ସରକାର ବିଫଳ ହେବା ପରେ ଚାଷୀ ଆନ୍ଦୋଳନକୁ ନେଇ ମୁହଁ ଖୋଲିଲା ରିଲିୟାନ୍ସ । କହିଲା ନା କରିବ କଣ୍ଟାକ୍ଟ ଫାମିଂ ନା କରିବ କର୍ପୋରେଟ୍ ଫାମିଂ । ଏମଏସପି ରେ କିଣିବ ଶଷ୍ୟ

2,413

କନକ ବ୍ୟୁରୋ : ଶେଷରେ କୃଷକ ଆନ୍ଦୋଳନ ନେଇ ମୁହଁ ଖୋଲିଲା ରିଲିୟାନ୍ସ । ପଞ୍ଜାବରେ ଚାଷୀ ମାନଙ୍କ ଦ୍ୱାରା ୧୬ ଶହ ଜିଓ ଟାୱାର ଭଙ୍ଗାଯିବା ପରେ କୃଷକ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଛି କମ୍ପାନୀ । କମ୍ପାନୀ ତରଫରୁ କୁହାଯାଇଛି କି ରିଲିୟାନ୍ସ କେବେ କୃଷକ ମାନଙ୍କ ଠାରୁ ସିଧା ସଳଖ ସେମାନଙ୍କ ଉତ୍ପାଦିତ ସାମଗ୍ରୀ କିଣିବ ନାହିଁ । ଯାହା ବି ଶଷ୍ୟ କିଣିବ ତାହା ଯୋଗାଣ ସଂସ୍ଥା ମାନଙ୍କ ଠାରୁ ସାମଗ୍ରୀ କିଣିବ   ।

ଏହା ସହ କୃଷକ ମାନଙ୍କ ମଧ୍ୟରେ କିଛି ରାଜନୈତିକ ଦଳ ଭୂଲ ତଥ୍ୟ ଦେଇ ସେମାନଙ୍କୁ ବିଚଳିତ କରୁଛି ବୋଲି କମ୍ପାନୀ ପକ୍ଷରୁ ଅଭିଯୋଗ କରାଯାଇଛି । କମ୍ପାନୀ ଆହୁରି କହିଛି କି କୌଣସି ଚୁକ୍ତି ଭିତ୍ତିକ ଚାଷ କରିବାର ଯୋଜନା ରଖି ନାହିଁ , ସେ କମ୍ ସମୟର ଚୁକ୍ତି ହେଉ କି ଦୀର୍ଘପାଳୀନ ଚୁକ୍ତି ହେଉ । ନା କଣ୍ଟାକ୍ଟ ଫାର୍ମିଂ ନା କର୍ପୋରେଟ୍ ଫାମିଂ ର ଯୋଜନା ରଖିଛି । ଏହାସହ କମ୍ପାନୀ ସ୍ପଷ୍ଟ କରିଛି କି ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦର ଠାରୁ କମ୍ ଦାମରେ କମ୍ପାନୀ ଶଷ୍ୟ କିଣିବ ନାହିଁ । ଏହା ବି ପୁଣି ସିଧା ସଳଖ ନୁହେଁ , କେବଳ ଯୋଗାଣକାରୀ ସଂସ୍ଥା ମାନଙ୍କ ଠାରୁ କମ୍ପାନୀ ଶଷ୍ୟ କିଣିବ । ଅନ୍ୟପଟେ ଜମି କିଣିବା କଥାକୁ ସିଧା ସଳଖ ଅସ୍ୱୀକାର କରିଛି କମ୍ପାନୀ । କମ୍ପାନୀ ଅଧିକାରୀ କହିଛନ୍ତି କି ଚାଷ ପାଇଁ କେବେ କମ୍ପାନୀ କୃଷକ ମାନଙ୍କ ଜମି କିଣି ଚାଷ କରିିନାହିଁ କି ଆଗକୁ କେବେ ବି ଏଭଳି କରିବାର ଯୋଜନା ନାହିଁ । ସେପଟେ ପଞ୍ଜାବର କୃଷକ ମାନେ ଜିଓର ୧୬ ଶହ ଟାୱାର ଭାଙ୍ଗିବାକୁ ନେଇ କମ୍ପାନୀ ତରଫରୁ ବୟାନ କରାଯାଇଛି । କମ୍ପାନୀ କହିଛି କି କୃଷକ ମାନେ ରିଲିୟାନ୍ସର ଯେଉଁ ସମ୍ପତ୍ତି ନଷ୍ଟ କରୁଛନ୍ତି ସେମାନେ ମନେରଖିବା ଦରକାର ଯେ ରିଲିୟାନ୍ସ କେଉଁ ବାହାର ଦେଶର କମ୍ପାନୀ ନୁହେଁ , ତେଣୁ କୃଷକ ମାନେ ଯାହା ନଷ୍ଟ କରୁଛନ୍ତି ତାହା ବି ସେମାନଙ୍କର ସମ୍ପତ୍ତି । ଏନେଇ କମ୍ପାନୀ ପଞ୍ଜାବର କିଛି ଥାନାରେ ଅଭିଯୋଗ କରିଛି ।

କହିରଖୁ କି କୃଷକ ମାନଙ୍କ ଆନ୍ଦୋଳନ ୩୯ ଦିନରେ ପହଂଚି ସାରିଛି । ଏନେଇ ସରକାରଙ୍କ ସହ ୭ ଥର ବୈଠକ ହୋଇଥିଲେ କିଛି ସୂୁଫଳ ମିଳିନାହିଁ । ଆଜି (ସୋମବାର) କୃଷକ ଓ ସରକାରଙ୍କ ମଧ୍ୟରେ ଅଷ୍ଟମଥର ପାଇଁ ବୈଠକ ବସିବ । ଏହି ବୈଠକ ଯଦି ସଫଳ ନହୁଏ ତେବେ କୃଷକ ମାନେ ଦିଲ୍ଲୀ ରାଜପଥରେ ଟ୍ରାକ୍ଟର ରାଲି କରିବା ସହ ଜାନୁଆରୀ ୨୬ ରେ କୃଷକ ପ୍ୟାରେଡ୍ କରାଯିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏଭଳି ଚେତାବନୀ ପରେ ସରକାର କୃଷକ ମାନଙ୍କୁ ବୁଝାଇବାକୁ ବିଫଳ ହୋଇଥିବା ବେଳେ କୃଷକ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଛି ରିଲିୟାନ୍ସ କମ୍ପାନୀ ।