ଆଜିଠୁ କେବଳ ଜିଓ ନୁହେଁ, ଏସବୁ ରିଚାର୍ଜ ବି ମହଙ୍ଗା : ଯାହା ଆପଣଙ୍କର ମାସିକ ଖର୍ଚ୍ଚ ଉପରେ ପକାଇବ ପ୍ରଭାବ

721

କନକ ବ୍ୟୁରୋ : ଡିସେମ୍ବର ମାସରେ ମହଙ୍ଗା ମାଡ ହେବାକୁ ଯାଉଛି । କାରଣ କେବଳ ଜିଓ ରିଚାର୍ଜର ମୂଲ୍ୟ ବଢିବାକୁ ଯାଉନାହିଁ ବରଂ ଡିସେମ୍ବର ଆରମ୍ଭରୁ ଆମାଜନ ପ୍ରାଇମ ମେମ୍ବରସିପ, ଡିଟିଏଚ ରିଚାର୍ଜ ଏବଂ ଏସବିଆଇ କ୍ରେଡିଟ କାର୍ଡ ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିପାରେ । ଅର୍ଥାତ ଆଜିଠୁ ୪ଟି ସର୍ଭିସ ମହଙ୍ଗା ହେବାକୁ ଯାଉଛି, ଯାହା ଆପଣଙ୍କର ମାସିକ ଖର୍ଚ୍ଚ ଉପରେ ସିଧାସଳଖ ପ୍ରଭାବ ପକାଇବ । ଏହି ସମସ୍ତ ସେବାଗୁଡିକର ମୂଲ୍ୟ ପ୍ରାୟ ୨୦ ରୁ ୫୦ ପ୍ରତିଶତ ବୃଦ୍ଧି ହେବାକୁ ଯାଉଛି ।

ଆଜିଠୁ ଜିଓ ଫୋନର ୭୫ ଟଙ୍କା ପ୍ଲାନ ପାଇଁ ଗ୍ରାହକଙ୍କୁ ୯୧ ଟଙ୍କା ଦେବାକୁ ପଡିବ । ଏହି ପ୍ଲାନରେ, ୩ ଜିବି ଡାଟା ସହିତ ଅସୀମିତ ଭଏସ୍ କଲ୍ ଏବଂ ୩୦୦ ଏସଏମଏସ ସୁବିଧା ପ୍ରଦାନ କରାଯାଇଛି । ୧୨୯ ଟଙ୍କାର ଜିଓର ଅସୀମିତ ଯୋଜନା ପାଇଁ ବର୍ତ୍ତମାନ ୧୫୫ ଟଙ୍କା ଦେବାକୁ ପଡିବ । ଜିଓ ଏହାର ବାର୍ଷିକ ରିଚାର୍ଜ ପ୍ଲାନରେ ସର୍ବାଧିକ ୪୮୦ ଟଙ୍କା ବୃଦ୍ଧି କରିଛି । ଡିସେମ୍ବର ପହିଲାରୁ ଗ୍ରାହକଙ୍କୁ ଜିଓର ପ୍ଲାନ ପାଇଁ ୨୩୯୯ ଟଙ୍କା ବଦଳରେ ୨୮୭୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ସେହିପରି ଡିସେମ୍ବର ୧୪ରୁ ଆମାଜନ ପ୍ରାଇମ ସଦସ୍ୟତା ପ୍ଲାନର ନୂତନ ମୂଲ୍ୟ ସମଗ୍ର ଦେଶରେ ଲାଗୁ ହେବ । ଆମାଜନ ପ୍ରାଇମ ସବସ୍କ୍ରିପସନ୍ ୫୦ ପ୍ରତିଶତ ବୃଦ୍ଧି ପାଇବ । ଆମାଜନ ପ୍ରାଇମ ବାର୍ଷିକ ସବସ୍କ୍ରିପସନ୍ ପ୍ଲାନ ୧୪୯୯ ଟଙ୍କାକୁ ବୃଦ୍ଧି ପାଇବ, ଯାହା ବର୍ତ୍ତମାନ ୯୯୯ ଟଙ୍କା ରହିଛି । ସେହିପରି ତିନି ମାସର ସବସ୍କ୍ରିପସନ୍ ପାଇଁ ୩୨୯ ଟଙ୍କା ବଦଳରେ ୪୫୯ ଟଙ୍କା ଦେବାକୁ ପଡିବ । ଯେତେବେଳେ କି ମାସିକ ଯୋଜନା ୧୨୯ ଟଙ୍କା ବଦଳରେ ୧୭୯ ଟଙ୍କାରେ ଆସିବ । ସେହିପରି ଦେଶରେ କିଛି ଟିଭି ଚ୍ୟାନେଲଗୁଡ଼ିକର ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି ।

ଏଭଳି ପରିସ୍ଥିତିରେ ଉପଭୋକ୍ତାମାନଙ୍କୁ ଏହି ଚ୍ୟାନେଲ ଦେଖିବା ପାଇଁ ୫୦ ପ୍ରତିଶତ ଅଧିକ ମୂଲ୍ୟ ଦେବାକୁ ପଡିବ । ଷ୍ଟାର ପ୍ଲସ, କଲରସ, ସୋନି, ଜି ଟିଭି ପରି ଚ୍ୟାନେଲ ଦେଖିବା ପାଇଁ ଗ୍ରାହକଙ୍କୁ ୩୫ ରୁ ୫୦ ପ୍ରତିଶତ ଅଧିକ ମୂଲ୍ୟ ଦେବାକୁ ପଡିବ । ବର୍ତ୍ତମାନ, ଏହି ଚ୍ୟାନେଲଗୁଡିକର ହାରାହାରି ମୂଲ୍ୟ ମାସକୁ ୪୯ ଟଙ୍କା ରହିଛି, ଆଉ ଡିସେମ୍ବର ୧ରୁ ପ୍ରତି ମାସରେ ୬୯ ଟଙ୍କାକୁ ବୃଦ୍ଧି କରାଯିବ । ଏସବିଆଇର କ୍ରେଡିଟ କାର୍ଡ ବ୍ୟବହାରକାରୀମାନେ ଏକ ବଡ ଝଟକା ପାଇବାକୁ ଯାଉଛନ୍ତି । ବାସ୍ତବରେ, ଡିସେମ୍ବର ୧ ରୁ, ଏସବିଆଇ କ୍ରେଡିଟ୍ କାର୍ଡ ସହିତ କିଛି ବି କ୍ରୟ ମହଙ୍ଗା ହେବ । କାରଣ ପ୍ରତ୍ୟେକ କ୍ରୟ ଉପରେ ୯୯ ଟଙ୍କା ଏବଂ ଟିକସକୁ ପୃଥକ ଭାବରେ ଦେବାକୁ ପଡିବ ।