କନକ ବ୍ୟୁରୋ : ଆଇପିଏଲ ମିନି ନିଲାମୀ ପାଇଁ ବାଜିଛି ବିଗୁଲ । ନିଲାମ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜ ମାନେ କିଛି ଖେଳାଳୀଙ୍କୁ ରିଲିଜ କରିଥିବା ବେଳେ କିଛି ଖେଳାଳୀଙ୍କୁ ଦଳରେ ରଖିଛନ୍ତି । ୧୦ଟି ଫ୍ରାଞ୍ଚାଇଜ ୭୭ ଜଣ ଖେଳାଳୀଙ୍କୁ ରିଲିଜ କରିଥିବା ବେଳେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଖେଳାଳୀଙ୍କୁ ପୁଣିଥରେ ନିଲାମୀରେ ଦେଖିବାକୁ ମିଳିପାରେ । ତେବେ ରିଟେନ୍ସନ ପ୍ରକ୍ରିୟା ପୂର୍ବରୁ ଆଇପିଏଲରୁ ସନ୍ନ୍ୟାସ ନେଇଛନ୍ତି ମୁମ୍ବାଇର ଇଣ୍ଡିଆନ୍ସର ଷ୍ଟାର ଅଲରାଉଣ୍ଡର କିରଣ ପୋଲାର୍ଡ । ସେହିଭଳି ପଞ୍ଜାବ ଓ ହାଇଦ୍ରାବାଦ ଯଥାକ୍ରମେ ନିଜ ଦଳର ଅଧିନାୟକଙ୍କୁ ରିଲିଜ କରିଛନ୍ତି । ଚେନ୍ନାଇ ବଡ ଚେହେରା ଭାବେ ବ୍ରାଭୋଙ୍କୁ ରିଲିଜ କରିଥିବା ବେଳେ ସାମ ବିଲିଙ୍ଗସ୍, ଆଲେକ୍ସ ହେଲ୍ସ ଓ ପାଟ କମିନ୍ସ ନିଜ ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲରୁ ନିଜକୁ ଦୂରେଇ ରଖିଛନ୍ତି । ଏସବୁ ଭିତରେ ଖେଳାଳୀଙ୍କୁ ରିଲିଜ କରିବା ପରେ କେଉଁ ଟିମ୍ ପର୍ସରେ କେତେ ଟଙ୍କା ରହିଲା ଓ କେତେ ଖେଳାଳୀଙ୍କୁ ନିଲାମ ପ୍ରକ୍ରିୟାରେ କିଣି ପାରିବେ ତାହାର ବିବରଣୀ ଏବେ ସାମ୍ନାକୁ ଆସିଛି ।

Advertisment

ମିନି ନିଲାମୀ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ପାଖରେ ସର୍ବାଧିକ ୪୨.୨୫ କୋଟି ଟଙ୍କା ରହିଛି । କାରଣ ସନରାଇର୍ଜସ ହାଇଦ୍ରାବାଦ ଅଧିନାୟକ କେନ୍ ୱିଲିୟମସନ ଓ ନିକୋଲାସ ପୁରନଙ୍କ ଭଳି ଦୁଇ ଦାମୀ ଖେଳାଳୀଙ୍କୁ ରିଲିଜ କରିଛି । କେନ୍ ୱିଲିୟମସନଙ୍କୁ ୧୪ କୋଟିରେ ଦଳ ରିଟେନ ରଖିଥିବା ବେଳେ ଓ ନିକୋଲାସ ପୁରନଙ୍କୁ ୧୦.୭୫ କୋଟିରେ ନିଲାମରେ କିଣିଥିଲା ଦଳ । ସେହିଭଳି ଦ୍ୱିତୀୟ ସର୍ବାଧିକ ଟଙ୍କା ପଞ୍ଜାବ କିଙ୍ଗସ ପାଖରେ ରହିଛି । ପଞ୍ଜାବ ଅଧିନାୟକ ମୟଙ୍କ ଅଗ୍ରୱାଲ ଓ ଓଡେନ ସ୍ମିଥଙ୍କ ଭଳି ଷ୍ଟାର ଖେଳାଳୀଙ୍କୁ ଦଳରୁ ରିଲିଜ କରିଛି । ଆଉ ଏହାସହ ଦଳ ନିଲାମୀ ପୂର୍ବରୁ ୩୨.୨୦ କୋଟି ଟଙ୍କା ନିଜ ପାଖରେ ରଖିଛି । ସେହିଭଳି ଲକ୍ଷ୍ନୌ ସୁପର ଜାଏଣ୍ଟସ ୨୩.୩୫ କୋଟି ଟଙ୍କା ରଖି ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି । ଲକ୍ଷ୍ନୌ ମନୀଷ ପାଣ୍ଡେ, ଜାସନ ହୋଲଡର, ଇଭିନ ଲୁଇସ, ଦୁଷ୍ମନ୍ତ ଚାମିରାଙ୍କ ଭଳି ଖେଳାଳୀଙ୍କୁ ଦଳରୁ ରିଲିଜ କରିଛି ।

