ନିଜ କର୍ମଚାରୀଙ୍କ ଟିକା ଖର୍ଚ୍ଚ ବହନ କରିବ ରିଲିଆନ୍ସ ଗ୍ରୁପ । ସୂଚନା ଦେଲେ ନୀତା ଅମ୍ବାନୀ । କହିଲେ ନୂଆ ରାସ୍ତା ଦେଇ ଆଗକୁ ବଢୁଛି ଭାରତ ।

222

କନକ ବ୍ୟୁରୋ:  କରୋନା ମହାମାରୀ ବିରୋଧରେ କର୍ପୋରେଟ ଜଗତ ସେମାନଙ୍କ କର୍ମଚାରୀଙ୍କ ପାଇଁ ମାଗଣା ଟିକା ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଏହି କ୍ରମରେ ପ୍ରଥମେ ଇନଫୋସିସ୍, ଆସେଞ୍ଚର ପରେ ଏବେ ଦେଶର ସର୍ବବୃହତ କର୍ପୋରେଟ ହାଉସ୍ ରିଲିଆନ୍ସ କମ୍ପାନୀ ତା’ର କର୍ମଚାରୀ ଓ କର୍ମଚାରୀଙ୍କ ପରିବାର ଲୋକଙ୍କ ଟିକା ଖର୍ଚ୍ଚ ବହନ କରିବ ବୋଲି କହିଛି । ଏନେଇ ରିଲିଆନ୍ସ ଇଣ୍ଡଷ୍ଟ୍ରୀଜ୍ ନିର୍ଦ୍ଦେଶକ ନୀତା ଅମ୍ବାନୀ କହିଛନ୍ତି କମ୍ପାନୀର ଯେଉଁ ଯୋଗ୍ୟ କର୍ମଚାରୀ ମାନେ ଟିକା ନେବାକୁ ଚାହୁଁଛନ୍ତି ସେମାନେ ଓ ତାଙ୍କ ପରବାର ଲୋକମାନେ ବି ସରକାରଙ୍କ ପୋର୍ଟାଲରେ ପଞ୍ଜିକରଣ କରନ୍ତୁ ।

ଏହାପୂର୍ବରୁ ୨୦୨୦ ଡିସେମ୍ବର ମାସରେ ‘ରିଲିଆନ୍ସ ଫେମିଲି ଡେ’ ପାଳନ ଦିନ ନୀତା ଅମ୍ବାନୀ ଓ ରିଲିଆନ୍ସ ମାଲିକ ମୁକେଶ ଅମ୍ବାନୀ କହିଥିଲେ କି କୋଭିଡ୍ ଟିକାକୁ ମଞ୍ଜୁରୀ ମିଳିବା ପରେ ତୁରନ୍ତ କମ୍ପାନୀ ତରଫରୁ ନିଜ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କୁ କମ୍ପାନୀ ତା’ର ନିଜ ଖର୍ଚ୍ଚରେ ଟିକା ଦେବାର ବ୍ୟବସ୍ଥା କରାଇବ ।

ଭାରତ ସରକାର ଦ୍ୱାରା ଚାଲିଥିବା ବିଶ୍ୱର ସବୁଠାରୁ ବୃହତ ଟିକାକରଣ ଅଭିଯାନକୁ ନେଇ ନୀତା ଅମ୍ବାନୀ କହିଛନ୍ତି କି ‘ଏହା ଆଉ ଅଳ୍ପଦିନର କଥା , କରୋନା ବିରୋଧରେ ଚାଲିଥିବା ଲଢେଇରେ ଭାରତ ବିଜୟୀ ହେବ, ଆଶା , ବିଶ୍ୱାସ ଓ ଆନନ୍ଦର ସହିତ ଦେଶ ଏକ ନୂଆ ରାସ୍ତାରେ ଆଗକୁ ଅଗ୍ରସର ହେବ, ’ ।

କହିରଖୁ କି ସାରା ଦେଶରେ ରିଲିଆନ୍ସ ଗ୍ରୁପର ପାଖା ପାଖି ୬ ଲକ୍ଷ କର୍ମଚାରୀ ରହିଛନ୍ତି । ଏହି କର୍ମଚାରୀ ମାନଙ୍କ ପରିବାରକୁ ସାମିଲ କରାଗଲେ ପ୍ରାୟ ୧୯ ଲକ୍ଷ ଲୋକଙ୍କୁ ମାଗଣାରେ ଟିକା ଦିଆକରାଇବ କମ୍ପାନୀ ।