‘ତିତଲି’ ପାଇଁ ସରକାର ସତର୍କ । ମୁକାବିଲା ପାଇଁ ଏନଡିଆରଏଫ ଓ ଓଡ୍ରାଫ ଟିମ ପ୍ରସ୍ତୁତ । ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ରାଜ୍ୟର ୫ ଜିଲ୍ଲାରେ ୧୨ ତାରିଖ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

28

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଅଂଟା ଭିଡିଛି ପ୍ରଶାସନ । ପାଣିପାଗ ବିଭାଗର ଆକଳନ ଓ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ବି ଅଧିକାରୀ ଜିଲ୍ଲା ମୁଖ୍ୟାଳୟ ନଛାଡିବାକୁ କୁହାଯାଇଛି । ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲା କଂଟ୍ରୋଲ ରୁମକୁ ୨୪ଘଂଟା ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ବାତ୍ୟାର ମୁକାବିଲା ପାଇଁ ୨୦ଟି ଓଡ୍ରାଫ ଟିମ ଓ ୧୧ଟି ଏନଡିଆରଏଫ ଟିମ୍ ପ୍ରସ୍ତୁତ ରଖାଯାଇଛି ।

ମଙ୍ଗଳବାର ୬ଟି ଏନଡିଆରଏଫ ଟିମକୁ ସମସ୍ତ ଯାନ୍ତ୍ରିକ ଉପକରଣ ସହ ପୁରୀ, କେନ୍ଦ୍ରାପଡା, ଯାଜପୁର, ଗଜପତି, ଭଦ୍ରକ ଓ ନୟାଗଡକୁ ପଠାଯାଇଛି । ୟେଲୋ ଓ ରେଡ୍ ୱାଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ଉପରେ ସ୍ୱନ୍ତ୍ରନ୍ତ୍ର ଦୃଷ୍ଟି ରଖିଛନ୍ତି ସରକାର । ୧୦ ଓ ୧୧ ତାରିଖ, ଦୁଇ ଦିନ ଧରି ବର୍ଷାର ପରିମାଣ ବଢିବ । ରାଜ୍ୟର କିଛି ଅଂଚଳରେ ୧୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ସେପଟେ ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

ସେହିଭଳି ଭୟଙ୍କର ବାତ୍ୟାର ରୂପ ନେବାକୁ ଥିବା ତିତଲିକୁ ଦୃଷ୍ଟିରେ ରଖି ଆଜିଠାରୁ ୫ ଟି ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରିଛନ୍ତି ସରକାର । ଗଞ୍ଜାମ, ଗଜପତି, କେନ୍ଦ୍ରାପଡା, ପୁରୀ ଓ ଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରିଛନ୍ତି ସରକାର । ଏପରିକି ଅଙ୍ଗନୱାଡି କେନ୍ଦ୍ରକୁ ବନ୍ଦ ରଖିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଆସନ୍ତା ୧୨ ତାରିଖ ଯାଏଁ ଏହି ୫ ଟି ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ।