କରୋନା ହାରିବ ଭାରତ ଜିତିବ । କରୋନା ମୁକାବିଲା ପାଇଁ ପିଏମ କେୟାରସ ଫଣ୍ଡକୁ ୫୦୦ କୋଟି ଟଙ୍କା ପ୍ରଦାନ କଲା ରିଲାଏନ୍ସ କମ୍ପାନି ।

1,965

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ପୂରା ଦେଶକୁ ଲକଡାଉନ କରାଯାଇଛି । ଆଉ ଏହି ଲଢେଇରେ ଏବେ ଦେଶର ବଡ ବଡ କମ୍ପାନି ଗୁଡିକ ସହାୟତାର ହାତ ବଢାଇଛନ୍ତି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନ କ୍ରମେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ପ୍ରଧାନମନ୍ତ୍ରୀ କେୟାରସ ଫଣ୍ଡକୁ ୫୦୦ କୋଟି ଟଙ୍କା ପ୍ରଦାନ କରିଛି । ଏହାବାଦ୍ କୋଭିଡ-୧୯ ବିରୋଧ ଲଢେଇରେ ସହାୟତା ପାଇଁ କମ୍ପାନି ପକ୍ଷରୁ ମହାରାଷ୍ଟ୍ର ଓ ଗୁଜୁରାଟ ସରକାରଙ୍କୁ ୫ କୋଟି ଟଙ୍କା ଦିଆଯାଇଛି ।

ଏହାବାଦ୍ କୋଭିଡ ରୋଗୀଙ୍କ ପରିଚାଳନା ପାଇଁ ଦୁଇ ସପ୍ତାହ ଭିତରେ ଭାରତର ପ୍ରଥମ ସ୍ୱତନ୍ତ୍ର ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ ସ୍ଥାପନ କରିବାକୁ କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି । ସେହିଭଳି ଆସନ୍ତା ୧୦ ଦିନ ଭିତରେ ସାରା ଦେଶରେ ୫୦ ଲକ୍ଷ ଭୋଜନ ଏବଂ ନୂଆ ଅଂଚଳକୁ ତାହା ପରିବ୍ୟାପ୍ତ ହେବ । ସ୍ୱାସ୍ଥ୍ୟକର୍ମୀ ଏବଂ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପାଇଁ ଦୈନିକ ଏକ ଲକ୍ଷ ମାସ୍କ ଉତ୍ପାଦନ । ସ୍ୱାସ୍ଥ୍ୟ କର୍ମୀ ଏବଂ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ଦୈନିକ ହଜାର ହଜାର ପିପିଇ ପ୍ରସ୍ତୁତି । ଜରୁରୀକାଳୀନ ସେବାରେ ନିୟୋଜିତ ଯାନଗୁଡ଼ିକ ପାଇଁ ସାରା ଦେଶରେ ମାଗଣା ଇନ୍ଧନ ଯୋଗାଣ କରିବାକୁ ଘୋଷଣା କରାଯାଇଛି । ଲକଡାଉନ ସମୟରେ “ୱାର୍କ ଫ୍ରମ୍ ହୋମ, ଷ୍ଟଡି ଫ୍ରମ୍ ହୋମ୍ ଏବଂ ହେଲ୍ଥ ଫ୍ରମ୍ ହୋମ୍ ଭଳି ଟେଲିକମ ଅଭିଯାନ ଜରିଆରେ ଦେଶକୁ ଆଗକୁ ବଢ଼ିବା ଲାଗି ସହାୟତା ପ୍ରଦାନ କରିବା ପାଇଁ ପ୍ରାୟ ୪୦ କୋଟି ଭାରତୀୟ ଏବଂ ହଜାର ହଜାର ସଂସ୍ଥାଙ୍କୁ ଜିଓ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରୁଥିବା ବେଳେ ରିଲାଏନ୍ସ ରିଟେଲ ପ୍ରତିଦିନ ଏହାର ଷ୍ଟୋର ଏବଂ ହୋମ ଡେଲିଭରି ମାଧ୍ୟମରେ ନିୟୁତାଧିକ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛି ।

କୋଭିଡ-୧୯ ବିରୋଧ ଲଢେଇ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ତରଫରୁ ରିଲାଏନ୍ସ ପରିବାରକୁ ମୂତୟନ କରାଯାଇଛି । କଂପାନି ଓ ଏହାର ବିଭିନ୍ନ ଟିମ ଗ୍ରାମ, ସଡ଼କ ଓ ଗଳି, କ୍ଲିନିକ ଓ ହସ୍ପିଟାଲ, ଗ୍ରୋସରି ଓ ଖୁଚୁରା ଷ୍ଟୋରରେ ପହଂଚିଛନ୍ତି ଏବଂ ଦେଶକୁ ସେବା ପ୍ରଦାନ କରିବା ଲାଗି ଏହା ଅତିରିକ୍ତ ଦକ୍ଷତା ସୃଷ୍ଟି କରିବା ଉପରେ କାର୍ଯ୍ୟ କରୁଛି ।

ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ମୁକେଶ ଅମ୍ବାନି କହିଛନ୍ତି ଯେ, “”ଆମର ବିଶ୍ୱାସ ଅଛି ଯେ ଶୀଘ୍ର ହେଉ କିମ୍ବା ବିଳମ୍ବରେ ହେଲେ ମଧ୍ୟ ଭାରତ କରୋନା ସଙ୍କଟ ଉପରେ ବିଜୟ ହାସଲ କରିବ । ଏହି ସଙ୍କଟ ସମୟରେ ସାରା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଟିମ ଦେଶ ସହିତ ଅଛି ଏବଂ କୋଭିଡ-୧୯ ବିରୋଧରେ ଲେଇ ପାଇଁ ଏହା ସବୁ କିଛି କରିବାକୁ ପ୍ରସ୍ତୁତ ।”

ସେହିଭଳି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ନୀତା ଅମ୍ବାନି କହିଛନ୍ତି ଯେ, “କୋଭିଡ-୧୯ ବିଶ୍ୱ ମହାମାରୀ ସହିତ ଲଢ଼େଇ ପାଇଁ ସାରା ଦେଶ ଏକଜୁଟ ହୋଇଥିବା ବେଳେ ଦେଶବାସୀ ଏବଂ ସେହି ମହିଳା ଯେଉଁମାନେ ଆଗ ଧାଡ଼ିରେ ରହି ଏହାର ସାମ୍ନା କରୁଛନ୍ତି ସେମାନଙ୍କ ସହିତ ରିଲାଏନ୍ସ ଫାଉଣ୍ଡେସନ ସାଙ୍ଗରେ ରହିଛି ଏବଂ ସେମାନଙ୍କ ପ୍ରତି ପୂର୍ଣ୍ଣ ସହାୟତା ପ୍ରଦାନ କରୁଛି । ଆମର ଡାକ୍ତର ଓ ଷ୍ଟାଫମାନେ ଭାରତର ପ୍ରଥମ କୋଭିଡ-୧୯ ହସ୍ପିଟାଲ ସ୍ଥାପନ କରିବାରେ ସହାୟତା ପ୍ରଦାନ କରିଛନ୍ତି ଏବଂ କୋଭିଡ-୧୯ର ସ୍କ୍ରିନିଂ, ଟେଷ୍ଟିଂ, ପ୍ରତିଷେଧକ ଏବଂ ଚିକିତ୍ସାରେ ସରକାରଙ୍କୁ ସହାୟତା ପ୍ରଦାନ କରିବାକୁ ପ୍ରତିବଦ୍ଧ ଅଛନ୍ତି ।”