ଆଜିଠୁ ରିଲିଫ୍ ବଣ୍ଟନ ଆରମ୍ଭ । ରାଜନୈତିକ ପ୍ରଭାବରୁ ମୁକ୍ତ ରହିବା ପାଇଁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

170

କନକ ବ୍ୟୁରୋ : ଆସନ୍ତାକାଲିଠାରୁ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ କଟକ ଜିଲ୍ଲାରେ ରିଲିଫ ବଣ୍ଟନ ଆରମ୍ଭ ହେବ । ତିନିଦିନ ଭିତରେ ଏହି କାର୍ଯ୍ୟ ସରିବ । ତେବେ ରିଲିଫ ବଣ୍ଟନ ସମୟରେ ରାଜ‌େନୖତିକ ଦଳ ପ୍ରଭାବରୁ ମୁକ୍ତ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ସଚିବାଳୟରେ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ କଟକ ଜିଲ୍ଲାର ବାତ୍ୟା ପରବର୍ତୀ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମୀକ୍ଷା କରିଥିଲେ । ରିଲିଫ ବଣ୍ଟନ କାର୍ଯ୍ୟ ସଂପୂର୍ଣ୍ଣ ସ୍ବଚ୍ଛ ଭାବେ ପରିଚାଳନା କରି ପ୍ରତ୍ୟେକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର କାର୍ଡଧାରୀଙ୍କୁ ରିଲିଫ ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷା ବୈଠକରେ ଏହି ୩ଟି ଜିଲ୍ଲାରେ ବିଦ୍ୟୁତ୍‌ ଓ ଜଳଯୋଗାଣ ପରିସ୍ଥିତି ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।

ବୈଠକର ସୂଚନାନୁସାରେ ଏହି ୩ଟି ଜିଲ୍ଲାରେ ଜଳଯୋଗାଣ ପରିସ୍ଥିତିରେ ଉନ୍ନତି ଆସିଛି । ସେହିପରି କେନ୍ଦ୍ରାପଡ଼ାରେ ୩ ଦିନ ଭିତରେ ଓ ଜଗତ୍‌ସିଂହପୁର ଜିଲ୍ଲାରେ ୭ ଦିନ ମଧ୍ୟରେ ବିଜୁଳି ଯୋଗାଣ ସ୍ବାଭାବିକ ହେବ । କଟକରେ ବିଦ୍ୟୁତ୍‌ ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟ ଆଗେଇ ଚାଲିଛି । ଖୁବଶୀଘ୍ର ପରିସ୍ଥିତି ସ୍ବାଭାବିକ ହେବ ବୋଲି ବୈଠକରେ ଜିଲ୍ଲାପାଳ ସୂଚନା ଦେଇଥ‌ିଲେ । ଭିଡିଓ କନ୍‌ଫରେନ୍ସିଂ ଯୋଗେ ଅନୁଷ୍ଠିତ ଏହି ସମୀକ୍ଷା ବେ‌ୖଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ଅସିତ ତ୍ରିପାଠୀ, ଶକ୍ତି ବିଭାଗର ସଚିବ ହେମନ୍ତ ଶର୍ମା ପ୍ରମୁଖ ଅଧିକାରୀ ୩ଟି ଜିଲ୍ଲା ଦାୟିତ୍ବରେ ଥିବା ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।