ଚାଷୀଙ୍କୁ ମିଳିବ ୨୦ ହଜାର କୋଟି । ୯ କୋଟି ୩୦ ଲକ୍ଷ ଚାଷୀ ହେବେ ଉପକୃତ । ପିଏମ୍ କିଶାନ ନିଧି ଫାଇଲରେ ମୋଦୀଙ୍କ ପ୍ରଥମ ଦସ୍ତଖତ ।

1,779

କନକ ବ୍ୟୁରୋ: ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥପାଠ କରିବା ପରେ ଆଜି ସର୍ବପ୍ରଥମେ ପିଏମ୍ କିଶାନ ନିଧି ଫାଇଲରେ ପ୍ରଥମ ଦସ୍ତଖତ କରିଛନ୍ତି ମୋଦୀ । ଆଜି ପିଏମଓ ପହଞ୍ଚିବା ପରେ ଏହା ଥିଲା ତାଙ୍କର ପ୍ରଥମ ଫାଇଲରେ ଦସ୍ତଖତ । ଏହି ଆଧାରରେ ଦେଶର କୋଟି ୩୦ ଲକ୍ଷ ଚାଷୀଙ୍କୁ ମିଳିବ ୨୦ ହଜାର କୋଟି । ଏହାସହ ଚାଷୀଙ୍କୁ ମିଳିବ ପିଏମ କିଶାନ ନିଧି ଯୋଜାନାରେ ୧୭ ତମ କିସ୍ତି । ଚାଷୀଙ୍କ କଲ୍ୟାଣ ମୋଦୀ ସରକାରଙ୍କ ଗୁରୁ ଦାୟିତ୍ୱ ବୋଲି ଫାଇଲରେ ଦସ୍ତଖତ ପରେ କହିଛନ୍ତି ମୋଦୀ ।

ଏହାସହ ମୋଦୀ ମନ୍ତ୍ରିମଣ୍ଡଳ ଶପଥ ନେବା ପରେ ଆଜି ବସୁଛି ପ୍ରଥମ କ୍ୟାବିନେଟ୍ ବୈଠକ । ସଂଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିବ । ସେହିପରି କେଉଁ ମନ୍ତ୍ରୀଙ୍କୁ କେଉଁ ମନ୍ତ୍ରାଳୟ ମିଳିବ, ତାହା ଉପରେ ନଜର ରହିଛି । ଗତକାଲି ମୋଦୀଙ୍କ ସହ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି । ୫ଜଣ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏମାନଙ୍କୁ କେଉଁ ବିଭାଗ ମିଳିବ ତାହା ଉପରେ ନଜର ରହିଛି । ୨୦୧୪, ୨୦୧୯ ପରେ ତୃତୀୟ ଥର ପାଇଁ ୨୦୨୪ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । ୨୦୨୪ରେ ସହଯୋଗୀଙ୍କୁ ନେଇ ସରକାର ଗଠନ କରିବାକୁ ପଡିଛି । ବିଜେପି ଏକାକୀ ୨୪୦ ଲୋକସଭା ଆସନରେ ବିଜୟୀ ହୋଇଥିବା ବେଳେ ସହଯୋଗୀଙ୍କୁ ମିଶାଇ ୨୯୨ ଆସନ ସହ ସରକାର ଗଠନ କରିଛି ।