publive-imageସେହିଭଳି ତାଲିକାର ଚତୁର୍ଥ ସ୍ଥାନରେ ମୁମ୍ବାଇ ରହିଛି । ପୋଲାର୍ଡଙ୍କ ଭଳି ଷ୍ଟାର ଅଲରାଉଣ୍ଡରଙ୍କୁ ଦଳ ରିଲିଜ୍ କରିଛି । ସେହିଭଳି ଚଳିତ ନିଲାମୀ ପୂର୍ବରୁ ମୋଟ ୧୩ ଜଣ ଖେଳାଳୀଙ୍କୁ ରିଲିଜ୍ କରି ନିଜ ପର୍ସରେ ୨୦.୫୫ କୋଟି ଟଙ୍କା ରଖିଛି ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ । ତାଲିକାର ପଞ୍ଚମ ସ୍ଥାନରେ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ରହିଛି । ବ୍ରାଭୋଙ୍କ ସମେତ ୭ ଜଣ ଖେଳାଳୀଙ୍କୁ ରିଲିଜ କରି ଦଳ ୨୦.୪୫ କୋଟି ଟଙ୍କା ନିଜ ପର୍ସରେ ରଖିଛି । ୧୯.୪୫ କୋଟି ସହ ତାଲିକାର ଷଷ୍ଠ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍ସ ଥିବା ବେଳେ ଗୁଜୁରାଟ ଟାଇଟନ୍ସ ୧୯.୨୫ କୋଟି ପର୍ସରେ ରଖିବା ସହ ତାଲିକାର ସପ୍ତମ ସ୍ଥାନରେ ରହିଛି । ସେହିଭଳି ରାଜସ୍ଥାନର ପର୍ସରେ ୧୩.୨ କୋଟି ସହ ଅଷ୍ଟମରେ ରହିଛି । ଅନ୍ୟପଟେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିକ ଖେଳାଳୀଙ୍କୁ ରିଲିଜ୍ କରିନାହିଁ ।ଯେଉଁଥିପାଇଁ ୮.୭୫ କୋଟି ରଖି ତାଲିକାର ନବମ ସ୍ଥାନରେ ରହିଛି । କୋଲକାତା ଅଧିକ ଖେଳାଳୀଙ୍କୁ ରିଲିଜ କରିଥିଲେ ମଧ୍ୟ ଦାମୀ ଖେଳାଳୀଙ୍କୁ ରିଲିଜ କରିନାହିଁ । ଫଳରେ କୋଲକାତା ପର୍ସରେ ୭.୦୫ କୋଟି ସହ ତାଲିକାର ଦଶମ ସ୍ଥାନରେ ରହିଛନ୍ତି ।
ଡିସେମ୍ବରରେ ହେବାକୁ ଥିବା ମିନି ନିଲାମୀରେ ପ୍ରତି ଫ୍ରାଞ୍ଚାଇଜର ଖାତାରେ ୫ କୋଟି ଅଧିକ ଯୋଡାଯିବ । ଏବେ ପର୍ଯ୍ୟନ୍ତ ଟିମ୍ ଗୁଡିକ ୯୦ କୋଟି ଖର୍ଚ୍ଚ କରି ପାରୁଥିଲେ କିନ୍ତୁ ଏଣିକି ୯୫ କୋଟି ନିଲାମୀରେ ଖର୍ଚ୍ଚ କରିପାରିବେ । ଖୁବଶୀଘ୍ର ମିନି ନିଲାମ ପାଇଁ ତାରିଖ ଘୋଷଣା ହେବ ।