ମେଧାବୀ ଛାତ୍ରୀ କର୍ମା ମୁଦୁଲିଙ୍କୁ ସହାୟତା : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଡିରୁ ୩୦ହଜାର ଟଙ୍କାର ଚେକ୍ ପ୍ରଦାନ

247

କନକ ବ୍ୟୁରୋ : ଆଉ ମୂଲ ଲାଗିବେନି ବଣ୍ଡା ମେଧାବୀ ଛାତ୍ରୀ କର୍ମା ମୁଦୁଲି । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବିଭିନ୍ନ ସ୍ଥାନରୁ ମିଳିଛି ସାହାଯ୍ୟ ସହଯୋଗ । ଆଜି ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ କରିଛନ୍ତି ଜିଲ୍ଲାପାଳ । ଛାତ୍ରୀଙ୍କୁ ୩୦ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଡାକି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ତା ସହିତ କର୍ମାଙ୍କୁ ଖୁବଶୀଘ୍ର ଏକ ଲାପଟପ ଯୋଗାଇ ଦିଆଯିବ ବୋଲି ମଧ୍ୟ ମିଳିଛି ପ୍ରତିଶ୍ରୁତି ।

ଏହା ପୂର୍ବରୁ ମାଲକାନଗିରି ଜିଲ୍ଲା ପ୍ରଶାସନ କର୍ମାଙ୍କ ପାଖଷର ପହଞ୍ଚିଥିଲା । ଜିଲ୍ଲା ମଙ୍ଗଳଳ ଅଧିକାରୀ ପ୍ରଫୁଲ୍ଲ କୁମାର ଭୁଜବଳ ଓ ଖଇରପୁଟ ବ୍ଲକ ସମ୍ପ୍ରସାରଣ ଅଧିକାରୀ କର୍ମା ରହୁଥିବା ଠିକା କ୍ୟାମ୍ପରେ ପହଞ୍ଚିଥିଲେ । କର୍ମା ଯୁକ୍ତ ଦୁଇ ବାଣିଜ୍ୟରେ ଜିଲ୍ଲା ଟପ୍ପର ହେବା ପରେ କ’ଣ ସବୁ ସରକାରୀ ସହାୟତା ପାଇଛନ୍ତି ସେନେଇ ପଚାରି ବୁଝିଛନ୍ତି । ଏହା ସହ ମୁଦୁଲିପଡ଼ା ପତେଇଗୁଡ଼ାରେ ରହୁଥିବା ତାଙ୍କ ବାପାମାଆ ପେନସନ ପାଉଛନ୍ତି କି ନାହିଁ ଏବଂ କେଉଁ ପରିସ୍ଥିତିରେ କର୍ମା ଦିନ ମଜୁରିଆ ହେବାକୁ ବାଧ୍ୟ ହୋଇଛନ୍ତି ଏସବୁ ପଚାରି ବୁଝିଛନ୍ତି । ଛାତ୍ରୀଙ୍କ ସମସ୍ତ ପଢା ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଭୁବନେଶ୍ୱରରେ ହଷ୍ଟେଲରେ ରହି ପାଠ ପଢ଼ିବାକୁ କର୍ମାଙ୍କୁ ଅତିକମରେ ମାସିକ ୩ ହଜାର ଟଙ୍କା ଆବଶ୍ୟକ ପଡ଼ୁଛି । ତେଣୁ ସେ ଖରାଛୁଟିରେ ଘରକୁ ଆସି ମୂଲ ଲାଗି କିଛି ଅର୍ଥ ରୋଜଗାର କରୁଥିବା ପ୍ରଶାସନିକ ଅଧିକାରୀ କହିଛନ୍ତି । ସେପଟେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳସଚିବ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡିନ୍ ପ୍ରଫେସର ମଳୟ ମହାନ୍ତି କର୍ମା ମୁଦୁଲିଙ୍କର ପାଠପଢ଼ା ଖର୍ଚ୍ଚ ବହନ କରିବେ ବୋଲି ତାଙ୍କୁ ଫୋନ କରି ପ୍ରତିଶ୍ରୁତି ଦେଇଛନ୍ତି ।