ଧାନ ବିକ୍ରି ପାଇଁ ସଂପର୍କୀୟ ଭରସା । ଓଡିଶାରେ ଧାନ ଏମଏସପି ଅପେକ୍ଷା ଛତିଶଗଡରେ ଅଧିକ । ତେଣୁ ସଂପର୍କୀୟଙ୍କ ସହଯୋଗରେ ପଡୋଶୀ ରାଜ୍ୟରେ ଧାନ ବିକୁଛନ୍ତି ଝାରସୁଗୁଡା ଲଖନପୁର ଅଞ୍ଚଳର ଚାଷୀ

174

କନକ ବ୍ୟୁରୋ : ଓଡିଶା ସୀମାକୁ ଲାଗି ଛତିଶଗଡ ସୀମା । ଛତିଶଗଡରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୫ଶହ ଟଙ୍କା ଥିବା ବେଳେ ଓଡିଶାରେ ୧୮୬୫ ଟଙ୍କା । ଫଳରେ ଛତିଶଗଡରେ ଧାନ ବିକ୍ରି କରିବା ପାଇଁ ଇଚ୍ଛା କରୁଛନ୍ତି ସୀମାନ୍ତବର୍ତୀ ଝାରସୁଗୁଡାର ଚାଷୀ । ଚାଷ କାମ ପାଇଁ ଉଭୟ ରାଜ୍ୟର ଚାଷୀ ସମାନ ଧରଣର ପରିଶ୍ରମ କରୁଥିବା ସହାୟକ ମୂଲ୍ୟର କମ୍-ବେଶୀକୁ ନେଇ ଛକାପଂଝା ଲାଗି ରହିଛି । ସୀମାନ୍ତବର୍ତୀ ଅଂଚଳର ଚାଷୀ ପଡୋଶୀ ରାଜ୍ୟରେ ଧାନ ବିକିବା ପାଇଁ ସଂପର୍କୀୟଙ୍କୁ ଭରସା କରୁଥିବା ସୀମାରେ କଡା ଯାଂଚ କରୁଛି ଛତିଶଗଡ ପ୍ରଶାସନ ।

ଝାରସୁଗୁଡା ଲଖନପୁର ବ୍ଲକ ୧୯ ଖଣ୍ଡ ମୌଜାର ବହୁ ଗାଁ ଛତିଶଗଡ ସୀମାକୁ ଲାଗି ରହିଛି । ଓଡିଶା ଠାରୁ ଛତିଶଗଡରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରାୟ ୭ଶହ ଟଙ୍କା ଅଧିକ ଥିବାରୁ ସୀମାନ୍ତବର୍ତୀ ଚାଷୀ ଧାନ ବିକ୍ରି ପାଇଁ ଛତିଶଗଡ ମୁହାଁ ହୋଇଛନ୍ତି । ଛତିଶଗଡରେ ଥିବା ସଂପର୍କୀୟ ଙ୍କ ଭରସାରେ ଛତିଶଗଡ ମଣ୍ଡିରେ ଧାନ ବିକ୍ରି କରୁଥିବା ଜଣାପଡିଛି । ଓଡିଶା ସରକାରଙ୍କ ଅପେକ୍ଷା ଛତିଶଗଡ ସରକାର ଅଧିକ ଟଙ୍କା ଦେଉଛନ୍ତି । ଓଡିଶାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୫ ଟଙ୍କା ଥିବା ବେଳେ ଛତିଶଗଡରେ ୨୫୦୦ ଟଙ୍କା । ଏହାସହ ପଡୋଶୀ ରାଜ୍ୟରେ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବୋନସ ବି ଦିଆଯାଉଛି । ହେଲେ ଓଡିଶାରେ ଧାନ ଦର କମ୍ ସାଙ୍ଗକୁ କଟନୀ ଛଟନା କରାଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଲଖନପୁର ବ୍ଲକରେ ଗୋଟିଏ ରାଇସ ମିଲ ଅଛି । ଏହି ମିଲ ୩୩ଟି ପଂଚାୟତର ସମସ୍ତ ଚାଷୀଙ୍କ ଧାନ କିଣି ପାରୁନାହିଁ । ତେଣୁ ଚାଷୀଙ୍କୁ ଦଲାଲ ସାହାଯ୍ୟରେ ଧାନ ବିକ୍ରି କରିବାକୁ ପଡୁଛି । ଦଲାଲମାନେ ଚାଷୀଙ୍କ ଠାରୁ କ୍ୱିଂଟାଲ ପ୍ରତି ୧୧୦୦ ରୁ ୧୨୦୦ ଟଙ୍କା ଦେଇ କିଣି ନେଉଛନ୍ତି । କମ ଦରରେ ଧାନ ବିକ୍ରି କରି କ୍ଷତି ସହୁଥିବା ଚାଷୀ ଛତିଶଗଡରେ ଥିବା ନିଜ ସମ୍ପର୍କୀୟଙ୍କ ସାହଯୋଗରେ ଧାନ ବିକ୍ରି କରିବା ପାଇଁ ଇଚ୍ଛା କରୁଛନ୍ତି । ଛତିଶଗଡ ମଣ୍ଡି ଗାଁକୁ ନିକଟ ହେଉଥିବା ବେଳେ ସେଠାରେ ଧାନ ବିକ୍ରି କସେ ଅଧିକ ଦୁଇ ପଇସା ମିଳୁଥିବା ଚାଷୀ କହିଛନ୍ତି ।

ସେପଟେ ବେଆଇନ୍ ଧାନ ଚାଲାଣ ରୋକିବା ପାଇଁ ସୀମାରେ ଜଗି ରହିଛି ପୁଲିସ । ୪୯ ନମ୍ବର ଜାତୀୟ ରାଜପଥର ୪ଟି ସ୍ଥାନରେ ପୋଷ୍ଟ ତିଆରି କରିଛି ଛତିଶଗଡ ପୁଲିସ । ସେହିପରି ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଟାକ୍ସଫୋର୍ସ ଟିମ ଗଠନ କରାଯାଇଛି ଥିବା ଝାରସୁଗୁଡା ଯୋଗାଣ ଅଧିକାରୀ କହିଛନ୍ତି ।