ବନ୍ୟା ବିପନ୍ନଙ୍କ ଉପରେ ରିଲିଫ ବୋଝ । କୋଟା କାଟ୍ କରିବା ସହ ପରିବହନ ପାଇଁ ମଗାଯାଉଛି ଟଙ୍କା । ଯାଜପୁରରେ ରିଲିଫ୍ ବଣ୍ଟନକୁ ନେଇ ବଢୁଛି ଜନ ଅସନ୍ତୋଷ, ପ୍ରତିଦିନ ପ୍ରଶାସନ ପାଖକୁ ଆସୁଛି ପୁଳାପୁଳା ଅଭିଯୋଗ ।

184
କନକ ବ୍ୟୁରୋ: ବନ୍ୟା ପରେ ଏବେ ରିଲିଫ ବଂଟନକୁ ନେଇ ଦେଖା ଦେଇଛି ଜନ ଅସନ୍ତୋଷ । ଦୈନିକ ପ୍ରଶାସନ ପାଖକୁ ଆସୁଛି ପୁଳାପୁଳା ଅଭିଯୋଗ । କେତେବେଳେ ରିଲିଫ ବିଭ୍ରାଟ ପାଇଁ ହିତାଧିକାରୀ ପ୍ରଶାସନର ଦ୍ୱାରସ୍ତ ହେଉଛନ୍ତି ତ କେତେ ବେଳେ ବଂଟନ ବେଳେ ଯୋଗାଣ ଅଧିକାରୀ,କର୍ମଚାରୀଙ୍କୁ  ଅଟକ ରଖୁଛନ୍ତି । ତେବେ ବନ୍ୟା ପରେ ବଂଟନ ସମସ୍ୟା ଲୋକଙ୍କ ଦୁଃଖ ବଢ଼ାଇଛି । କୋଟାରୁ ଚାଉଳ କାଟ୍ ହେଉଥିବା ବେଳେ ହିତାଧିକାରୀଙ୍କ ଉପରେ ପଡିଛି ବଂଟନ ବୋଝ ।  ଯାହାକି ଏଯାବତ୍ ଅନେକ ହିତାଧିକାରୀ ରିଲିଫ ଚାଉଳ ନେଇନଥିବା  ଦେଖିବାକୁ ମିଳିଛି । ଏପରି ଚିତ୍ର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସଦର ବ୍ଲକ ଏରବାଙ୍କ ପଂଚାୟତରେ ।
ରିଲିଫ କୋଟାରୁ ଚାଉଳ କାଟ୍
ହିତାଧିକାରୀ ଉପରେ ବଂଟନ ବୋଝ
ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲାର ୬ଟି ବ୍ଲକ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ନଦୀରେ ୩୦ଟି ଘାଇ ହେବାରୁ ହେକ୍ଟର ହେକ୍ଟର ଚାଷ ନଷ୍ଟ ହୋଇଛି, ଅନେକ ଲୋକ ବେଘର ହୋଇଛନ୍ତି । ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ ବଂଟନ କରାଯାଉଛି । ହେଲେ ଏହି ରିଲିଫ ବଂଟନକୁ ନେଇ ବିବାଦ ମୁଣ୍ଡ ଟେକିଛି । ଧାର୍ଯ୍ୟ କୋଟା ଠାରୁ କମ ଚାଉଳ ଦିଆଯାଉଥିବାରୁ ଯାଜପୁର ସଦର ବ୍ଲକ ଏରବାଙ୍କ ପଂଚାୟତରେ ଅସନ୍ତୋଷ ଦେଖିବାକୁ ମିଳିଛି । ଚାଉଳ କାଟର କାରଣ ସଂପର୍କରେ ବଂଟନ କର୍ମଚାରୀ ମୁହଁ ଖୋଲୁନଥିବାରୁ ବନ୍ୟା ବିପନ୍ନ  ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ।
ଗୋଟିଏ ପଟେ ରିଲିଫ କୋଟାରୁ ଚାଉଲ କାଟ୍ କରାଯାଉଥିବା ବେଳେ ରିଲିଫ ପରିବହନ ଖର୍ଚ୍ଚ ହିତାଧିକାରୀଙ୍କ ଉପରେ ଲଦି ଦିଆଯାଉଥିବା ଅଭିଯୋଗ ହୋଇଛି । ରିଲିଫ ପରିବହନ ଓ ବଂଟନ ଖର୍ଚ୍ଚକୁ ବାବଦକୁ ହିତାଧିକାରୀଙ୍କ ଠାରୁ ମୁଣ୍ଡ ପିଛା ୧୦ ଟଙ୍କା ଲେଖାଏଁ ଆଦାୟ କରାଯାଉଛି । ଫଳରେ କିଛି ହିତାଧିକାରୀ ଚାଉଳ ନନେଇ ଫେରି ଯାଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର କହିଛନ୍ତି ଏହା ସଂପୂର୍ଣ୍ଣ ବେଆଇନ । ଏନେଇ ଅଭିଯୋଗ ଆସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସରକାର ରିଲିଫ ଦେଇ ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଉଥିବା ବେଳେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଜନ ପ୍ରତିନିଧି ଓ ସରକାରୀ ବାବୁ ହେରଫେର କରୁଛନ୍ତି । ରିଲିଫ ପାଇଁ କୌଣସି ଖର୍ଚ୍ଚ ଦେବାକୁ ପଡିବ ନାହିଁ ବୋଲି ପ୍ରଶାସନ କହୁଥିବା ବେଳେ ହିତାଧିକାରୀଙ୍କ ଠାରୁ ଟଙ୍କା ନିଆଯିବା ଘଟଣାର ତଦନ୍ତ ଦାବି ହୋଇଛି ।