କରୋନା ଟିକା ପ୍ରସ୍ତୁତରେ ରିଲାଏନ୍ସ ଲାଇଫ ସାଇନ୍ସ, କ୍ଲିନିକାଲ ଟ୍ରାଏଲ ପାଇଁ ଡିସିଜିଆଇର ଅନୁମତି

87

କନକ ବ୍ୟୁରୋ : ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଚାଲିଥିବା ରିଲାଏନ୍ସ ଗ୍ରୁପ ଏବେ କରୋନା ଭୂତାଣୁରୁ ରକ୍ଷା ପାଇବାକୁ ଭ୍ୟାକ୍ସିନ ପ୍ରସ୍ତୁତ କରିବା କ୍ଷେତ୍ରରେ ଆଗକୁ ଆସିଛି । ରିଲାଏନ୍ସ ଲାଇଫ ସାଇନ୍ସ ତରଫରୁ ଦୁଇଟି ଡୋଜବାଲା କରୋନା ଟିକାର ବିକଶିତ କରାଯାଇଛି । ଏହାର କ୍ଲିନିକାଲ ଟ୍ରାଏଲ ପାଇଁ କମ୍ପାନୀ ତରଫରୁ ଅନୁମତି ମଗାଯାଇଥିବା ବେଳେ ଏବେ ସରକାର ଏହାକୁ ଅନୁମତି ଦେଇଛନ୍ତି ।

ଡ୍ରଗ୍ସ କଣ୍ଟ୍ରୋଲର ଜେନରଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଏହି ଟିକା କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି ଦେଇଛି । ଗୁରୁବାର ଦିନ ନେଇ ବିଶେଷଜ୍ଞ ସମିତିରେ ନିଷ୍ପତ୍ତି ହୋଇଥିଲା । ପ୍ରଥମେ ବିଶେଷଜ୍ଞ କମିଟି ରିଲାଏନ୍ସର ଆବେଦନ ଉପରେ ତର୍ଜମା କରିଥିଲା । ଏହାପରେ ମଞ୍ଜୁରୀ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲା । କହିରଖୁ କି ଭ୍ୟାକ୍ସିନର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରୁ ସର୍ବାଧିକ ସହନଶୀଳ ଖୋରାକ ନିର୍ଦ୍ଧାରିତ କରିବା ସହ ଟିକାର ସୁରକ୍ଷା, ପ୍ରଭାବ ଆଦି ଉପରେ ପରୀକ୍ଷା କରାଯାଇଥାଏ ।

ସୂଚନା ଥାଉକି, ଦେଶରେ କରୋନା ବିରୋଧ ଲଢେଇରେ ଚାଲିଥିବା ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ୬ ଟି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ପ୍ରଦାନ କରିଛନ୍ତି । ଏହା ମଧ୍ୟରେ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ, ଭାରତ ବାୟୋଟେକର କୋଭାକ୍ସିନ, ଋଷ ନିର୍ମିତ ସ୍ପୁଟନିକ-ଭି, ଆମେରିକାର ମଡର୍ଣ୍ଣା, ଜନସନ ଆଣ୍ଡ ଜନସନ ଓ ଜାଇଡସ କାଡିଲା ସାମିଲ ଅଛି ।