ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର… ରିଲାଏନ୍ସ ଖୋଲିବାକୁ ଯାଉଛି ବିଶ୍ୱର ବୃହତ୍ତମ ଚିଡିଆଖାନା । ଜାଣନ୍ତୁ… ଏହା କେଉଁଠି ଅବସ୍ଥିତ ରହିବ ଏବଂ କେବେ ଖୋଲିବ

1,854

ଗୁଜରାଟର ଜାମନଗରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ବିଶ୍ୱର ବୃହତ୍ତମ ଚିଡ଼ିଆଖାନା ନିର୍ମାଣ କରିବ ବୋଲି ଶନିବାର ଦିନ କମ୍ପାନିର ଜଣେ ଶୀର୍ଷସ୍ତରୀୟ ଅଧିକାରୀ ସୁନିଶ୍ଚିତ କରି କହିଛନ୍ତି । ଏହି ଚିଡ଼ିଆଖାନାରେ ଭାରତ ଏବଂ ବିଶ୍ୱର ବିବିଧ ପ୍ରଜାତିର ପ୍ରାୟ ୧୦୦ ସଂଖ୍ୟକ ପଶୁ, ପକ୍ଷୀ ଓ ସରୀସୃପଙ୍କୁ ରଖାଯିବ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସବା ସାନପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରକଳ୍ପିତ ଏହି ଚିଡ଼ିଆଖାନା ୨୮୦ ଏକର ପରିମିତ ଜମିରେ ନିର୍ମାଣ କରାଯିବ । ଏହି ଜମି ଜାମନଗର ନିକଟ ମୋତି ଖାଓ୍ଵଡ଼ିରେ ଥିବା କମ୍ପାନି ତଥା ବିଶ୍ୱର ବୃହତମ ତୈଳ ଶୋଧନ ପରିସର ନିକଟରେ ଅବସ୍ଥିତ ।

କୋଭିଡ୍‌-୧୯ ଯୋଗୁଁ ସ୍ଥଗିତ ରହିଥିବା ଏହି ପ୍ରକଳ୍ପ ଯଦି ଆଉ ସ୍ଥଗିତ ନ ରହେ, ତେବେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଚିଡ଼ିଆଖାନାଟି ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ ହୋଇପାରିବ ବୋଲି କମ୍ପାନିର ଅଧିକାରୀଜଣକ କହିଛନ୍ତି ।

ଏହି ଚିଡ଼ିଆଖାନାର ନାଁ ଦିଆଯିବ ‘ଗ୍ରିନ୍ସ ଜୁଲୋଜିକାଲ୍‌, ରେସ୍କ୍ୟୁ ଆଣ୍ଡ୍‌ ରିହାବିଲିଟେସନ୍‌ କିଙ୍ଗ୍‌ଡମ୍‌’ । ଚିଡ଼ିଆଖାନା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଆବଶ୍ୟକ ଅନୁମୋଦନ ମିଳିସାରିଛି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ କର୍ପୋରେଟ ବ୍ୟାପାରର ନିର୍ଦେଶକ ପରିମଳ ନାଥଓ୍ଵାନି କହିଛନ୍ତି ।

ଏହି ଚିଡ଼ିଆଖାନାରେ ‘ଫରେଷ୍ଟ ଇଣ୍ଡିଆ’, ‘ଫ୍ରଗ୍‌ ହାଉସ’, ‘ଇନସେକ୍ଟ ଲାଇଫ୍‌’, ‘ଡ୍ରାଗନସ୍‌ ଲ୍ୟାଣ୍ଡ’ ‘ଏକ୍ସୋଟିକ୍‌ ଆଇଲାଣ୍ଡ’, ‘ଓ୍ଵାଇଲ୍ଡ ଟ୍ରେଲ୍‌ ଅଫ୍‌ ଗୁଜରାଟ’ ଏବଂ ‘ଆକ୍ୱାଟିକ କିଙ୍ଗଡମ’ ଭଳି ବିଭାଗ ସହ ଅନ୍ୟାନ୍ୟ ବିଭାଗ ରହିବ।