କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ପ୍ରଚାର ପାଇଁ ନୂଆ ଗାଇଡଲାଇନ ଆଣିଲେ ମୁଖ୍ୟ ନିର୍ବାଚନ କମିଶନ । ଯାହା ଆସନ୍ତା ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ ଜାରି ରହିବ । ଯେଉଁଥିରେ ରାଲି, ପଦଯାତ୍ରା, ଶୋଭାଯାତ୍ରା, ରୋଡ ସୋ’କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ତେବେ ପୂର୍ବ ଗାଇଡଲାଇନରେ ଥିବା କଟକଣାକୁ ଏଥିରେ କିଛି ମାତ୍ରାରେ କୋହଳ କରାଯାଇଛି । ତେବେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିବାରୁ ଏବେ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି ।

Advertisment

କଟକଣାକୁ କିଛି ମାତ୍ରାରେ କୋହଳ କରାଯିବା ସହ ନିର୍ବାଚନୀ ସଭାରେ ୧୦୦୦ ଜଣଙ୍କୁ ଅନୁମତି ମିଳିଛି । ଏହାଛଡା ଯେଉଁଠି ନିର୍ବାଚନ ସଭା ପାଇଁ ଅନୁମତି ମିଳିଥିବ ସେହି ଗ୍ରାଉଣ୍ଡରେ କ୍ଷମତାର ୫୦ ପ୍ରତିଶତ ଲୋକଙ୍କୁ ସଭାରେ ଯୋଗ ଦେବାକୁ ଅନୁମତି ମିଳିବ । ସେହିଭଳି ରୁଦ୍ଧ ଦ୍ୱାର ବା କୌଣସି ମଣ୍ଡପରେ ମିଟିଂ କରୁଥିଲେ ମାତ୍ର ୫୦୦ ଜଣଙ୍କୁ ଅନୁମତି ମିଳିବ । ଏହାବାଦ୍ ଘରକୁ ଘର ବୁଲି ପ୍ରଚାର ପାଇଁ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ମିଳିବ । ପୂର୍ବରୁ ଏହା ୧୦ ଜଣରେ ସୀମିତ ଥିଲା । ଏହାଛଡା ରାଜନୈତିକ ଦଳ ଓ ପ୍ରାର୍ଥୀ କରୋନା ଗାଇଡଲାଇନକୁ ସମ୍ପୂର୍ଣ୍ଣ ପାଳନ କରିବେ । ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶରେ ଆସନ୍ତା ମାସରେ ନିର୍ବାଚନ ହେବାକୁ ଯାଉଛି ।