କନକ ବ୍ୟୁରୋ : ଆଣ୍ଠୁଏ ପାଣିରେ ବୁହାହେଲା କୋକେଇ । ରାସ୍ତା ନଥିବାରୁ ଅନ୍ତିମ ସଂସ୍କାର ପାଇଁ ଆଣ୍ଠୁଏ ପାଣିରେ ପଶି ଶବକୁ ବୋହି ନେଲେ ସମ୍ପର୍କୀୟ । ଏ ଦୃଶ୍ୟ ହେଉଛି ଜୟପୁର ଉପକଣ୍ଠ ଟାଙ୍କୁଆ ପଂଚାୟତର । ଅପରକୋଲାବ ଡ୍ୟାମ ତିଆରି ସମୟରେ କର୍ମଚାରୀ ରହିବା ପାଇଁ ଏହି ଅଂଚଳରେ ଏକ ବସ୍ତି ଗଢିଉଠିଥିଲା । ସମୟକ୍ରମେ କାମ ସରିବା ପରେ କର୍ମଚାରୀ ଚାଲିଗଲେ ହେଲେ ସେଠାରେ ରହିଗଲା ଗାଁ । ଲୋକଙ୍କ ବସବାସ ବଢ଼ିଲା ହେଲେ ଗାଁକୁ ଏପର୍ଯ୍ୟନ୍ତ ରାସ୍ତଟିଏ ନଥିବାରୁ ବର୍ଷାଦିନେ ଏଭଳି ହିନସ୍ତା ଭୋଗୁଛନ୍ତି ଲୋକେ ।
ବର୍ଷା ଦିନେ ପାହାଡର ପାଣି ଗାଁରେ ପଶି ରାସ୍ତାଘାଟରେ ପାଣି ଜମି ରହୁଛି । କୋଲାବ ଡ୍ୟାମର କଲଭର୍ଟ ହିଁ ପାଲଟିଛି ସମସ୍ତଙ୍କ ଯାତାୟତର ପଥ । ମଙ୍ଗଳବାର ଗାଁର ରବି ଖରଙ୍କ ମୃତ୍ୟୁ ହୋଇଥିଲା । ପରିବାର ଓ ସମ୍ପର୍କୀୟ ମାନେ ତାଙ୍କ କୋକେଇକୁ କାନ୍ଧରେ ବୋହି ମଶାଣିକୁ ନେଇଥିଲେ । ବାରମ୍ବାର ଦାବି ପରେ ବି କେନାଲ ଉପରେ ପୋଲଟିଏ ନିର୍ମାଣ ହେଉନଥିବାରୁଏଭଳି ଯନ୍ତ୍ରଣା ଭୋଗୁଥିବା କହିଛନ୍ତି ଗ୍ରାମବାସୀ ।