କାଲିଠୁ ମହାରାଷ୍ଟ୍ରରେ ଖୋଲିବ ମନ୍ଦିର-ମସଜିଦ: ଗାଇଡଲାଇନ ଜାରି କଲେ ଉଦ୍ଧବ ସରକାର; ଧାର୍ମିକ ସ୍ଥଳ ପ୍ରବେଶ ପାଇଁ ମାସ୍କ ଜରୁରୀ, ନିୟମିତ ବିଶୋଧନ ଓ ସାମାଜିକ ଦୂରତା ବାଧ୍ୟତାମୂଳକ

119

କନକ ବ୍ୟୁରୋ: କରୋନା କାଳରେ ମହାରାଷ୍ଟ୍ରରେ  ଆସନ୍ତାକାଲିଠାରୁ ଖୋଲିବ ଧାର୍ମିକ ସ୍ଥଳ । ଶ୍ରଦ୍ଧାଳୁ, ଭକ୍ତ ମନ୍ଦିର, ମସଜିଦ, ଗୀର୍ଜା ଯାଇ ଉପାସନା, ଆରାଧନା ପୂଜାର୍ଚ୍ଚନା କରିପାରିବେ । ଏନେଇ ଉଦ୍ଧବ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । କୋଭିଡ ନିୟମ ପାଳନ ସହ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ସମସ୍ତ ଧାର୍ମିକ ସ୍ଥଳ ପାଇଁ ଗୋଟିଏ ନିୟମ ରହିବ । ନିୟମିତ ସାନିଟାଇଜେସନ, ସାମାଜିକ ଦୂରତା ରକ୍ଷା ଅନିବାର୍ଯ୍ୟ ହେବ ।

ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଜୟନ୍ତି ପାଟିଲ କହିଛନ୍ତି, ଠିକ ସମୟରେ ରାଜ୍ୟର ସମସ୍ତ ମନ୍ଦିର ଖୋଲିବାକୁ ନିଷ୍ପତି ନିଆଯାଇଛି । ମହାରାଷ୍ଟ୍ରରେ ଗତ କିଛି ମାସ ହେଲା ମନ୍ଦିର ଖୋଲିବା ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଥିଲା । ଏପରି କି ମନ୍ଦିର ଖୋଲିବା ପାଇଁ ପୂଜାରୀ, ପଣ୍ଡିତ ଆନ୍ଦୋଳନ ମଧ୍ୟ କରିଥିଲେ । ସେପଟେ ଧାର୍ମିକସ୍ଥଳ ଖୋଲିବା ପାଇଁ ଉଦ୍ଧବ ସରକାର ନେଇଥିବା ନିଷ୍ପତିକୁ ସ୍ଥାନୀୟ ବାସିନ୍ଦା ସ୍ୱାଗତ କରିଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜୁନ୍ ୮ ତାରିଖରୁ ଭାରତରେ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ଦେଇଥିବା ବେଳେ ମହାରାଷ୍ଟ୍ର ସରକାର ଏହା ବିରୋଧରେ ନିଷ୍ପତ୍ତି ନେଇଥିଲେ। ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତିକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହାକୁ ପ୍ରତିବାଦ କରାଯାଉଥିଲା।

ମନ୍ଦିର ଖୋଲିବାକୁ ବିଜେପି ଏବଂ ସାଧୁସନ୍ଥମାନମାନେ କ୍ରମାଗତ ଭାବରେ ଦାବି କରିଆସୁଥିଲେ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ମନ୍ଦିର ଅର୍ଥନୀତିର କ୍ଷତି ଉପରେ ଆଲୋକପାତ କରିଥିଲେ। ଏପରିକି ମହାରାଷ୍ଟ୍ର ରାଜ୍ୟପାଳ ବି ଧାର୍ମିକସ୍ଥଳ ଖୋଲିବା ଲାଗି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ଖାଲି ସେତିକି ନୁହେଁ, ଅକ୍ଟୋବର ୧୩ ତାରିଖରେ ମୁମ୍ବାଇର ସିଦ୍ଧବିନାୟକ ମନ୍ଦିର ଏବଂ ଶିରିଡ଼ିର ସାଇବାବା ମନ୍ଦିର ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ପ୍ରସଙ୍ଗ ଉଠାଇବା ପାଇଁ ଆଚାର୍ଯ୍ୟ ତୁଷାର ଭୋସଲେଙ୍କ ସମେତ ସାଧୁ ସମ୍ପ୍ରଦାୟର ପ୍ରତିନିଧିମାନେ ଅକ୍ଟୋବର ୨୮ ତାରଖରେ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଥିଲେ।