ମିଳିଲାନି ମହାପ୍ରୟାଣ ଗାଡି, ଗୋଟିଏ କିଲୋମିଟର ଯାଏଁ ମୃତଦେହକୁ ଟେକି ଟେକି ନେଲେ ସମ୍ପର୍କୀୟ । ସୁନ୍ଦରଗଡରୁ ଆସିଲା ଅଭାବନୀୟ ଖବର ।

152

କନକ ବ୍ୟୁରୋ : ମୃତଦେହକୁ ମିଳିଲାନି ମାନବୀୟ ସମ୍ମାନ । ମେଡିକାଲରୁ ଘରକୁ ମୃତଦେହ ନେବା ପାଇଁ ଅସହାୟ ପରିବାରକୁ ମିଳିଲାନି ମହାପ୍ରୟାଣ ଗାଡି । ଶେଷରେ ବାଧ୍ୟ ହୋଇ ମୃତଦେହକୁ ହାତରେ ଟେକି ଟେକି ନେଲେ ସଂପର୍କୀୟ । ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ହସ୍ପିଟାଲ ପରିସରରୁ ପ୍ରାୟ ଗୋଟିଏ କିଲୋମିଟର ଚାଲି ଚାଲି ଶବକୁ ନେବା ପରେ ଏକ ଘରୋଇ ଗାଡି କରି ଘରକୁ ନେଇଛନ୍ତି ।

ସୁନ୍ଦରଗଡରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହର ଏଭଳି ଅସମ୍ମାନ ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ମୃତକ ହେଉଛନ୍ତି ସନ୍ଦରଗଡ ସଦର ବ୍ଲକ ଟିମାଡିହି ଗାଁର ସୁରେଶ ଚନ୍ଦ୍ର ପଟେଲ । ୫ ଦିନ ତଳେ ମେଡିକାଲରେ ଭର୍ତି ହୋଇ ସୁସ୍ଥ ହେବା ପରେ ଘରକୁ ଫେରିଥିଲେ । ଆଜି ହଠାତ୍ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ମେଡିକାଲରେ ଭର୍ତି କରିଥିଲେ । ହେଲେ ମେଡିକାଲରେ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ମୃତଦେହ ନେବାକୁ ପରିବାର ଲୋକେ ମହାପ୍ରୟାଣ ଗାଡିକୁ ଯୋଗାଯୋଗ କରିଥିଲେ । ପରିବାର ଲୋକେ ଯେତେ କାକୁତି ମିନତି କଲେ ମଧ୍ୟ ମହାପ୍ରୟାଣ ଗାଡି ମିଳିନଥିଲା । ଟୋଲ ଫ୍ରି ନମ୍ବରରେ ଫୋନ କଲେ ବି କେହି ଉତର ଦେଲେ ନାହିଁ । ଶେଷରେ କିଛି ଉପାୟ ନପାଇ ପରିବାର ଲୋକେ ଶବକୁ ଟେକି ଟେକି ପାଖାପାଖି ଗୋଟିଏ କିଲୋମିଟର ନେବା ପରେ ଏକ ଘରୋଇ ଗାଡି ଭଡା କରି ନିଜ ଗାଁକୁ ଫେରିଥିଲେ ।