ବାତ୍ୟା ‘ଫୋନି’ ପୀଡିତଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ସିଙ୍ଗାପୁର ଓଡ଼ିଆ ସମାଜ । ଖାଦ୍ୟସାମଗ୍ରୀ ସହ ଆଦିବାସୀ ପରିବାରଙ୍କୁ ବାଣ୍ଟିଲେ ତାରପୋଲିନ୍ ।

87

କନକ ବ୍ୟୁରୋ : ବାତ୍ୟା ‘ଫୋନି’କୁ ବିତିଲାଣି ୧୮ ଦିନ । କିନ୍ତୁ ଆଜିବି ଦୁଃଖ ଦୁର୍ଦ୍ଦଶାରେ ଘାଣ୍ଟି ହେଉଛନ୍ତି ଉପକୂଳ ଓଡିଶାବାସୀ । ବାତ୍ୟା ସିନା ଚାଲିଯାଇଛି, କିନ୍ତୁ ଯେଉଁ ଚିହ୍ନ ଛାଡିଦେଇଛି, ତାହା କେବେଯେ ଲିଭିବ, ଆକଳନ କରିବା ମଧ୍ୟ ମୁସ୍କିଲ । ତେବେ ବାତ୍ୟା ‘ଫୋନି’ ପୀଡିତଙ୍କ ପାଇଁ ବିଭିନ୍ନ ମହଲରୁ ଛୁଟିଛି ସହାୟତାର ହାତ । ଆଜି ସିଙ୍ଗାପୁର ଓଡ଼ିଆ ସମାଜ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ପିକକ୍’ ପକ୍ଷରୁ ସୋମବାର ଚନ୍ଦକା ଗ୍ରାମପଂଚାୟତର ସୁନ୍ଦରପୁର ଆଦିବାସୀ ପଡ଼ାରେ ସାମୂହିକ ଭୋଜନ ସହ କ୍ଷତିଗ୍ରସ୍ତ ଆଦିବାସୀ ପରିବାରଙ୍କୁ ତାରପୋଲିନ୍ ବଂଟନ କରାଯାଇଛି ।
ସେହିପରି ଅନ୍ଧାରୁଆ ପଞ୍ଚାୟତର ଗୋଡିବାରି ଠାରେ ମଧ୍ୟ ସିଙ୍ଗାପୁର ଓଡିଆ ସମାଜ ପକ୍ଷରୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା । ସୂଚନା ଅନୁଯାୟୀ, ଗତ ୩ ତାରିଖ ସକାଳ ପ୍ରାୟ ୯ଟା ସମୟରେ ପୁରୀ ଚନ୍ଦ୍ରଭାଗା ଠାରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା ‘ଫୋନି’ । ମାତ୍ର କେଇ ଘଣ୍ଟାର ସମୟ ମଧ୍ୟରେ ସବୁକିଛି ଛାରଖାର ହୋଇଯାଇଥିଲା । ବାତ୍ୟା ‘ଫୋନି’ର ତାଣ୍ଡବରେ ଉଜୁଡି ଯାଇଥିଲା ଉପକୂଳ ଓଡିଶା । ଅନେକ ଧନଜୀବନ ନଷ୍ଟ ହୋଇଥିବା ବେଳେ ଭାଙ୍ଗିଯାଇଛି ହଜାର ହଜାର ଘର ।