ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ବି ମାସେ ପର୍ଯ୍ୟନ୍ତ କଟିବନି ଚାଲାଣ । ନିୟମ କୋହଳ କଲେ ସରକାର, ଗୋଟିଏ ମାସ ମଧ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ହାସଲ କରିବାକୁ ଗାଡି ଚାଳକଙ୍କୁ ନିର୍ଦ୍ଦେଶ ।

1,130

କନକ ବ୍ୟୁରୋ : ମାସେ ପାଇଁ କୋହଳ ହେଲା ପ୍ରଦୂଷଣ ପ୍ରମାଣପତ୍ର ନିୟମ । ଆଗାମୀ ଗୋଟିଏ ମାସ ପର୍ଯ୍ୟନ୍ତ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଗାଡି ଚାଳକଙ୍କୁ ତଣ୍ଡ ଗଣିବାକୁ ପଡିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ପରିବହନ ସଚିବ ଜି ଶ୍ରୀନିବାସନ । ଆଗାମୀ ଗୋଟିଏ ମାସ ମଧ୍ୟରେ ଗାଡି ଚାଳକଙ୍କୁ ପ୍ରଦୂଷଣ ସାର୍ଟିଫିକେଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସଚିବ ।

ଗତ ଦୁଇଦିନ ହେବ ଗାଡି ଚେକିଂ ସମୟରେ ଅନେକ ଗାଡିକୁ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଥିଲା । ଗାଡି ପ୍ରଦୂଷଣ ପାଇଁ ୧୦ ହଜାର ଟଙ୍କାର ଜରିମାନା ଆଦାୟ କରାଯିବା ପରେ ଗାଡି ଚାଳକଙ୍କ ମନରେ କୋକୁଆ ଭୟ ଖେଳି ଯାଇଥିଲା । ଯେଉଁଥିପାଇଁ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ରାତି ସାରା ଗାଡି ଚାଳକଙ୍କୁ ଲାଇନରେ ଛିଡା ହେବାକୁ ପଡୁଥିଲା । କିନ୍ତୁ ଏବେ ଗୋଟିଏ ମାସ ସମୟ ମଧ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ହାସଲ କରିବାକୁ କହିଛନ୍ତି ପରିବହନ ସଚିବ ।

ଭୁବନେଶ୍ୱର ଆରଟିଓ-୧ ଅଞ୍ଚଳରେ ୨୧ ଜଣଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ପ୍ରଦାନ କରିବାକୁ ସ୍ୱୀକୃତି ଦିଆଯାଇଥିବା ବେଳେ ମାତ୍ର ୬ ଜଣ ଯୋଗ୍ୟ ରହିଛନ୍ତି । ଯେଉଁଥିରୁ ଭୁବନେଶ୍ୱରରେ ୪ଟି ଥିବା ବେଳେ ଖୋର୍ଦ୍ଧାରେ ୨ଟି ରହିଛି । ସେହିଭଳି ଆରଟିଓ-୨ ଅଧିନରେ ୩୨ ଜଣ ସ୍ୱୀକୃତି ପାଇଥିବା ବେଳେ ୭ ଜଣ ଯୋଗ୍ୟ ରହିଛନ୍ତି । ବୈଧ ସଂସ୍ଥାମାନଙ୍କର ତାଲିକା ରହିଥିଲେ ମଧ୍ୟ କିଏ କେଉଁଠି ଚେକିଂ କରୁଛନ୍ତି ତାହାର ହିସାବ ଆରଟିଓଙ୍କ ପାଖରେ ନାହିଁ । ଏପରିକି କିଛି ସ୍ୱୀକୃତିପ୍ରାପ୍ତ ସଂସ୍ଥା ଅନଲାଇନ ଜରିଆରେ ପ୍ରମାଣପତ୍ର ଦେଇ ପାରୁନଥିବାରୁ ଚଢାଉ ଭୟରେ ସେମାନେ ବଜାରରୁ ଉଭାନ ହୋଇ ଯାଇଛନ୍ତି । ଯେଉଁଥିପାଇଁ ଦିନ ତମାମ ଲାଇନରେ ରହୁଥିଲେ ମଧ୍ୟ ପ୍ରଦୂଷଣ ପ୍ରମାଣପତ୍ର ହାସଲ କରିପାରୁନାହାନ୍ତି ।