କନକ ବ୍ୟୁରୋ : ପଞ୍ଚାୟତ ଭୋଟ ପଡିବା ପୂର୍ବରୁ ପ୍ରାର୍ଥୀଙ୍କ ପାଇଁ ଆସିଲା ବଡ ଖବର । କରୋନା ସଂକ୍ରମଣ କିଛି ମାତ୍ରାରେ ହ୍ରାସ ପାଇଥିବାରୁ ପୂର୍ବରୁ ଲାଗିଥିବା କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । ଏଣିକି ୨୦ ଜଣଙ୍କୁ ନେଇ ଘରକୁ ଘର ବୁଲି କ୍ୟାମ୍ପେନିଂ କରିପାରିବେ ପ୍ରାର୍ଥୀ । ପୂର୍ବରୁ ମାତ୍ର ୫ ଜଣଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରିବାକୁ ଅନୁମତି ମିଳିଥିଲା । କିନ୍ତୁ ଏବେ ଏହି କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । ସେହିଭଳି ୩୦୦ ଲୋକଙ୍କୁ ନେଇ ରାଜନୈତିକ ସଭାକୁ ଅନୁମତି ମିଳିଛି । ତେବେ କରୋନା ଗାଇଡଲାଇନ ମାନି ସଭା ହୋଇପାରିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । କୌଣସି ସ୍ଥାନରେ କରୋନା ଗାଇଡଲାଇନର ଉଲ୍ଲଂଘନ ହେଉଥିଲେ ଦଳ ଓ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ।

Advertisment

ଏସବୁ ବାଦ୍ ପଦଯାତ୍ରା, ରାଲି ଓ ଶୋଭାଯାତ୍ରା ଉପରେ ପୂର୍ବଭଳି କଟକଣା ବଳବତ୍ତର ରହିବ । ତେବେ କରୋନାକୁ ଦୃଷ୍ଟିରେ ରଖି ନିର୍ବାଚନ ଡ୍ୟୁଟିରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କୁ ବୁଷ୍ଟର ଡୋଜ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଯାବତ୍ ୮୦ରୁ ୯୦ ପ୍ରତିଶତ କର୍ମଚାରୀଙ୍କୁ ବୁଷ୍ଟର ଡୋଜ ଦିଆଯାଇଥିବା ବେଳେ ଖୁବଶୀଘ୍ର ସମସ୍ତଙ୍କୁ ଟିକାକରଣ କରାଯିବ । ଏହାବାଦ୍ ଅଧିକାଂଶ ଜିଲ୍ଲାରେ ନିର୍ବାଚନ ଅଧିକାରୀଙ୍କୁ ମତଦାନ ବାବଦରେ ଟ୍ରେନିଂ ଦିଆସରିଛି । କିଛି ଜିଲ୍ଲାରେ ଟ୍ରେନିଂ ଦିଆଯିବା ବାକି ରହିଛି ତେଣୁ ଆସନ୍ତା ଦୁଇ ଦିନ ମଧ୍ୟରେ ଏହି ପ୍ରକ୍ରିୟା ମଧ୍ୟ ଶେଷ ହେବ । ଆସନ୍ତା ୧୦ ତାରିଖରେ ପୌର ନିର୍ବାଚନ ପାଇଁ ଡ୍ରାଫ୍ଟ ଲିଷ୍ଟ ପ୍ରତ୍ୟେକ ରାଜନୈତିକ ଦଳଙ୍କୁ ଦିଆଯିବ ବୋଲି କହିଛନ୍ତି ଆଦିତ୍ୟ ପ୍ରସାଦ ପାଢୀ ।