ମନ ଜିଣିନେଲା ଜମାଟୋ ! ଦିବ୍ୟାଙ୍ଗ ଜମାଟୋ ଡେଲିଭର୍ ବଏଙ୍କୁ ଉପହାର ଦେଲା ବିଦ୍ୟୁତ୍ ଚାଳିତ ବାହନ , ସୋସିଆଲ୍ ମିଡିଆରେ ଛୁଟିଲା ପ୍ରଶଂସାର ସୁଅ ।

208

କଥାରେ ଅଛି, ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ । କିଛି ଦିନ ପୂର୍ବରୁ ସୋସିଆଲ୍ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହୋଇଥିଲା ଯାହାକୁ ସମସ୍ତେ ପ୍ରଶଂସା କରିଥିଲେ । ଭିଡିଓଟି ଥିଲା ଜଣେ ଦିବ୍ୟାଙ୍ଗ ଜମାଟୋ ବଏଙ୍କ । ଜୋମାଟୋ ଡେଲିଭରୀ ବଏ ରାମୁଙ୍କ ଗୋଡ଼ ଅଚଳ ଥିଲେ ମଧ୍ୟ ସେ ନିଜ ହାତର ସାହାଯ୍ୟରେ ଟ୍ରାଇ ସାଇକେଲ ଚଳାଇ ଫୁଡ୍ ଡେଲିଭର କରୁଥିବା ଦେଖାଯାଇଥିଲା ।

ଏହାର ଭିଡିଓ ହନି ଗୋଏଲ ନାମକ ଜଣେ ଟୁଇଟର ବ୍ୟବହାରକାରୀ ସେୟାର କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା । ଭିଡିଓରେ ରାମୁ ଟ୍ରାଇ ସାଇକେଲ ଚଳାଇବା ସହ ଆଗରେ ଫୁଡ୍ ପ୍ୟାକେଟ ରଖି ଥିବା ଦେଖାଯାଇଥିଲା । ଏହି ଭିଡିଓ ଦେଖିବା ପରେ ସମସ୍ତେ ଜୋମାଟୋର ପ୍ରୟାସକୁ ସଲାମ ମଧ୍ୟ କରିଥିଲେ । ସାଧାରଣତଃ ଦିବ୍ୟାଙ୍ଗମାନେ କିଛି କରି ପାରିବେ ନାହିଁ ବୋଲି ଲୋକେ ଭାବିଥାନ୍ତି । କିନ୍ତୁ ଦିବ୍ୟାଙ୍ଗମାନଙ୍କୁ ଏଭଳି କାର‌୍ୟ୍ୟକ୍ଷମ କରିଥିବାରୁ ଲୋକେ ଜୋମାଟୋକୁ ଖୁବ୍ ପ୍ରଶଂସା କରିଥିଲେ ।

ତେବେ ସେତେବେଳେ ସେହି ଜମାଟୋ ବଏଙ୍କୁ ଲୋକମାନେ ପ୍ରଶଂସା କରିଥିବା ବେଳେ ଏବେ ଜମାଟୋକୁ ଖୁବ୍ ପ୍ରଶଂସା କରୁଛନ୍ତି । ଦିବ୍ୟାଙ୍ଗ ଯୁବକଙ୍କ ପରିଶ୍ରମକୁ ଦେଖି ଏବଂ ଲୋକଙ୍କ ପ୍ରେମକୁ ଦେଖି ଜମାଟୋ ତରଫରୁ ସୋସିଆଲ୍ ମିଡିଆରେ ଏନେଇ ଧନ୍ୟବାଦ ଦିଆଯାଇଥିଲା । ଏହାସହ ଜମାଟୋର ଫାଉଣ୍ଡର ଦିପିନ୍ଦର୍ ଗୋଏଲ୍ ନିଜ ଟ୍ୱିଟର ଆକାଉଣ୍ଟରେ ଉକ୍ତ ଯୁବକଙ୍କୁ ଜମାଟୋ ତରଫରୁ ଇଲେକ୍ଟ୍ରିକ୍ ବାହନ ଦେବା କଥା କହିଛନ୍ତି ।