କନକ ବ୍ୟୁରୋ : ଭାରତରେ ବାହାଘର ଓ ସଂପର୍କକୁ ନେଇ ଏକ ସର୍ଭେ ରିପୋର୍ଟ ଆସିଛି । ଏହି ରିପୋର୍ଟ ଆସିବା ପରେ ଏହାକୁ ନେଇ ସମସ୍ତେ ଚକିତ ହୋଇପଡିଛନ୍ତି । ଏହି ସର୍ଭେ ବା ଅଧ୍ୟୟନ କେବଳ ବିବାହ ଓ ସଂପର୍କକୁ ନେଇ କରାଯାଇଥିଲା । ଏକ ଡେଟିଂ ଆପ୍ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ମହିଳାମାନଙ୍କୁ ସେମାନଙ୍କର ବାହାଘରକୁ ନେଇ କିଛି ପ୍ରଶ୍ନ ପଚାରାଯାଇଥିଲା । ଏଥିରେ କିଛି ଭାରତୀୟ ମହିଳାଙ୍କ ଉତର ରହିଥିଲା କି ପରିବାର ଲୋକମାନେ ବାହାଘର ଋତୁରେ ପାରମ୍ପାରିକ ଢଙ୍ଗରେ ସେମାନଙ୍କର ବାହାଘର କରିବାକୁ ଚାହିଁଥାନ୍ତି ।

Advertisment

କେବେ ବାହାଘର ହେବା ଉଚିତ ବୋଲି ପ୍ରଶ୍ନର ଉତର ଦେଇ ୩୯ ପ୍ରତିଶତ ମହିଳା କହିଥିଲେ କି ବାହାଘର ନେଇ ସେମାନଙ୍କ ପରିବାର ଓ ବନ୍ଧୁ ପରିଜନ ସେମାନଙ୍କ ଉପରେ ଚାପ ପକାଇଥାନ୍ତି    । ହେଲେ ଏହି ପ୍ରଶ୍ନର ଉତର ଦେଇ ୩୩ ପ୍ରତିଶତ ଅବିବାହିତ ମହିଳାଙ୍କ ଉତର ଆପଣଙ୍କୁ ଚମକାଇଦେବ । ସେମାନଙ୍କ ଉତର ଥିଲା, ଏକ ପ୍ରତିଶ୍ରୁତିବଦ୍ଧ ଓ ଦୀର୍ଘକାଳୀନ ସଂପର୍କରେ ପ୍ରବେଶ କରିବାକୁ ସେମାନେ ବାଧ୍ୟବାଧକତା ବୋଲି ଭାବିଥାନ୍ତି । ଅର୍ଥାତ ସେମାନଙ୍କର କହିବା କଥା କି ଏକ ଦୀର୍ଘ ସମୟ ପାଇଁ ଚାଲିବାକୁ ଥିବା ବିିବାହ ଭଳି ସଂପର୍କକୁ ସେମାନେ ବାଧ୍ୟବାଧକତା ବୋଲି ଭାବିଥାନ୍ତି ।

ଏକ ଜାତୀୟ ଗଣମାଧ୍ୟମ ମୁତାବକ ଡେଟିଂ ଆପ୍ ବମ୍ବଲର ସର୍ଭେ ମୁତାବକ ଦେଶର ୮୧ ପ୍ରତିଶତ ମହିଳାଙ୍କ ମତ ହେଉଛି ସେମାନେ ଅବିବାହିତ ବା ଏକ ରହିବାକୁ ଅଧିକ ସହଜ ଭାବନ୍ତି । ଅର୍ଥାତ ସିଂଗଲ ରହିବାକୁ ସେମାନେ ଅଧିକ ଆରାମ ଓ ସହଜ ଅନୁଭବ କରିଥାନ୍ତି । ୬୩ ପ୍ରତିଶତ ମହିଳା କହିଥିଲେ କି ସେମାନେ ସେମାନଙ୍କର ପ୍ରାଥମିକତା, ଆବଶ୍ୟକତା ସହିତ ସାଲିସ କରିବାକୁ ଚାହାଁନ୍ତି ନାହିଁ । ୮୩ ପ୍ରତିଶତ ମହିଳାଙ୍କ ଉତର ସେମାନେ ସେପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଚାହାଁନ୍ତି ଯେପର୍ଯ୍ୟନ୍ତ ସେମାନଙ୍କୁ ସଠିକ୍ ଜୀବନସାଥୀ ମିଳିନାହିଁ ।