାହୋର ଚୁକ୍ତିସ୍ୱାକ୍ଷର କରିଥିଲେ । ଦୁଇ ଦେଶ ମଧ୍ୟରେ ଶାନ୍ତି ଓ ସ୍ଥିରତା ଦିଗରେ ଆଲୋଚନା ହୋଇଥିବା ଏହି ଚୁକ୍ତି ଏକ ବଡ଼ ସଫଳତାର ସଙ୍କେତ ଦେଇଥିଲା । କିନ୍ତୁ କିଛି ମାସ ପରେ ଜମ୍ମୁ-କଶ୍ମୀରର କାରଗିିଲରେ ପାକିସ୍ତାନର ଅନୁପ୍ରବେଶ ଯୋଗୁଁ କାରଗିଲ ଯୁଦ୍ଧ ଆରମ୍ଭ ହୋଇଥିଲା ।