କରୋନା ଭାଇରସରେ କଲବଲ ଚୀନବାସୀ । ଉହାନରେ ଫସିଥିବା ଶହେ ଭାରତୀୟଙ୍କ ସ୍ୱଦେଶ ଫେରିବା ନେଇ ଦେଖା ଦେଲାଣି ବଡ ସଂକଟ । ଭାରତୀୟ ବିମାନକୁ ପ୍ରବେଶ ପାଇଁ ଅନୁମତି ଦେଉନି ଚୀନ ପ୍ରଶାସନ

452

କନକ ବ୍ୟୁରୋ: କରୋନା ବଳୟରେ ସାଂଘାତିକ ଭାବେ ଫସିଛି ଚୀନ । ଏପରି ସ୍ଥିତିରେ ଉହାନରେ ଫସିଥିବା ୧୦୦ ଭାରତୀଙ୍କୁ କିପରି ସ୍ୱଦେଶ ଅଣାଯିବ ତାକୁ ନେଇ ଦେଖା ଦେଲାଣି ବଡ ସଂକଟ । ଜାଣିଶୁଣି ଗୋଟିଏ ପଟେ ଭାରତୀୟ ବାୟୁସେନା ବିମାନକୁ ଚୀନରୁ ମିଳୁନି ଅନୁମତି । ସେପଟେ ଭାରତ ଫେରିବା ଆଶାରେ ଉହାନରେ ଅଛନ୍ତି ୧୦୦ ଭାରତୀୟ ।

ସୂଚନା ଅନୁସାରେ ଚୀନ ପ୍ରଶାସନ ଉହାନ ଯିବାକୁ ଭାରତୀୟ ବାୟୁସେନା ବିମାନକୁ ଅନୁମତି ଦେବାରେ ଜାଣିଶୁଣି ସମୟ ଗଡାଇ ଚାଲିଛି । ପୂର୍ବନିଷ୍ପତି ଅନୁସାରେ ଭାରତୀୟ ବାୟୁସେନା ବିମାନ ସି ସତର ଗ୍ଲୋବମାଷ୍ଟର ଗତ ୨୦ ତାରିଖରେ ଉଡାଣ ନେବାର ଥିଲା । ହେଲେ ଅନୁମତି ମିଳିନଥିବାରୁ ଏହା ନୂଆଦିଲ୍ଲୀରୁ ଉଡାଣ ନେଇପାରିନି । ଚୀନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨ ଶହ ଟପି ସାରିଲାଣି । ଆକ୍ରାନ୍ତ ସଂଖ୍ୟା ୪୫ ହଜାର ୩୪୬ ରହିଛି । ପ୍ରକୃତରେ କରୋନା ପ୍ରବଣ ଅଂଚଳ ଉହାନ ପାଇଁ ଭାରତ ଏହି ବିମାନରେ ଔଷଧ ବି ପଠାଇବ । ସେଠାରେ ଥିବା ଭାରତୀୟଙ୍କୁ ବି ସ୍ୱଦେଶ ଆଣିବ ।

ରାଜନୈତିକ କାରଣରୁ ବିମାନ ଚୀନକୁ ଯିବା ନେଇ ଚୀନରୁ ମିଳିପାରୁନି ଅନୁମତି । ଏସବୁ ଭିତରେ ଭାରତର ସହାୟତା ଓ ଚୀନରୁ ଭାରତୀୟଙ୍କୁ ସ୍ୱଦେଶ ଆଣିବା ପ୍ରକ୍ରିୟା ବି ଫସିରହିଛି । ସେପଟେ ଏପରି ଅଭିଯୋଗକୁ ଖଣ୍ଡନ କରିବା ସହ ଦୁଇ ଦେଶର ଅଧିକାରୀ ଏନେଇ ଆଲୋଚନା କରିବାକୁ ବେଜିଂ କହିଛି । ଏଠାରେ ସୂଚନା ଦିଆଯାଇପାରେ ଏୟାର ଇଣ୍ଡିଆ ବିମାନ ଦୁଇ ଥରରେ ଚୀନରୁ ୬୪୦ ଭାରତୀୟଙ୍କୁ ସ୍ୱଦେଶ ଆଣି ସାରିଛି ।