କରୋନାକୁ ନେଇ ଆଶ୍ୱସ୍ତି । ଦେଶ ଓ ରାଜ୍ୟରେ ଲଗାତର କମୁଛି ସଂକ୍ରମଣ

195

କନକ ବ୍ୟୁରୋ: ଦେଶରେ ତଳମୁହାଁ କରୋନା ସଂକ୍ରମଣ । ୨୪ ଘଂଟାରେ ୩ ଲକ୍ଷ ୬ ହଜାର ୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ୨୭ ହଜାର ୪୬୯ ଜଣ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ୨୪ ଘଂଟାରେ ମୋଟ୍ ୩ ଲକ୍ଷ ୩୩ ହଜାର ୫୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିଛିଦିନ ହେଲା ଦେଶରେ କରୋନା ସଂକ୍ରମଣ ତଳମୁହାଁ ହୋଇଛି ।

ଗତ ୨୪ ଘଂଟା ଭିତରେ ୨ ଲକ୍ଷ ୪୩ ହଜାର ୪୯୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ଦୈନିକ ସଂକ୍ରମଣ ହାର ୨୦.୭୫ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୧୭.୦୩ ପ୍ରତିଶତ ରହିଛି । ସେହିପରି ଦେଶରେ ଏବେ ୨୨ ଲକ୍ଷ ୪୯ ହଜାର ୩୩୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଦେଶରେ ସକ୍ରିୟ ଆକ୍ରାନ୍ତ ୫.୬୯ ପ୍ରତିଶତ ଥିବା ବେଳେ ସୁସ୍ଥ ହାର ୯୩.୦୭ ପ୍ରତିଶତ ରହିଛି । ଗତ ଗୁରୁବାରଠାରୁ କରୋନା ଗ୍ରାଫ୍ ଧିରେଧିରେ ତଳକୁ ଖସୁଥିବା ଦେଖା ଯାଉଛି । ଅନୁମାନ କରାଯାଉଛି କେତେକ ସହରରେ କରୋନା ପିକ୍ ଛୁଇଁ ତଳକୁ ଖସିବା ଆରମ୍ଭ କରିଥିବାବେଳେ ଆଉ କେତେକ ସହରରେ ପିକ୍ ଆସିବା ଆହୁରି ବାକି ରହିଛି ।

ରାଜ୍ୟରେ ବି ଲଗାତର ସଂକ୍ରମଣ ହ୍ରାସ ପାଇପାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୭ ହଜାର ୨୯୧ ପଜିଟିଭ୍ ହୋଇଛନ୍ତି । ଗତକାଲି ତୁଳନାରେ ଆଜି ୧୨୨୯ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ରାଜ୍ୟରେ ୮ ହଜାର ୫୨୦ ମାମଲା ଆସିଥିଲା । ଏବେ ରାଜ୍ୟରେ ସକ୍ରିୟ ମାମଲା ୮୧ ହଜାର ୭୬୫ରେ ପହଂଚିଲାଣି । ଗତ ୨୪ ଘଂଟାରେ ଖୋର୍ଦ୍ଧାରୁ ସର୍ବାଧିକ ୧୭୦୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୬୪୬, କଟକରୁ ୫୬୧, ବାଲେଶ୍ୱରରୁ ୩୪୩ ନୂଆ ମାମଲା ଆସିଛି । ସେହିପରି ରାୟଗଡ଼ାରୁ ୨୯୫, ସୋନପୁରରୁ ୨୮୨, ମୟୂରଭଂଜରୁ ୨୨୯, ବଲାଙ୍ଗିରରୁ ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।