କରୋନା ଚିକିତ୍ସାରେ କାମ ଦେଉନି ରେମଡେସିଭିର୍ : ବିଶ୍ୱସ୍ୱାସ୍ଥ୍ୟ ସଂଗଠନ କହିଲା ସଂକ୍ରମଣ କମାଉନି, କି ଗୁରୁତର ରୋଗୀଙ୍କ ଜୀବନ ବଂଚାଇବାରେ ହେଉନାହିଁ ସଫଳ

୩୦ ଦେଶରେ ପରୀକ୍ଷା ରିପୋର୍ଟ ଅନୁଧ୍ୟାନ କରି ହୁ ଦେଲା ସୂଚନା

130

କନକ ବ୍ୟୁରୋ : କୋଭିଡ୍ ଚିକିତ୍ସାରେ ରେମଡେସିଭିର୍ ବିଫଳ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ ର ବ୍ୟାପକ ପରୀକ୍ଷଣ ରିପୋର୍ଟରୁ ଜଣାପଡିଛି ଯେ କରୋନା ଚିକିତ୍ସାରେ ବ୍ୟବହାର ହୋଇଥିବା ରେମଡେସିଭିର ଆଦୌ ଫଳ ପ୍ରଦ ହୋଇ ନାହିଁ । ଏହା ସଂକ୍ରମଣ କମାଇବାରେ ସଫଳ ହେଉ ନାହିଁ କିମ୍ବା ଗୁରୁତର ରୋଗୀଙ୍କ ଜୀବନ ବଂଚାଇବା କ୍ଷେତ୍ରରେ ମଧ୍ୟ ସହାୟକ ହୋଇପାରୁନି ବୋଲି ହୁ ପକ୍ଷରୁ କୁହାଯାଇଛି ।

ହୁ ପକ୍ଷରୁ କରାଯାଇଥିବା ଟ୍ରାଏଲରେ ରେମଡେସିଭିର ରିପୋର୍ଟ ଅତ୍ୟନ୍ତ ନୈରାଶ୍ୟଜନକ ଥିବା କୁହାଯାଇଛି । ଏହି ଔଷଧ ଏବଂ ଟିକାକୁ ନେଇ ବ୍ୟାପକ ଚର୍ଚ୍ଚା ହେଉଥିବାବେଳେ ଅସଲରେ ଏହାର ଉପଯୋଗିତା ବହୁତ କମ୍ ବୋଲି ହୁ କହିଛି । ଆମେରିକା ଔଷଧ କମ୍ପାନୀ ଗିଲିୟନ ସାଇନ୍ସେସ ଦ୍ୱାରା ରେମଡେସିଭିର ଇବୋଲାର ଚିକିତ୍ସା ପାଇଁ ବିକଶିତ କରାଯାଇଥିଲା । ଏବେ ଏହାକୁ କରୋନା ଚିକିତ୍ସା ପାଇଁ ବ୍ୟବହାର କରାଯାଉଛି । ନିକଟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମିତ ହୋଇଥିବାବେଳେ ତାଙ୍କୁ ଏହି ଔଷଧ ଦିଆଯାଇଥିଲା । ତେବେ ହୁ ରିପୋର୍ଟ ଆସିବା ପରେ ନିର୍ମାତା କମ୍ପାନୀର ଚିନ୍ତା ବଢ଼ି ଯାଇଛି ।

ଭାରତରେ ମଧ୍ୟ ରେମଡେସିଭିର ଏବଂ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ବ୍ୟବହାରକୁ ନେଇ ଦ୍ୱନ୍ଦ୍ୱ ରହିଛି । ରେମଡେସିଭିର ସମେତ ୪ଟି ଔଷଧର ପରୀକ୍ଷଣ ୩୦ରୁ ଅଧିକ ଦେଶରେ ୧୧ ହଜାର ୨୬୬ ଜଣ ରୋଗୀଙ୍କଠାରେ କରାଯାଇଥିଲା । ପରୀକ୍ଷା କରାଯାଇଥିବା ଔଷଧ ଗୁଡିକ ହେଉଛି ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍, ଏଂଟି- ଏଚଆଇଭି ଡ୍ରଗ ଲୋପିନାଭିର/ ରେଟୋନାଭିର ଏବଂ ଇଂଟରଫେରାନ୍ । ଏହି ସମସ୍ତ ଔଷଧ ପରୀକ୍ଷଣରେ ବିଫଳ ହୋଇଥିବା ହୁ କହିଛି ।