କମ୍ପ୍ୟୁଟରରେ ଅଧିକ ସମୟ ବସି କାମ କରୁଛନ୍ତି କି ? ଆପଣାନ୍ତୁ ଏହି ଉପାୟ ଯାହାଦ୍ୱାରା ଆଖି ଜଳିବା ବନ୍ଦ ହେବ ।

113

ବର୍ତ୍ତମାନ ଟେକ୍ନୋଲୋଜିର ସମୟ । ପ୍ରତ୍ୟେକ କାମରେ ଟେକ୍ନୋଲୋଜିର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି । କାର୍ୟ୍ୟାଳୟଠାରୁ ଆରମ୍ଭ କରି ସମସ୍ତ କାମରେ କମ୍ପ୍ୟୁଟର ବ୍ୟବହାର କରାଯାଉଛି । ଏଥିସହ ମୋବାଇଲର ବ୍ୟବହାରରେ ମଧ୍ୟ ବୃଦ୍ଧି ଘଟିଛି । ଏହା ଦ୍ୱାରା ଆଖି ଉପରେ ଖରାପ ପ୍ରଭାବ ପଡୁଛି । ଅତ୍ୟଧିକ କମ୍ପ୍ୟୁଟର ଓ ମୋବାଇଲର ବ୍ୟବହାର ଯୋଗୁଁ ଆଖିରେ ଥକାପଣ, ଆଖି ପୋଡିବା, ମୁଣ୍ଡ ବିନ୍ଧା ପରି ଅନେକ ସମସ୍ୟା ଦେଖାଯାଇଥାଏ । କିନ୍ତୁ ଏପରି କିଛି କୌଶଳ ଅଛି ଯାହା ଦ୍ୱାରା କିଛି ପରିମାଣରେ ଆଖିର ଥକାପଣ ଦୂର ହୋଇ ପାରିବ । ଆସନ୍ତୁ ଜାଣିବା କିପରି କରିବେ ଆଖିର ଥକାପଣ ଦୂର ହୋଇପାରିବ :
କାମ କରିବା ସମୟରେ ଆଖି ଥକା ଲାଗୁଥିଲେ ଆଖିକୁ ଆରାମ ଦେଇପାରିବେ । ପ୍ରଥମେ ଦୁଇ ପାପୁଲିକୁ ଘସି ଆଖି ଉପରେ ରଖନ୍ତୁ । ଧ୍ୟାନ ରଖନ୍ତୁ ଯେପରି ଆଖି ଉପରେ ପାପୁଲିର ଚାପ ନପଡେ । କିଛି ସମୟ ପରେ ପାପୁଲିକୁ ଆଖି ଉପରୁ ଉଠାଇ ଆଖିକୁ ଧୀରେ ଧୀରେ ଖୋଲନ୍ତୁ । ଏହା କରିବା ଦ୍ୱାରା ଆଖିକୁ ତୁରନ୍ତ ଆରାମ ମିଳିଥାଏ । ଲଗାତାର କାମ କରିବା ଫଳରେ ଯଦି ଆଖିରେ ଥକାପଣ ଅନୁଭବ ହୋଇଥାଏ । ତେବେ କିଛି ସେକେଣ୍ଡ ପାଇଁ ୧୦-୧୨ ଥର ଆଖିପତାକୁ ପକାନ୍ତୁ ଏବଂ ଏହା ପରେ ଆଖିକୁ ଶୀଘ୍ର ବନ୍ଦ କରିଦିଅନ୍ତୁ । ଆଖି ଉପରେ ପାପୁଲି ରଖି ଆଖିକୁ ବାମରୁ ଡାହାଣ ଏବଂ ଡାହାଣରୁ ବାମକୁ ଘୂରାନ୍ତୁ । ୪-୫ ଥର ଏପରି କରିବା ପରେ ଆଖିକୁ ସ୍ୱାଭାବିକ ରଖନ୍ତୁ । ଏହାପରେ ଆଖିକୁ ଉପରୁ ତଳକୁ ଏବଂ ତଳୁ ଉପରକୁ ଘୂରାନ୍ତୁ । ଏହାପରେ ଆଖିକୁ ସ୍ୱାଭାବିକ କରି ପରେ କ୍ଲକୱାଇଜ ଏବଂ ଆଂଟି କ୍ଲକ ୱାଇଜରେ ଘୂରାନ୍ତୁ ।
ସିଧା ବସି ଏକ ପଏଂଟ ଉପରେ ଆଖିକୁ କେନ୍ଦ୍ରିତ କରନ୍ତୁ । ଅଧିକ ଚାପ ନପକାଇ ଏହି ପଏଂଟରେ ଆଖିକୁ କେନ୍ଦ୍ରିତ କରି ରଖନ୍ତୁ । ଆପଣ ଯେତେ ସମୟ ଏହି ପଏଂଟରେ ଆଖିକୁ କେନ୍ଦ୍ରିତ ପରିପାରିବେ ସେ ପର୍ୟ୍ୟନ୍ତ ଆଖିର ପତାକୁ ପକାନ୍ତୁ ନାହିଁ । ଏହି ସମୟରେ ପ୍ରଶ୍ୱାସ ସ୍ୱାଭାବିକ ଭାବେ ନିଅନ୍ତୁ । କିଛି ସମୟପରେ ସାମାନ୍ୟ ଅବସ୍ଥାକୁ ଫେରି ଆସନ୍ତୁ । ଟ୍ରାଟକ ଏପରି ଏକ କୌଶଳ ଯାହା ଆଖିକୁ ଆରାମ ଦେଇଥାଏ, ଆଇ ସାଇଟ ମଜବୁତ କରିଥାଏ ଏବଂ ଆଖିକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଶକ୍ତି ଦେଇଥାଏ । ଏହା କରିବା ଦ୍ୱାରା ଆଖି ସହିତ ମନର ଏକାଗ୍ରତା ମଧ୍ୟ ବୃଦ୍ଧି ହୋଇଥାଏ ।ଶବାସନରେ ଶରୀରକୁ ଆରାମ ମିଳିବା ସହିତ ଆଖିର ଥକାପଣଙ୍କକୁ ମଧ୍ୟ ଦୂରେଇବା ପାଇଁ ସାହାଯ୍ୟ କରିଥାଏ । ଏହାକୁ କରିବା ପାଇଁ ପ୍ରଥମେ ପିଠିରେ ସିଧା ଶୋଇଯାଆନ୍ତୁ । ଏହାପରେ ହାତ ଏବଂ ଗୋଡକୁ ସିଧା ରଖି ଢିଲା ଛାଡନ୍ତୁ । ଶରୀରକୁ ସ୍ଥିର ରଖନ୍ତୁ । ଏହା କରିବା ଦ୍ୱାରା ଆଖିକୁ ଆରାମ ମିଳିବା ସହିତ ସତେଜତା ଅନୁଭବ ହୋଇଥାଏ । ଆଖିର ଯତ୍ନ ପାଇଁ ଏହି ଆସନକୁ ପ୍ରତ୍ୟେକ ଦିନ କରନ୍ତୁ ନିଜ ସୁବିଧା ହିସାବରେ କରନ୍ତୁ ଏବଂ ଏହାସହ ଭଲ ଭାବେ ଶୁଅନ୍ତୁ ।