କନକ ବ୍ୟୁରୋ : ଉଠା ଦୋକାନୀଙ୍କୁ ମିଳିଲା କୋଭିଡ ସହାୟତା । ରାଜ୍ୟର ୧ ଲକ୍ଷ ୧ ହଜାର ପଥପାଶ୍ୱର୍/ଉଠାଦୋକାନୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ କୋଭିଡ ସହାୟତା ଦିଆଯାଇଛି । ସମସ୍ତ ହିତାଧିକାରୀଙ୍କୁ ୩୦୦୦ ଟଙ୍କା ଲେଖାଏଁ କୋଭିଡ ସହାୟତା ଦିଆଯିବ । ଆଉ ଏଥିପାଇଁ ପ୍ରାୟ ୩୦ କୋଟିରୁ ଅଧିକ ଟଙ୍କା ସହରାଞ୍ଚଳରେ ଥିବା ଉଠାଦୋକାନୀ ମାନଙ୍କୁ ଦିଆଯିବ । ଏହାସହ ନବୀନ ଆଉ ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟର ୮୭ଟି ସହରରେ ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ନବୀନ କହିଛନ୍ତି । ଆଉ ଏଥିପାଇଁ ୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହାସହ ନବୀନ କହିଛନ୍ତି, ଉଠାଦୋକାନୀଙ୍କ ଜୀବିକାର ସୁରକ୍ଷା ପାଇଁ ଏହି ସହାୟତା ରାଶି ସରକାରଙ୍କ ପକ୍ଷରୁ ପୂର୍ବରୁ ମଧ୍ୟ ଦିଆଯାଇଥିଲା । ସହରର ଅର୍ଥନୀତିରେ ପଥ ବିକାଳୀ ହେଉଛନ୍ତି ଗୁରୁତ୍ୱପୂର୍ଣ୍ଣ ଅଂଶ । କୋଭିଡ ସମୟରେ ପଥବିକାଳୀଙ୍କ କଷ୍ଟ ଅନୁଭବ କରିଛି । ତେଣୁ ସେମାନଙ୍କ ଜୀବିକାର ସୁରକ୍ଷା ପାଇଁ ସରକାର ଏହି ସହାୟତା ରାଶି ପ୍ରଦାନ କରିଛନ୍ତି । ସରକାର ସବୁବେଳେ ଆପଣଙ୍କ ସହ ରହିଛନ୍ତି ବୋଲି ନବୀନ କହିଛନ୍ତି ।
ଏହାପୂର୍ବରୁ ପଞ୍ଜିକୃତ ଉଠା ଦୋକାନୀ ମାନଙ୍କୁ ୩୦୦୦ ଟଙ୍କା ଲେଖାଏଁ ସହାୟତା ଦେଇଥିଲେ ରାଜ୍ୟ ସରକାର । ୪୫ କୋଟିରୁ ଅଧିକ ଟଙ୍କା ୨ଟି ପର୍ଯ୍ୟାୟରେ ୧୧୪ଟି ସହରାଞ୍ଚଳରେ ଥିବା ପଞ୍ଜିକୃତ ଉଠା ଦୋକାନୀଙ୍କୁ ସହାୟତା ଦିଆଯାଇଥିଲା । ଗତ ୨୦୨୦ ମାର୍ଚ୍ଚ ୩୦ରେ ୧୪ କୋଟି ଅର୍ଥରାଶି ୪୮ ହଜାରରୁ ଅଧିକ ପଥ ବିକାଳୀଙ୍କୁ ସହାୟତା ଆକାରରେ ଯୋଗାଇ ଦିଆଯାଇଥିଲା । ସେହିଭଳି ୨୦୨୧ରେ ୨୩ କୋଟିରୁ ଅଧିକ ଟଙ୍କା ୭୮ ହଜାରରୁ ଅଧିକ ପଥ ବିକାଳୀଙ୍କୁ ସହାୟତା ଆକାରରେ ଯୋଗାଇ ଦିଆଯାଇଥିଲା । ତେବେ ଚଳିତଥର ସରକାରଙ୍କ ପକ୍ଷରୁ ଦିଆଯାଉଥିବା
୩ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ଅନଲାଇନରେ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ଯିବ । ଯେଉଁମାନଙ୍କର ବ୍ୟାଙ୍କରେ ଆକାଉଣ୍ଟ ନଥିବ ସେମାନଙ୍କୁ ମଧ୍ୟ ଏହି ଆର୍ଥିକ ସହାୟତା ରାଶି ମିଳିବ ।